Times of India
ଭୁବନେଶ୍ବର : କରୋନା ଭୂତାଣୁ ସନ୍ଦେହରେ ରାଜ୍ୟରୁ ପୁନେସ୍ଥିତ ଏନ୍ଆଇଭିକୁ ପଠାଯାଇଥିବା ସମସ୍ତ ନମୁନା ନେଗେଟିଭ୍ ରହିଛି। ଓଡ଼ିଶାରୁ ଏ ପର୍ଯ୍ୟନ୍ତ ସମୁଦାୟ ୭ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ କୌଣସି ନମୁନାରେ କରୋନା ଭୂତାଣୁ ନ ଥିବା ସ୍ପଷ୍ଟ ହୋଇଛି। ଯାହାଫଳରେ ରାଜ୍ୟରେ କରେନା ଭୂତାଣକୁ ନେଇ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟ ଏକପ୍ରକାର ଦୂର ହୋଇଛି।
ଏଯାଏ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ କରୋନା ଆକ୍ରାନ୍ତ ସନ୍ଦେହରେ ୪୩ଜଣକୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୦ଜଣ ଘରେ ଥିବା ବେଳେ ୩ଜଣ ଆଇସୋଲେସନ୍ ୱାର୍ଡରେ ଆଡମିଟ୍ ହୋଇଛନ୍ତି। ଏହାସହ କରୋନା ଭୂତାଣୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସନ୍ଦେହରେ ରାଜ୍ୟରୁ ସମୁଦାୟ ୭ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପୂର୍ବରୁ ୬ଟି ନମୁନା ନେଗେଟିଭ୍ ରହିଥିବା ବେଳେ ଆଜି ଆଉ ଗୋଟିଏ ନମୁନାର ରିପୋର୍ଟ ଆସିଛି। ତାହା ବି ନେଗେଟିଭ୍ ରହିଥିବା ପୁନେସ୍ଥିତ ଏନ୍ଆଇଭି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବିଦ୍ୟାଳୟଗୁଡିକରେ କରୋନା ଭୂତାଣୁ ସଚେତନତା ପାଇଁ ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିଲା। ଆଜି ସମସ୍ତ ସ୍କୁଲ୍କୁ ଏହି ଗାଇଡଲାଇନ୍ ପଠାଇ ଦିଆଯାଇଛି। ସ୍କୁଲରେ ଛାତ୍ରଛାତ୍ରୀମାନେ କିଭଳି ସତକର୍ତା ଅବଲମ୍ବନ କରିବେ ସେ ସଂପର୍କରେ ଚିତ୍ର ସମ୍ବଳିତ ଲିଫ୍ଲେଟ୍ ବଣ୍ଟନ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Follow Us