ଜାଳିଦେଲେ ଶହଶହ କରୋନା ଟେଷ୍ଟ୍‌ କିଟ୍‌, ପରୀକ୍ଷା ନକରି ସାର୍ଟିଫିକେଟ୍‌ ପ୍ରଦାନ ଅଭିଯୋଗ

Advertisment
କରୋନା ଟେଷ୍ଟିଂ କିଟ୍‌ ପୋଡ଼ିବା ଘଟଣାର ତଦନ୍ତ ଆରମ୍ଭ

କୋରେଇ : ଯାଜପୁର ଜିଲ୍ଲା କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାଙ୍ଘାତିକ ଅନିୟମିତତା ଦେଖିବାକୁ ମିଳିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଶହଶହ କରୋନା ଟେଷ୍ଟ କିଟ୍‌କୁ ବ୍ୟବହାର ନକରି ପୋଡ଼ି ଦିଆଯାଇଛି। ରାଜ୍ୟ ତଥା ଜିଲ୍ଲାରେ କୋଭିଡର ତୃତୀୟ ଲହର ବଢ଼ିଚାଲିଥିବା ବେଳେ ଏଠ‌ାରେ ସମ୍ଭାବ୍ୟ ରୋଗୀଙ୍କ ପରୀକ୍ଷା କରାଯାଉନାହିଁ। କାଗଜକଲମରେ ଲୋକଙ୍କୁ ପଜିଟିଭ୍ କିମ୍ବା ନେଗେଟିଭ୍‌ ସାର୍ଟିଫିକେଟ୍‌ ଦିଆଯାଇ ଏଥିପାଇଁ ଆସୁଥିବା ପରୀକ୍ଷା କିଟ୍‌କୁ ପୋଡ଼ି ଦିଆଯାଉଛି। ଲୁଚାଛପାରେ ଶହଶହ କିଟ୍‌ ପୋଡ଼ି ଦିଆଯାଉଥିବା ବେଳେ ଆଜି ଏହା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଛି। ମାସମାସ ଧରି ଏଠାରେ ଏଭଳି କାରନାମା ଚାଲିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସୋମବାର ଅପରାହ୍ନରେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛରେ କରୋନା କିଟ୍ ପୋଡ଼ା ଯାଉଥିବା ଖବର ମିଳିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଡାକ୍ତରଖାନା କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଏପରିକି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧ୍ୟ କୌଣସି ପ୍ରତିକ୍ରିୟା ନଦେଇ କାର୍ଯ୍ୟାଳୟରେ ତାଲା ବନ୍ଦକରି ଭିତରେ ବସି ରହିଥିଲେ। ଏହାକୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ହେଉନଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ କିଛିଦିନ ହେଲା ଲୋକଙ୍କୁ ଫେରାଇ ଦେଉଥିଲେ। ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ହସ୍ତକ୍ଷେପ ପରେ ଏଠାରେ କରୋନା ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଥିଲା। ଏହାପରେ ରାତିଅଧରୁ ଲୋକମାନେ ଡାକ୍ତରଖାନା ପରିସରରେ ଧାଡ଼ିରେ ବସି ରହୁଥିଲେ। ହେଲେ ମାତ୍ର କେଇଘଣ୍ଟା ମଧ୍ୟରେ ଟେଷ୍ଟ କିଟ୍ ସରିଯାଉଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ ଲୋକଙ୍କୁ ଫେରାଇ ଦେଉଥିଲେ। ଅନ୍ୟପକ୍ଷରେ କିଛିଦିନ ହେଲା ବିନା ପରୀକ୍ଷାରେ ଲୋକମାନଙ୍କୁ ପରୀକ୍ଷାର ପ୍ରମାଣପତ୍ର ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ବଳି ପଡ଼ୁଥିବା କିଟ୍‌କୁ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ପୋଡ଼ି ପାଉଁଶ କରିଦିଆଯାଉଛି।

ଏସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ମତାମତ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିରଞ୍ଚି ନାରାୟଣ ବାରିକଙ୍କୁ ପଚାରିବାରୁ, ଏହା ଏକ ଜଘନ୍ୟ ଘଟଣା। ଅଭିଯୋଗ ସତ ହୋଇଥିଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe