ଚତୁର୍ଥ ପର୍ଯ୍ୟାୟର ସଫଳତା ୩ ଜିଲ୍ଲାବାସୀଙ୍କ ହାତରେ

Advertisment

୧୦% ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ବିବେକହୀନ କାର୍ଯ୍ୟକୁ ନିନ୍ଦା

୧୦% ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ବିବେକହୀନ କାର୍ଯ୍ୟକୁ ନିନ୍ଦା

ଚତୁର୍ଥ ପର୍ଯ୍ୟାୟର ସଫଳତା ୩ ଜିଲ୍ଲାବାସୀଙ୍କ ହାତରେ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ବିଦେଶରୁ, ଦ୍ବିତୀୟ ପର୍ଯ୍ୟାୟ ନିଜାମୁଦ୍ଦିନ୍ ଓ ତୃତୀୟ ପର୍ଯ୍ୟାୟ କୋଲକାତା ଫେରନ୍ତାଙ୍କ ଯୋଗୁଁ କରୋନା ସଂକ୍ରମଣ ହୋଇଛି। ତେବେ ଲକ୍‌ଡାଉନ୍ ଖୋଲିବା ପରେ ରାଜ୍ୟକୁ ଲକ୍ଷାଧିକ ଲୋକ ଫେରିବାର ସମ୍ଭାବନା ରହିଛି। ଏହି ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳତା ହାର ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାବାସୀଙ୍କ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଶ୍ରୀ ବାଗ୍‌ଚୀ କହିଲେ, ରାଜ୍ୟ ବାହାରୁ ଅତି ସନ୍ତର୍ପଣରେ ଲୋକମାନେ ଓଡ଼ିଶାକୁ ଆସୁଛନ୍ତି। ସଙ୍ଗରୋଧରେ ନ ରହିବା ଫଳରେ ପରିବାର ବୟସ୍କ ଓ ଶିଶୁମାନଙ୍କୁ ବିପଦରେ ପକାଉଛନ୍ତି। ବାଲେଶ୍ବର, ଭଦ୍ରକ ଓ ଯାଜପୁର ଭଳି ସୀମାନ୍ତ ଜିଲ୍ଲାରେ ଅନ୍ୟ ରାଜ୍ୟରୁ ପଶି ଆସିବା ସହଜ। ଏହି ୩ ଜିଲ୍ଲାରେ କରୋନା ଅବସ୍ଥା ସଂଗିନ ହେବାର ଆଶଙ୍କା ଥିବାରୁ ୬୦ଘଣ୍ଟାର ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଏହି ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ‌କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯିବ। ଭୁବନେଶ୍ବରରେ ଏହି ସଟ୍‌ଡାଉନ୍ କରାଯିବା ଯୋଗୁଁ ସଫଳତା ମିଳିଥିଲା। ଫଳରେ ୧୪ଏପ୍ରିଲ ପରଠାରୁ ରାଜଧାନୀରେ କରୋନାର ଆଉ କୌଣସି ନୂଆ ମାମଲା ଦେଖିବାକୁ ମିଳିନାହିଁ। ତେଣୁ ଏହି ୩ଜିଲ୍ଲାର ଲୋକମାନେ ଆଗେଇ ଆସିବା ଦରକାର। ଅଲଗା ରହିବା ସହ ଯଦି କାହା ନିକଟରେ କରୋନାର କୌଣସି ଲକ୍ଷଣ ରହିଛି, ତା’ ହେଲେ ‌ନମୁନା ପରୀକ୍ଷା‌ରେ ସହଯୋଗ କରନ୍ତୁ। ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଲେ କଣ୍ଟାକ୍ଟ ଟ୍ରେସିଂରେ ମଧ୍ୟ ସହଯୋଗ କରନ୍ତୁ। ପ୍ରତି ଜିଲ୍ଲାରେ ଏବେ ସ୍ବତନ୍ତ୍ରଭାବେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି।

ଲକ୍‌ଡାଉନ୍ କିମ୍ବା ସଟ୍‌ଡାଉନ୍‌ର ୯୦ପ୍ରତିଶତ ସଫଳତାରେ କୌଣସି ଲାଭ ହେବ ନାହିଁ। ଆମକୁ ଶତପ୍ରତିଶତ ସଫଳତା ହାସଲ କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଥିଲେ ଯେ ୧୦ ପ୍ରତିଶତ ବ୍ୟକ୍ତି ଆମ୍ବୁଲାନ୍‌ସର ଅପବ୍ୟବହାର କରୁଛନ୍ତି। ଫଳରେ ଅନ୍ୟ ଆମ୍ବୁଲାନ୍‌ସଗୁଡ଼ିକୁ ଯାଞ୍ଚ କରିବାକୁ ପଡ଼ୁଛି। ମୁଖ୍ୟମନ୍ତ୍ରୀ ଆମ୍ବୁଲାନ୍‌ସକୁ ବାଟ ଛାଡ଼ି ଦେଉଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଭକ୍ତମାନେ ଆମ୍ବୁଲାନ୍‌ସକୁ କିଛି ବର୍ଷ ତଳେ ବାଟ ଛାଡ଼ି ଦେଇଥି‌ଲେ। ଆମ୍ବୁଲାନ୍‌ସ ବିଶ୍ବାସରେ ଚାଲିଥାଏ। ଯେଉଁ ଆମ୍ବୁଲାନ୍‌ସ ଡ୍ରାଇଭର ଟଙ୍କା ଲୋଭରେ ଏଭଳି କାର୍ଯ୍ୟ କରିପାରେ, ସେହି ଆମ୍ବୁଲାନ୍‌ସରେ ସଂକ୍ରମଣ ଯେ ନ ହେବ, ତାହାର ଗ୍ୟାରେଣ୍ଟି ନାହିଁ ‌ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe