Times of India
କଟକ/ଭୁବନେଶ୍ବର : କରୋନା ଭାଇରସ୍ ଆକ୍ରାନ୍ତ ସନ୍ଦେହରେ ଏସ୍ସିବିରେ ଭର୍ତ୍ତି ହୋଇଥିବା ଚୀନ୍ ଫେରନ୍ତା ଛାତ୍ରୀଙ୍କ ପରୀକ୍ଷା ରିପୋର୍ଟ ଆଜି ନେଗେଟିଭ୍ ଆସିଛି। ଫଳରେ ତାଙ୍କୁ ଘରକୁ ପଠାଇ ଦେଇଛନ୍ତି ଏସ୍ସିବି କର୍ତ୍ତୃପକ୍ଷ। ତାଙ୍କ ଘର କଟକ ବିଡାନାସୀ ଅଞ୍ଚଳରେ। ଛାତ୍ରୀ ଜଣକ ଚୀନ୍ର ଉହାନ ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନରେ ପିଜି କରୁଥିଲେ। ସେଠାରେ କରୋନା ଭାଇରସ୍ ବ୍ୟାପିବା ପରେ ସେ ଜାନୁଆରି ୧୯ ତାରିଖରେ କଟକ ଫେରି ଆସିଥିଲେ।
ଏହାକୁ ମିଶାଇ ରାଜ୍ୟରୁ ପଠାଯାଇଥିବା ୭ଟି ନମୁନା ମଧ୍ୟରୁ ୬ଟି ନେଗେଟିଭ୍ ରହିଛି। ସେମାନଙ୍କ ମଧ୍ୟରୁ ଏସ୍ସିବିରେ ୩ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ। ପୂର୍ବରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏବେ ୱାର୍ଡରେ ଜଣେ ଯୁବକ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ହେଉଥିବା ଯୁବକ ଜଣକ ହେଉଛନ୍ତି ଜଗତ୍ସିଂହପୁର ଜିଲ୍ଲାର ଜଣେ ଇଂଜିନିୟର। ସେ ହଂକଂରୁ ଚୀନ ଯାଇ ସେଠାରୁ ଫେରିଥିବାବେଳେ ସନ୍ଦେହରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିଲେ ବି ରିପୋର୍ଟକୁ ଅପେକ୍ଷା କରାଯାଉଛି ବୋଲି ବଡ଼ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ଡିଏମ୍ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ୩୦ଟି ଶଯ୍ୟା ସଂରକ୍ଷିତ ରଖିବା ପାଇଁ ନିୟମ ରହିଛି। କିନ୍ତୁ ଏହି ରୋଗର ଗୁରୁତ୍ବକୁ ନଜରରେ ରଖି ଏସ୍ସିବିରେ ୭୪ଟି ଶଯ୍ୟା ସଂରକ୍ଷିତ ରଖାଯାଇଛି। କରୋନା ଭୂତାଣୁ କିଭଳି ଓଡ଼ିଶାରେ ପ୍ରବେଶ କରିବ ନାହିଁ ସେଥିପାଇଁ ସମସ୍ତ ଆଗୁ୍ଆ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ପ୍ରଫେସର ମହାନ୍ତି କହିଛନ୍ତି।
Follow Us