Image Source: Zee News
କଟକ : କରୋନା ଭୂତାଣୁ ସଂକ୍ରମିତ (କୋଭିଡ-୧୯ ପଜିଟିଭ୍) ବ୍ୟକ୍ତିଙ୍କ ପରିଚୟ ବାହାରେ ପ୍ରକାଶ କରାଯିବ ନାହିଁ। ସଂକ୍ରମିତଙ୍କ ପରିଚୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଏମିତିକି ଅଥବା ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ତଥ୍ୟ ଆଦାନପ୍ରଦାନରେ ବି ପ୍ରକାଶ କରାଯିବନାହିଁ। ରାଜ୍ୟ ଭିତରେ ଥିବା କୋଭିଡ ସେଣ୍ଟର, ସରକାରୀ ଅଥବା ଘରୋଇ ହସ୍ପିଟାଲ, ସଂଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ଜଣାପଡ଼ିବାପରେ ସେମାନଙ୍କ ପରିଚୟ ଯେପରି ବାହାରେ ପ୍ରଘଟ ନହେବ, ତାହା ସରକାର ନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଥିବାବେଳେ ଶୁଣାଣି ସମୟରେ ଉପସ୍ଥିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଏବଂ କୋଭଡି-୧୯ ପରିଚାଳନା ସଂପର୍କିତ ଭାରତ ସରକାରଙ୍କ ନିୟମାବଳୀ କାର୍ଯ୍ୟକାରୀ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଆଇନଜୀବୀ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମିତଙ୍କ ତଥ୍ୟ ବାହାରେ ପ୍ରକାଶ ନ କରିବା ନିୟମ ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଶାଣି ଜୁନ୍ ୪ ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପକ୍ଷ ରଖିବାକୁ ଅଦାଲତ ନୋଟିସ ଜାରି କରିଛନ୍ତି। ଆଇନଜୀବୀ ସୁଶାନ୍ତ କୁମାର ଦାଶ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।
Follow Us