କନ୍ଧମାଳରେ କରୋନା ଭାଇରସ୍‌! ଆଶଙ୍କାରେ ଚୀନ ଫେରନ୍ତା ଡାକ୍ତରୀ ଛାତ୍ର, ପରୀକ୍ଷା ପାଇଁ ଏସ୍‌ସିବି ପଠାଗଲା

Advertisment
କନ୍ଧମାଳରେ କରୋନା ଭାଇରସ୍‌! ଆଶଙ୍କାରେ ଚୀନ ଫେରନ୍ତା ଡାକ୍ତରୀ ଛାତ୍ର, ପରୀକ୍ଷା ପାଇଁ ଏସ୍‌ସିବି ପଠାଗଲା

ଫୁଲବାଣୀ : କରୋନା ଭାଇରସ୍‌କୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାକୁ ଏହି ଭାଇରସ୍‌ ଆସିଥିବା ସନ୍ଦେହ କରାଯାଉଛି। କନ୍ଧମାଳ ବାସିନ୍ଦା ଚୀନ୍‌ ଫେରନ୍ତା ଜଣେ ଡାକ୍ତରୀ ଛାତ୍ର ୨/୩ ଦିନ ହେଲା ଅସୁସ୍ଥ ଅଛନ୍ତି। କାଶ, କଫ କମୁ ନଥିବାରୁ ସେ ନିଜେ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇ ଥାଇପାରନ୍ତି ବୋଲି ସନ୍ଦେହ କରି ଡାକ୍ତରୀ ପରାମର୍ଶ ଲୋଡ଼ିଛନ୍ତି। ଏ ନେଇ ସେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ରକ୍ତ ପରୀକ୍ଷା କରିବାକୁ ନିବେଦନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ କରୋନା ଭାଇରସ୍‌କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଆଜି ରାତିରେ ସମ୍ପୃକ୍ତ ଛାତ୍ରଙ୍କ ଆନୁଷଙ୍ଗିକ ପରୀକ୍ଷା ପାଇଁ କଟକର ଏସ୍‌ସିବି ମେଡିକାଲକୁ ପଠାଯାଇଛି।

ଚୀନ‌୍‌ରେ ଶେଷ ବର୍ଷ ଡାକ୍ତରୀ ପଢୁଥିବା କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ମୃତ୍ୟୁଞ୍ଜୟ ମୁନି(୨୨) ଗତ ୧୧ ତାରିଖରେ ଘରକୁ ଆସିଥିଲେ। ହେଲେ ୧୫ ତାରିଖ ପରେ ଚୀନ୍‌ରେ କରୋନା ଭାଇରସ୍‌ ବ୍ୟାପିଥିବା ଖବର ଆସିଥିଲା। ଦୁଇ ତିନି ଦିନ ହେଲା ମୃତ୍ୟୁଞ୍ଜୟଙ୍କୁ ଥଣ୍ଡା ଓ କାଶ ହେଉଛି। ଔଷଧ ଖାଇଲେ ବି ସୁସ୍ଥ ନ ହେବାରୁ ସେ ନିଜେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ରକ୍ତ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଏହା ଆଧାରରେ ଆଜି ଛାତ୍ର ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତାଙ୍କୁ ଏଠାରେ ଅବ୍‌ଜର୍‌ଭେସନ୍‌ରେ ରଖାଯାଇଛି। ତେବେ ଏଠା‌ରେ ପରୀକ୍ଷା ସୁବିଧା ନଥିବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନା ପଠାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି। ଏହା ବ୍ୟତୀତ ଜିଲ୍ଲାରେ ଏ ନେଇ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ରକ୍ତ ପରୀକ୍ଷା ପୂର୍ବରୁ ଛାତ୍ର ଜଣକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା କୁହାଯାଇ ପାରିବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe