କରୋନା ଯୋଦ୍ଧା ସମ୍ମାନ ସଭା ବିବାଦ, ଝିଅକୁ ପ୍ରତିନିଧି ପଦରୁ ହଟାଇଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

ରାଜ୍ୟରେ ଟିକାର ଅଭାବ ନେଇ କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ା: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ତାଙ୍କ ତାଙ୍କ ପ୍ରତିନିଧି ପଦରୁ ଝିଅ ଦୀପାଳି ଦାସଙ୍କୁ ହଟାଇ ଦେଇଥିବା ଜଣାଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଚିଠିରେ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଲାପାଳଙ୍କୁ ଅବଗତ କରିଥିବା ଜଣାଯାଇଛି। ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଚିଠି ନମ୍ବର ଏନ୍‌ଡି/୧୧୨/୨୦୧୯ ତା. ୨.୧୨.୨୦୧୯ରେ ଦୀପାଳିଙ୍କୁ ପ୍ରତିନିଧି ଭାବରେ ତାଙ୍କ ଅନୁପସ୍ଥିତିରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାଶାସନିକ ଓ ବିକାଶମୂଳକ କାର୍ଯ୍ୟର ତଦାରଖ କରିବେ ବୋଲି କ୍ଷମତା ଅର୍ପଣ କରିଥିଲେ। ତେବେ ଏହି ଚିଠିକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରତ୍ୟାହାର କରିଥିବା ନେଇ ଆଉ ଏକ ଚିଠି ଗତ ମେ ୩୦ ତାରିଖ ଦିନ ପ୍ରଦାନ କରି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ମେ ୩୦ ତାରିଖ ଚିଠିରେ ପୂର୍ବରୁ ଦିଆଯାଇଥିବା ଦୁଇଗୋଟି ଚିଠି. ନମ୍ବର ୯୨୩/ଏମ୍‌ଏଚ୍‌ଏଫ୍‌ଡବ୍ଲୁ ୨୫/୧୧/୧୯ ଓ ଏନ୍‌ଡି/୧୧୨/୨୦୧୯ ତା. ୨.୧୨.୨୦୧୯ ଚିଠିକୁ  ପ୍ରତ୍ୟାହାର ଓ ବାତିଲ କରାଗଲା ବୋଲି ଉଲ୍ଲେଖ ଥିବାବେଳେ ତାଙ୍କ  ନୋମିନି ଓ ପ୍ରତିନିଧିଙ୍କ ନାମ ପରବର୍ତ୍ତୀ ସମୟରେ ଜଣାଇବେ ବୋଲି ଲେଖିଛନ୍ତି।

ଗତ ୨୨ ତାରିଖ ଦିନ ଝାରସୁଗୁଡ଼ା ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ସ୍ବତନ୍ତ୍ର ବୈଠକ କରାଯାଇଥିଲା। ଲକ୍‌ଡାଉନ୍‌ ସମୟରେ ଅସହାୟ ଓ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଥିବା କିଛି ସ୍ବେଚ୍ଛସେବୀ ଓ ସଂଗଠନମାନଙ୍କୁ ଏହି ବୈଠକରେ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସ୍ବେଚ୍ଛାସେବୀ ସଂଗଠନ ଏଥିରେ ସହଯୋଗ କରିଥିଲେ। ତେବେ ଏହି ବୈଠକକୁ ନେଇ  ବିବାଦ ଦେଖା ଦେଇଥିଲା। ମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ ଏହି ବୈଠକରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ କଂଗ୍ରେସ ପକ୍ଷରୁ ଏକ ଏତଲା ଥାନାରେ ଦାଖଲ କରିଥିଲା। ଗତ ୨୮ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ନାମରେ ଆଉ ଏକ ଏତଲା ଦେଇଥିଲେ। ପୁଲିସ ଏହି ଏତଲାକୁ ଗ୍ରହଣ କରି ଦଫା ୧୮୮/୪୪୭ ଓ ୨୬୯ ରେ ଏକ ମାମଲା ରୁଜୁ  କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe