ପରିବହନ ବିଭାଗର ତାଗିଦ୍‌ : ମାଲ୍‌ ଗାଡ଼ିରେ ଯାତ୍ରୀ ମନା

ପ୍ରତି ୨୦ କିମିରେ ଖୋଲା ରହିବ ଗ୍ୟାରେଜ, ପାର୍ଟସ ଦୋକାନ

ପରିବହନ ବିଭାଗର ତାଗିଦ୍‌ : ମାଲ୍‌ ଗାଡ଼ିରେ ଯାତ୍ରୀ ମନା

The Woke Journal

କଟକ : ରାଜ୍ୟରେ ଏବେ କରୋନା ଭୟରେ ସମସ୍ତ ଯାତ୍ରୀବାହୀ ଯାନବାହାନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ତେଣୁ ଏବେ ଖାଦ୍ୟ ସାମଗ୍ରୀ ନେଉଥିବା ମାଲବାହୀ ଗାଡ଼ିରେ ଯାତ୍ରୀମାନେ ଯିବା ଆସିବା କରୁଥିବା ଭଳି ସଂଗିନ ଅଭିଯୋଗ ସାମନାକୁ ଆସିଛି। ମାଲବାହୀ ଗାଡ଼ିରେ ଅଧିକ ଲୋକ ଯାଉଥିବାରୁ ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ କଠୋର ହୋଇଛି ପରିବହନ ବିଭାଗ। କୌଣସି ଖାଦ୍ୟସାମଗ୍ରୀ ଗାଡ଼ି ଯାତ୍ରୀଙ୍କୁ ନେଇପାରିବେ ନାହିଁ ବୋଲି ତାଗିଦ କରାଯାଇଛି।

ଅନ୍ୟ ଏକ ସମସ୍ୟା ହେଉଛି ବର୍ତ୍ତମାନ ରାଜ୍ୟ ଓ ଜାତୀୟ ରାଜପଥ ପାର୍ଶ୍ବରେ ସମସ୍ତ ଗାଡ଼ି ଗ୍ୟାରେଜ ଓ ପାର୍ଟସ୍ ଦୋକାନ ବନ୍ଦ କରାଯାଇଛି। ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଯାନବାହାନ ଗାଡ଼ି ମରାମତି କରିବାରେ ସମସ୍ୟା ଭୋଗୁଛନ୍ତି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରାଜପଥରେ ପ୍ରତ୍ୟେକ ୨୦ କିମି ବ୍ୟବଧାନରେ ଗୋଟିଏ ଗ୍ୟାରେଜ ଓ ପାର୍ଟସ୍ ଦୋକାନ ଖୋଲା ରହିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଉପଯୁକ୍ତ ଅଞ୍ଚଳ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ଭିତରୁ ଏବଂ ବାହାରୁ ଆସୁଥିବା ଗାଡ଼ି ଚାଳକଙ୍କ ପାଇଁ ଅଧିକ ସହଜ ହୋଇପାରିବ। କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଦୋକାନ ଖୋଲାଯିବ, ସେ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିବେ। ଏସବୁ ଦୋକାନ ସହରଠାରୁ ଦୂରରେ ଖୋଲାଯିବାକୁ କୁହାଯାଇଛି। ଦୋକାନ ଖୋଲିବାକୁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିବେ।

ଜିଲ୍ଲା ପୁଲିସ ଏସପି/ଡିସିପିମାନେ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ। ସେହିପରି ରାଜପଥ ପାର୍ଶ୍ବରେ ଖୋଲା ରହୁଥିବା ପେଟ୍ରୋଲ ପମ୍ପ ଗୁଡ଼ିକରେ ଯେଭଳି ଅଧିକ ଭିଡ଼ ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଗ୍ୟାରେଜ ଓ ପାର୍ଟସ ଦୋକାନରେ ଭିଡ଼ ଏଡ଼ାଇବାକୁ ବି ନଜର ଦିଆଯିବ। ଅନ୍ୟପଟେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା କୌଣସି ଯାନବାହାନକୁ ପୁଲିସ ଅଧିକାରୀ ଅଟକାଇବେ ନାହିଁ। ଏହି ଗାଡ଼ିଗୁଡ଼ିକରେ ମାଲ୍ ଲୋଡିଂ ହେଇଥାଉ କିମ୍ବା ଗାଡ଼ି ଖାଲି ଥାଉ, ଗାଡ଼ିଗୁଡ଼ିକ ମୁକ୍ତ ଭାବେ କାରବାର କରିପାରିବ। କଟକ ଓ ଭୁବନେଶ୍ବର ସମେତ ରାଜ୍ୟର କୌଣସି ଜିଲ୍ଲାରେ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ପାଇଁ ପାସର ଆବଶ୍ୟତା ହେବ ନାହିଁ। ବିନା ପାସରେ ଗାଡ଼ିଗୁଡ଼ିକ ଚଳପ୍ରଚଳ କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe