ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

Advertisment
ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଦେଶରୁ, ଦ୍ବିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ୍ ଫେରନ୍ତା ଓ ତୃତୀୟ ପର୍ଯ୍ୟାୟରେ କୋଲକାତା ଫେରନ୍ତାଙ୍କ ପାଇଁ ସଂକ୍ରମଣ ହୋଇଛି। ତେବେ ଲକ୍‌ଡାଉନ୍ ଖୋଲିବା ପରେ ରାଜ୍ୟ ବାହାରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଘରକୁ ଫେରିବେ। ଏ ଦୃଷ୍ଟିରୁ ଚତୁର୍ଥ ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଏହି ୩ଟି ପର୍ଯ୍ୟାୟକୁ ସଫଳ ଭାବେ ଅତିକ୍ରମ କରି ନ ଥିଲେ ବର୍ତମାନର ସଫଳତା ପାଇପାରି ନ ଥାନ୍ତେ । ପୂର୍ବର ଏହି ୩ଟି ପର୍ଯ୍ୟାୟ ଆଗାମୀ ଦିନରେ ଆସୁଥିବା ପର୍ଯ୍ୟାୟ ପାଇଁ ଆମମାନଙ୍କୁ ପ୍ରସ୍ତୁତ କରିଛି। ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିବାକୁ ଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଆଗୁଆ ପ‌ଦକ୍ଷେପ ସ୍ବରୂପ ପଞ୍ଜୀକରଣ ବ୍ୟବସ୍ଥା କରିଥିଲେ। ୪୬୦୦ରୁ ଅଧିକ ଲୋକ ପଞ୍ଜୀକରଣ କରିବା ସହିତ ସ୍ବେଚ୍ଛାକୃତ ସଙ୍ଗରୋଧ ବ୍ୟବସ୍ଥା ପାଇଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାର୍ଚ ଶେଷ ସୁଦ୍ଧା ୧୦ ତଳକୁ ରହିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ୍ ଫେରନ୍ତାଙ୍କ ଜରିଆରେ କରୋନା ସଂକ୍ରମଣ ହୋଇଥିଲା। ଗ୍ରାମାଞ୍ଚଳରେ ସାମୂହିକ ଚେତନା ଓ ସହଯୋଗ ପାଇଁ ସମସ୍ୟାକୁ ଆୟତ୍ତ କରିବା ସମ୍ଭବ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରୁ ଫେରାନ୍ତଙ୍କ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣ ହୋଇଥିଲା। ଗ୍ରାମବାସୀ ଓ ପଞ୍ଚାୟତଙ୍କ ସାବଧାନତା ଫଳରେ ସଂକ୍ରମଣକୁ ଏ ପର୍ଯ୍ୟନ୍ତ ଆୟତ୍ତରେ ରଖାଯାଇ ପାରିଛି।

ଶ୍ରୀ ବାଗଚୀ କହିଥିଲେ ଯେ, ଲକ୍‌ଡାଉନ୍ ଖୋଲିବା ପରେ ବାହାର ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଭାଇ ଭଉଣୀ ଭିଟାମାଟିକୁ ଫେରିବେ। ଗତ ୪ ସପ୍ତାହ ଧରି ସେମାନେ ଭୋକ ଉପାସ ଓ ଭୟରେ ବାହାରେ ପଡ଼ି ରହିଛନ୍ତି। ଘରକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ମାତ୍ର ଫେରିବା ମାତ୍ରେ ସେମାନେ ଦେଖିବେ ଯେ ତାଙ୍କ ପାଇଁ ଘରର କବାଟ ଖୋଲା ନାହିଁ, ଅଣସରର କବାଟ ଖୋଲାଅଛି। ଯାହାକୁ ସେମାନେ ନିଜର ବୋଲି ଭାବୁଥିଲେ ସେ ଆଶଙ୍କାର ଆଖିରେ ତାଙ୍କୁ ଚାହିଁବେ। ଏକ ଅଭାବନୀୟ ପରିସ୍ଥିତି ଆମ ସାମ୍ନାରେ ଆସି ଠିଆ ହୋଇଛି। ଝିଅ/ପୁଅଟିଏ ଘରକୁ ଫେରିଆସିଲେ ତାକୁ ସ୍ନେହ ଓ ଆଦରରେ ସ୍ବାଗତ କରିବା ପାଇଁ ଚେଷ୍ଟା କରିବା। ତା’ ମନ କଥା ବୁଝିବା ସହିତ ତାକୁ ସ୍ବାନ୍ତ୍ବନା ଓ ଯତ୍ନ ‌ନେବା। ଏ ମାନବିକତା କୌଣସି ସରକାରୀ ସଂସ୍ଥା ଦେଇପାରିବ ନାହିଁ। ଏକାଠି ପାଠ ପଢ଼ିଥିବା ସେହି ଗାଁର ସାଙ୍ଗସାଥୀମାନେ ଏହାକୁ ଦେଇପାରିବେ। ଚତୁର୍ଥ ପର୍ଯ୍ୟାୟର ଯେଉଁ ମହାନାୟକମାନେ ରହିଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧୁବାଦ ବୋଲି ସେ କହିଥିଲେ।

ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଧରିତ୍ରୀ ଦିବସ’ର ବାର୍ତାକୁ ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ମାନବ ଜାତି ଓ ପୃଥିବୀର ‌ସମ୍ବେଦନଶୀଳତା ବାବଦରେ ଆମକୁ ସ୍ମରଣ କରାଇ ଦେଇଛି। ଆମ ଦ୍ବାରା ସୃଷ୍ଟି ହୋଇଥିବା କାର୍ବନ ପଦଚିହ୍ନ ହ୍ରାସ କରି ପୃଥିବୀକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ଆମେ ସମସ୍ତେ ଶପଥ ନେବା। ଘରେ ରହିବା ଓ ପ୍ରିୟ ପୃଥିବୀର ଉଦାରତା ପ୍ରତି କୃତଜ୍ଞତା ସ୍ବୀକାର କରିବାକୁ ମୁଖ୍ୟମନ୍ତ୍ରୀ ବାର୍ତାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe