ସମସ୍ତଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ଅନୁରୋଧ
ଘରେ ପହଞ୍ଚିବ ପରିବା, ଅତ୍ୟାବଶ୍ୟକ ସାମଗ୍ରୀ
ଡାକ୍ତରୀ ଟିମ୍ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବେ
ଭୁବନେଶ୍ବର : ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ସୂର୍ଯ୍ୟନଗର ଅଞ୍ଚଳରୁ ଚିହ୍ନଟ ହେବା ପରେ ବିଏମ୍ସି ଆଜି ସଂଧ୍ୟାରେ ଏହି ଅଞ୍ଚଳକୁ ସିଲ୍ କରିଛି। ବିଏମ୍ସି ପକ୍ଷରୁ ଗୋପବନ୍ଧୁ ଛକରୁ ଏଲ୍ଆଇସି ଛକ, ଏଲ୍ଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ସିରିପୁର ଛକ, ସିରିପୁର ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳକୁ କାହାକୁ ଛଡ଼ାଯିବନି କି ଏଠାରୁ କେହି ବାହାରକୁ ଯିବେନି। ଏହି ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାରିକେଡ୍ ଲଗାଯିବ। ଏହାସହ ସ୍ଥାନୀୟ ବାସିନ୍ଦାଙ୍କୁ ଘରେ ସଙ୍ଗରୋଧ ହୋଇ ରହିବାକୁ କୁହାଯାଇଛି।
ବିଏମ୍ସି ପକ୍ଷରୁ ଆଜି ଏହି ୫ମ କରୋନା ଆକ୍ରାନ୍ତଙ୍କ ନାମ ପ୍ରକାଶ କରାଯାଇଛି। ତାଙ୍କ ନାମ ପ୍ରଦୀପ୍ତ କୁମାର ଦଳବେହେରା। ସେ ବିଏମ୍ସିର ୱାର୍ଡ-୪୬, ୟୁନିଟ-୭ର ପ୍ଲଟ୍ ନଂ-୩୭ରେ ରହୁଥିଲେ। ନିକଟରେ ସେ ବିଦେଶ କି ବାହାରକୁ ଯାଇନଥିଲେ ବି ତାଙ୍କୁ କିପରି କରୋନା ହେଲା ସେନେଇ ତନାଘନା ଚାଲିଛି। ବାହାରକୁ ନଯାଇ ବି କରୋନା ହୋଇଥିବାରୁ ତୃତୀୟ ପର୍ଯ୍ୟାୟର ଆଶଙ୍କାକୁ ଏଡାଇବା ପାଇଁ କରୋନା ଆକ୍ରାନ୍ତଙ୍କ ନାମ ସର୍ବସାଧାରଣ କରାଯାଇଛି ଏବଂ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ସୂର୍ଯ୍ୟନଗର ଓ ଏହା ନିକଟବର୍ତ୍ତୀ ଅଞ୍ଚଳ ସିଲ୍ କରିବା ପରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ସ୍ଥାନୀୟ ବାସିନ୍ଦାଙ୍କର ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ଆମେ ସବୁ ପ୍ରକାରର ପଦକ୍ଷେପ ନେବୁ। ପ୍ରତିଦିନ ଡାକ୍ତରୀ ଟିମ୍ ବିଭିନ୍ନ ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ। ଏହି ଅଞ୍ଚଳରେ ନିୟମିତ ସଫେଇ କରାଯିବା ସହ ବିଶୋଧକ ସ୍ପ୍ରେ ହେବ ଓ ଫଗିଂ କରାଯିବ। ଏହାସହ ଭ୍ୟାନ୍ ମାଧ୍ୟମରେ ପରିବା ଓ ସଉଦା ସାମଗ୍ରୀ ପ୍ରତି ଗଳିକନ୍ଦିରେ ବୁଲିବ। ଲୋକଙ୍କ ଘର ପାଖରେ ସବୁ ଜିନିଷ ମିଳିବ। ସେହିପରି ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ କୁମାର ଦଳବେହେରାଙ୍କ ସଂସ୍ପର୍ଶରେ ଯେଉଁମାନେ ମାର୍ଚ୍ଚ ମାସରୁ ଆସିଥିବେ ସେମାନେ ୧୦୪କୁ ଫୋନ୍ କରି ନାମ ପଞ୍ଜୀକରଣ କରାଇବେ। ସେମାନେ ୧୪ଦିନ ଘରେ ସଙ୍ଗରୋଧ ହୋଇ ରହିବେ। ସେମାନଙ୍କର କିଛି ଅସୁବିଧା ହେଲେ ତୁରନ୍ତ ଫୋନ୍ କରି ଜଣାଇବେ। ଅନ୍ୟମାନେ ମଧ୍ୟ ଘରେ ସଙ୍ଗରୋଧ ହୋଇ ରହିବେ। ଏହି ଅଞ୍ଚଳ କେତେ ଦିନ ପାଇଁ ସିଲ୍ ହେବ ସେନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ସ୍ବାସ୍ଥ୍ୟ ବିଭାଗ ଯେବେ କହିବ ସେଦିନ ଏହି ଅଞ୍ଚଳ ସର୍ବସାଧାରଣଙ୍କ ପାଇଁ ଖୋଲିବ। ସୂର୍ଯ୍ୟନଗର ଅଞ୍ଚଳ ବାସିନ୍ଦାଙ୍କୁ ସଙ୍ଗରୋଧ ହୋଇ ରହିବାକୁ କୁହଯାଇଛି। ଯଦି କେହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଏପିଡେମିକ୍ ଡିଜିଜ୍ ଆକ୍ଟ-୧୮୯୭ର ଧାରା ୧୮୮ ଆଇପିସି ଅନୁସାରେ ଦଣ୍ଡିତ କରାଯିବ। ଅପରପକ୍ଷେ ଆଜି ବିଏମ୍ସି ପକ୍ଷରୁ ସୂର୍ଯ୍ୟନଗର ଅଞ୍ଚଳରେ ବିଶୋଧକ ସ୍ପ୍ରେ କରାଯିବା ସହ ଫଗିଂ କରାଯାଇଥିଲା।
Follow Us