ଗଳା ବାଟରେ ଚାଲିଛି ଛତିଶଗଡ଼-ଓଡ଼ିଶା ଯାତାୟାତ, କରୋନା କଟକଣାକୁ ଫୁଃ, ବଢୁଛି ଚିନ୍ତା

Advertisment
ଗଳା ବାଟରେ ଚାଲିଛି ଛତିଶଗଡ଼-ଓଡ଼ିଶା ଯାତାୟାତ, କରୋନା କଟକଣାକୁ ଫୁଃ, ବଢୁଛି ଚିନ୍ତା

ଅମ୍ବାଭୋନା : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବରଗଡ ଜିଲ୍ଲା ଛତିଶଗଡ଼ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଅମ୍ବାଭୋନା ବ୍ଳକ ରୁଚିଦାରେ ଥିବା ଚେକ୍‌ଗେଟ୍ରେ ପୁଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷ କରି ମାସ୍କ ଯାଞ୍ଚ ସହ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଯାଉଛି। ଶୁକ୍ରବାର ପୁଲିସ ପକ୍ଷରୁ ପ୍ରକାଶପୁର ବସଷ୍ଟାଣ୍ତ, ଭୁକ୍ତା ଡାକ୍ତରଖାନା ସମ୍ମୁଖରେ ଛତିଶଗଡ଼ରୁ ଆସୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକରେ ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବା ସହ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଛତିଶଗଡ ସୀମାକୁ ଲାଗି ଥିବାରୁ ଅନେକ ଗଳା ବାଟ ଦେଇ ଲୋକେ ଅନାୟାସରେ ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ କରୁଛନ୍ତି। ନା ସେମାନେ କୋଭିଡ୍‌ କଟକଣା ମାନୁଛନ୍ତି ନା ମାସ୍କ ବ୍ୟବହାର କରୁଛନ୍ତି। ତା’ ସହ ବିନା ଯାଞ୍ଚରେ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।

ପ୍ରାପ୍ତ ସୂଚନାନୁସାରେ ସୀମାନ୍ତବର୍ତ୍ତୀ ବଡ଼େ ନୂଆପରା ଓ ବୋରଦା ରାସ୍ତା ଦେଇ ଅନେକେ ଛତିଶଗଡ଼ୀ ବରଯାତ୍ରୀ ଦଳ ବିନା ମାସ୍କରେ ବରଗଡ଼ ଓ ସମ୍ବଲପୁର ଅଞ୍ଚଳକୁ ଯାଉଥିବା ବେଳେ ଚିଖିଲି, ମହୁଲପାଲି, ଶରଧାପାଲି, ପଥରାସେନୀ ଡଙ୍ଗାଘାଟ ଦେଇ ମଧ୍ୟ ଯାତାୟାତ ଜାରି ରହିଛି। ସେହିପରି ଅମ୍ବାଭୋନା ବ୍ଳକ୍‌ର ବାରପାହାଡ଼ ଓ ଡେବ୍ରିଗଡ ଜଙ୍ଗଲ ଘେରା ଗାଁ’ଗୁଡିକୁ ମଧ୍ୟ ବହୁ ସଂଖ୍ୟାରେ ଛତିଶଗଡ଼ୀ ଲୋକେ ଗଳାବାଟ ଦେଇ ବିବାହ ଉତ୍ସବ, ବିଭିନ୍ନ ଭୋଜିରେ ଯୋଗ ଦେବାକୁ ଆସୁଥିବା ଦେଖିବାକୁ ମିଳୁଛି। ତେଣୁ ସ୍ଥିତି ବିଗିଡ଼ିବା ପୂର୍ବରୁ ପ୍ରଶାସନ ଓ ପୁଲିସ୍‌ ଏହି ସବୁ ଗଳାବାଟଗୁଡ଼ିକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କିରବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe