କରୋନା ଭାଇରସ୍‌ ନେଇ ଭୁବନେଶ୍ୱରରେ ତତ୍ପରତା : ୪ ଜଣଙ୍କ ସ୍ୱାବ୍ ଓ ରକ୍ତ ନମୁନା ସଂଗ୍ରହ

୧୪ ଦିନ ନିରୀକ୍ଷଣରେ ରହିବେ, ବିମାନବନ୍ଦରରେ ମକ୍ ଡ୍ରିଲ୍

କରୋନା ରିପୋର୍ଟ ନେଗେଟିଭ୍‌, ଏସ୍‌ସିବିରୁ ଘରକୁ ଫେରିଲେ କଟକ ଛାତ୍ରୀ

Times of India

ଭୁବନେଶ୍ବର: କରୋନା ଭୟ ସାରା ଦେଶରେ ଲାଗି ରହିଛି। ତେବେ ଓଡ଼ିଶ‌ାରେ ଏହି ‌ରୋଗ ସଂକ୍ରମଣ ନେଇ ବିଶେଷ କିଛି ଆତଙ୍କର କାରଣ ନ ଥିଲେ ମଧ୍ୟ ଜାନୁଆରି ୧୫ ତାରିଖ ପରେ ସଂକ୍ରମିତ ଦେଶରୁ ଆସିଥିବା ଲୋକମାନଙ୍କୁ ନଜରରେ ରଖାଯାଇଛି। ଏହି‌ ପରିପ୍ରେକ୍ଷୀରେ ସଂକ୍ରମିତ ଦେଶରୁ ଆସିଥିବା ରାଜ୍ୟର ୪ଜଣ ବ୍ୟକ୍ତିଙ୍କ ସ୍ବାବ୍ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପରୀକ୍ଷା ପାଇଁ ପଠାଯାଇଛି। ଜାନୁଆରି ୧୫ ତାରିଖ ପରେ ଏହି ୪ଜଣ ବ୍ୟକ୍ତି କରୋନା ସଂକ୍ରମିତ ଦେଶରୁ ଓଡ଼ିଶାକୁ ଫେରିଥିଲେ। ସମସ୍ତଙ୍କୁ ଏବେ ହୋମ୍ ଆଇସୋଲୋସନ୍‌ରେ ରଖାଯିବା ସହ ସ୍ବାସ୍ଥ୍ୟ ବିଭାଗର ଏକ ସର୍ଭେଲାନ୍‌ସ ଟିମ୍ ଏହି ବ୍ୟକ୍ତିମାନଙ୍କ ସହ ଯୋଗାଯୋଗରେ ରହିବେ। ଆସନ୍ତା ୧୪ ଦିନ ପାଇଁ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଏଥିରେ ରାଜଧାନୀର ଫରେଷ୍ଟ ପାର୍କ ଅଞ୍ଚଳର ଜଣେ ବ୍ୟକ୍ତି ରହିଥିବା ବେଳେ ଅନ୍ୟ ଜଣେ ଏକ ମଲ୍‌ରେ କାର୍ଯ୍ୟ କରୁଥିବା ଚୀନ୍‌ର ଇଞ୍ଜିନିୟର ରହିଛନ୍ତି। ରାଜଧାନୀରେ ଚୀନ୍‌ର କିଛି କର୍ମଚାରୀ କାର୍ଯ୍ୟ କରୁଥିବାରୁ କରୋନା ଭୂତାଣକୁ ନେଇ ହଇଚଇ ସୃଷ୍ଟି ହେବା ପରେ ସେମାନେ ସ୍ବାସ୍ଥ୍ୟ ବିଭାଗର ନଜରରେ ରହିଥିଲେ। କରୋନା ଭୂତାଣୁ ପରୀକ୍ଷା ନେଇ ରାଜ୍ୟରେ କୌଣସି ବ୍ୟବସ୍ଥା ନ ଥିବାରୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ, ଆର୍‌ଏମ୍‌ଆର୍‌ସି ଜରିଆରେ ଏହାକୁ ଏନ୍‌ଆଇଭି ପୁନେକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।

ଅପରପକ୍ଷରେ ନଭେଲ କରୋନା ଭୂତାଣୁର ସମ୍ଭାବ୍ୟ ସଂକ୍ରମଣ ମୁକାବିଲା ପାଇଁ ବିମାନବନ୍ଦରରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା। ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ଅଜିତ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ସରକରୀ ଗାଇଡଲାଇନ୍ ଅନୁସାରେ ମକ୍-ଡ୍ରିଲ କରାଯାଇଥିଲା। ପଦକ୍ଷେପ ଅନୁସାରେ, ପ୍ରଥମେ ଡାକ୍ତରଙ୍କ ଦ୍ବାରା ସମ୍ଭାବ୍ୟ ସଂକ୍ରମଣ ଲକ୍ଷଣ ‌ଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ପରେ ପ୍ରତିରୋଧ ବ୍ୟବସ୍ଥା ଅନୁସାରେ ଆମ୍ବୁଲାନ୍‌ସ ଅଣାଯାଇ କ୍ୟାପିଟାଲ ହସ୍ପିଟାଲ ଆଇସୋଲେସନ୍‌ ୱାର୍ଡରେ ପହଞ୍ଚା ଯାଇଥିଲା। ସେଠାରେ ଡାକ୍ତରୀ ପରୀକ୍ଷା ପରେ ସ୍ବାବ୍ ଓ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏହାସହ ବିମାନବନ୍ଦରରେ ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରୁ କେବଳ ମାଲେସିଆକୁ ସିଧାସଳଖ ବିମାନ ଉଡ଼ୁଥିବାରୁ ଏଥିରେ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଥର୍ମାଲ ସ୍କ୍ରିନିଂରେ ଜଣେ ବ୍ୟକ୍ତି ଦେହରେ କେତେ ତାପମାତ୍ରା ରହିଛି, ତାହା ଜଣାପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe