ଘରକୁ ପଠାଯାଉଥିବା ୫୭ ମଥୁରା ତୀର୍ଥ ଯାତ୍ରୀଙ୍କୁ ପୁଣି ଫେରାଇ ଅଣାଗଲା, ଗତ ୩୦ ମାର୍ଚ୍ଚରୁ ରାଉରକେଲା ସଙ୍ଗରୋଧ କକ୍ଷରେ ଥିଲେ

Advertisment

ଘରକୁ ନ ପଠାଇଲେ ପରିବାର ସହ ଅନଶନ ଧମକ

ଘରକୁ ନ ପଠାଇଲେ ପରିବାର ସହ ଅନଶନ ଧମକ

ଘରକୁ ପଠାଯାଉଥିବା ୫୭ ମଥୁରା ତୀର୍ଥ ଯାତ୍ରୀଙ୍କୁ ପୁଣି ଫେରାଇ ଅଣାଗଲା, ଗତ ୩୦ ମାର୍ଚ୍ଚରୁ ରାଉରକେଲା ସଙ୍ଗରୋଧ କକ୍ଷରେ ଥିଲେ

ରାଉରକେଲା: ରାଉରକେଲା ସଙ୍ଗରୋଧ କକ୍ଷରେ ୧୪ ଦିନ ରହିବା ପରେ ଜିଲ୍ଲା ପ୍ରଶାସନ ଘରକୁ ଛାଡିଥିବା ୫୭ ମଥୁରା ତୀର୍ଥଯାତ୍ରୀଙ୍କୁ ପୁଣି ଫେରାଇ ଆଣିଛନ୍ତି। ରାଉରକେଲାରୁ ୧୩୦ କି.ମି. ଦୂର ଯିବା ପରେ ଫେରାଇ ଅଣାଯାଇଥିବାରୁ ତୀର୍ଥ ଯାତ୍ରୀମାନେ ସଙ୍ଗରୋଧ କକ୍ଷରେ ପାଟିତୁଣ୍ଡ କରିଥିଲେ। କେହି ଆହାର ଗ୍ରହଣ କରି ନଥିଲେ। ସମସ୍ତେ ଘରକୁ ଯିବା ସହ ନିଜ ନିଜ ପଞ୍ଚାୟତ ସଙ୍ଗରୋଧ କକ୍ଷରେ ଛାଡି ଦେବାକୁ ଜିଦ୍‌ ଧରିଥିଲେ। ନ ଛାଡିଲେ ସରଙ୍ଗରୋଧ କକ୍ଷ ଓ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବାକୁ ‌ଧମକ ଦେଇଥିଲେ। ଯାହା ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପ୍ରଶାସନିକ ଅଧିକାରୀ ଓ ସଙ୍ଗରୋଧ କକ୍ଷ ଦାୟିତ୍ବରେ ଥିବା କର୍ମଚାରୀମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲେ। ସମସ୍ତଙ୍କୁ ଖାଇବାକୁ ଦିଆଯିବା ପରେ ପୁଣି ସଙ୍ଗରୋଧ କକ୍ଷରେ ରଖାଯାଇଛି। ମିଳିଥିବା ସୂଚନା ମୁତାବକ ୧୪ ଦିନ ସଙ୍ଗରୋଧ କକ୍ଷରେ ରହିବା ପରେ ୫୭ ତୀର୍ଥଯାତ୍ରୀ ଜିଲ୍ଲା ପ୍ରଶାସନ ଘରକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଗତକାଲି ଦେବଗଡ, ସୋନପୁର, ବୌଦ୍ଧ ତିନି ଜିଲ୍ଲାର ଜିଲ୍ଲା ପ୍ରଶାଶନକୁ ଚିଠି ଲେଖିଥିଲେ। ରାଉରକେଲାରୁ ଗୋଟିଏ ବସ୍‌, ଦୁଇଟି ବୋଲେରୋ ଓ ଗୋଟିଏ ସ୍କୋର୍ପିଓ ଯାଉଥିବା ୫୭ ତୀର୍ଥଯାତ୍ରୀଙ୍କୁ ଛାଡି ଦେବାକୁ ଅନୁରୋଧ କରିଥିଲେ। ସେହି ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୧୨ଟାରେ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ରାଉରକେଲାରୁ ଛଡା ଯାଇଥିଲା।

ସେମାନେ ୧୩୦ କି.ମି. ଦୂର ସୁନ୍ଦରଗଡ ଜିଲ୍ଲାରୁ କିଛି ବାଟ ଗଲାପରେ ତିନି ଜିଲ୍ଲାର ପ୍ରଶାସନ ଜିଲ୍ଲାରେ ପୁରାଇ ଦେବାକୁ ରାଉରକେଲା ଜିଲ୍ଳା ପ୍ରଶାସନକୁ ଜଣାଇଥିଲେ। ତତ୍‌କ୍ଷଣାତ୍‌ ସଙ୍ଗରୋଧ କକ୍ଷ ଦାୟିତ୍ବରେ ଥିବା ଅଧିକାରୀ ଗାଡି ଡ୍ରାଇଭରଙ୍କୁ ଫୋନ୍‌ କରିଥିଲେ। ରାଉର‌କେଲା ଫେରି ଆସିବାକୁ କହିଥିଲେ। କିଛି ଉପାୟନ ପାଇ ଡ୍ରାଇଭର ପୁଣି ରାଉରକେଲାକୁ ଗାଡି ଫେରାଇଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ପର୍କ ସ୍ଥାପନ ହୋଇ ପାରି ନଥିଲା। ଉଲ୍ଲେଖଯୋଗ୍ୟ, ଗତ ୩୦ରେ ବୃନ୍ଦାବନରୁ ଫେରୁଥିବା ଦେବଗଡ, ସୋନପୁର, ବୌଦ୍ଧର ୫୭ ତୀର୍ଥଯାତ୍ରୀଙ୍କୁ ରାଉରକେଲା ଛେଣ୍ଡ ବାବବୁଡି ବସ୍ତି ସଙ୍ଗରୋଧ କକ୍ଷରେ ରଖାଯାଇଥିଲା। ସେମାନେ ବିହାରର ରାଞ୍ଚି ଓ ଗୟା ଦେଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଦେଇ ରାଉର‌କେଲା ସହର ଭିତରକୁ ପଶୁଥିଲେ। ଗାଡି ଯାଞ୍ଚ ଦାୟିତ୍ବରେ ଥିବା ପୁଲିସ ସେମାନଙ୍କୁ ଧରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ଜିଏଚ୍‌ରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସଙ୍ଗରୋଧ କକ୍ଷରେ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe