ଶୌଚାଳୟ ନିର୍ମାଣ ଲକ୍ଷ୍ୟ ପୂରଣରେ ବାଧକ ପାଲଟିଛି ‘ହାତଗୁଞ୍ଜା’

ଶୌଚାଳୟ ନିର୍ମାଣ ଲକ୍ଷ୍ୟ ପୂରଣରେ ବାଧକ ପାଲଟିଛି ‘ହାତଗୁଞ୍ଜା’

Sambad

ଖୋର୍ଦ୍ଧା: ଘରେ ଶୌଚାଳୟ ରହିବା ଏକ ସଭ୍ୟ, ଶିକ୍ଷିତ ଓ ଆଭିଜାତ୍ୟର ପରିଚୟ ହେଲାଣି। ରାଜ୍ୟର ସବୁଠାରୁ ଶିକ୍ଷିତ ଜିଲ୍ଲା ଖୋର୍ଦ୍ଧାରେ କିନ୍ତୁ ଏହି ପରିଚୟ ୪୦ ହଜାର ପରିବାରଙ୍କ ନିକଟରେ ପହଞ୍ଚି ପାରିନାହିଁ। କିଛି ଦିନ ପୂର୍ବେ, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦୁର୍ନୀତି ଓ ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଳା କିଭଳି ସ୍ବଚ୍ଛଭାରତ ମିଶନ-ଗ୍ରାମୀଣ ଯୋଜନାରେ ପଛରେ ପଡ଼ିଛି ସେନେଇ ସମ୍ବାଦରେ ଖବର ପ୍ରକାଶିତ ହୋଇଥିଲା। ଆଜି ଏହାର ଆଉ ଏକ ପ୍ରମାଣ ମିଳିଛି, ଜିଲ୍ଲାରେ ବ୍ୟକ୍ତିଗତ ଶୌଚାଳୟଟିଏ ନିର୍ମାଣ କରିବାକୁ ୫ଶହ ଟଙ୍କା ହାତଗୁଞ୍ଜା ଦେଇଥିଲେ କିନ୍ତୁ ବର୍ତମାନ ସୁଦ୍ଧା ଶୌଚାଳୟ ନିର୍ମାଣ ଅର୍ଥ ପ୍ରଦାନ କରାଯାଇନାହିଁ।

ଜିଲ୍ଲାରେ ଗ୍ରାମାଞ୍ଚଳରେ ୨ଲକ୍ଷ ୪୭ହଜାର ୩୦୪ ଟି ପରିବାର ରହିଛି। ସେମାନଙ୍କ ମଧ୍ୟରୁ ନଭେମ୍ବର ଶେଷ ସୁଦ୍ଧା ୨ଲକ୍ଷ ୮ ହଜାର ୬୦୫ଜଣଙ୍କ ଘରେ ଶୌଚାଳୟ ନିର୍ମାଣ ହୋଇଛି। ବଳକା ଲୋକ ଆବେଦନ କରିଛନ୍ତି, ସେମାନଙ୍କୁ ମିଳିପାରିନାହିଁ। ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ଶୌଚାଳୟ ପାଇଁ ଆବେଦନ କରି ନିର୍ମାଣ କରିଛନ୍ତି, କିନ୍ତୁ ଅଧିକ ହାତଗୁଞ୍ଜା ଦେଇନପାରିବାରୁ ସେମାନଙ୍କୁ ନିର୍ମାଣ ଅର୍ଥ ମିଳିପାରିନାହିଁ। ଖୋର୍ଦ୍ଧା ବ୍ଲକ ବ୍ରଜମୋହନପୁର ଗାଁର ରାମଚନ୍ଦ୍ର ଯୁଝାରସିଂହଙ୍କ ଅଭିଯୋଗ ଅନୁସାରେ, ସ୍ବଚ୍ଛଭାରତ ନିର୍ମାଣ ଯୋଜନାରେ ଘରେ ପାଇଖାନା ନିର୍ମାଣ କରିବାକୁ ତାଙ୍କ ବାପା ଘନଶ୍ୟାମ ଯୁଝାରସିଂହଙ୍କୁ କାର୍ଯ୍ୟାଦେଶ ମିଳିଥିଲା। କାର୍ଯ୍ୟାଦେଶ ଅନୁସାରେ ସେମାନେ ୨୦୨୦ରେ ଶୌଚାଳୟ ନିର୍ମାଣ କଲେ। ବିଲ୍‌ ପାଇଁ ନିର୍ଦ୍ଧାରିତ ନିୟମାନୁସାରେ ଫର୍ମ ପୂରଣ କରି ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ପରେ ଯାଞ୍ଚ କରିବାକୁ ସିପି ଓ ଭିଆର୍‌ପି (ଆର୍‌ଡବ୍ଲୁଏସ୍‌ଏସ୍‌) ଆସିଥିଲେ। ସେହି ସମୟରେ ​କର୍ମଚାରୀଙ୍କ ବରାଦ ଅନୁସାରେ ୫ଶହ ଟଙ୍କା ଲାଞ୍ଚ ଦେଲେ। ଏହା ମଧ୍ୟରେ ୩ ବର୍ଷ ବିତିଯାଇଛି, ତାଙ୍କ ବାପାଙ୍କ ଦେହାନ୍ତ ମଧ୍ୟ ଘଟିଛି, କିନ୍ତୁ ତାଙ୍କୁ ଶୌଚାଳୟ ନିର୍ମାଣର ଅର୍ଥ ମିଳିନାହିଁ। ସେହିଭଳି ଅନ୍ୟଏକ ଘଟଣାରେ, ମଳିପଡ଼ାର ହରିହର ରାଉତରାୟ ନିଜ ଘରେ ଶୌଚାଳୟ ନିର୍ମାଣ କରିବା ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ, ଭିଆର୍‌ପିଙ୍କୁ ଅନୁରୋଧ କରି ନଶୁଣିବାରୁ ଜଣେ ରୋଗଗ୍ରସ୍ତ ବ୍ୟକ୍ତି ଶେଷରେ ​ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଉପରୋକ୍ତ ଦୁଇଟି ଘଟଣା ଜିଲ୍ଳାରେ ଶୌଚାଳୟ ନିର୍ମାଣକୁ ନେଇ ଚାଲିଥିବା ଅନିୟମିତା କଥା ପଦାରେ ପକାଉଛି। ଯୋଜନାର ସଫଳତା ପାଇଁ କର୍ମଚାରୀ ଓ ଅଧିକାରୀଙ୍କ ଆନ୍ତରିକତା କିଭଳି ରହିଛି ତାହା ଖୋଦ୍ ଜିଲ୍ଳା ପ୍ରଶାସନର ତଥ୍ୟ ହିଁ ସ୍ପଷ୍ଟ କରୁଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲାର ୧୦ଟି ବ୍ଲକରୁ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ପାଇଁ ୧୭ ହଜାର ୫୮୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧୩୧୪ଜଣଙ୍କ ନାମ ବିଭାଗୀୟ କର୍ମଚାରୀ ଅନ୍‌ଲାଇନରେ ଦାଖଲ କରିଥିଲେ। ଦାଖଲ ହୋଇଥିବା ବ୍ୟକ୍ତି ଙ୍କ ମଧ୍ୟରୁ ୧୦, ୫୧୫ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୨୦୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା କେବଳ ୪ହଜା୪୭୬ଜଣ ହିଁ ଶୌଚାଳୟ ନିର୍ମାଣ କାମ ଶେଷ କରିବା ସହ ଜିଓ ଟ୍ୟାଗିଂ ହୋଇପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe