ଶବ ଛୁଇଁଲେନି ସମ୍ପର୍କୀୟ, ଘରେ ପଡ଼ି ରହିଲା ୧୨ ଘଣ୍ଟା

Advertisment

ଅନ୍ତିମ ସଂସ୍କାର କଲେ ସ୍ବେଚ୍ଛାସେବୀ

ଅନ୍ତିମ ସଂସ୍କାର କଲେ ସ୍ବେଚ୍ଛାସେବୀ

ବାପାଙ୍କ ମୃତ୍ୟୁର ଦୁଇଦିନ ପରେ ପୁଅ ମୃତ

123rf.com

ଆନନ୍ଦପୁର : ରୋଗରେ ପଡ଼ି ଛଟପଟ ହେଉଥିବାବେଳେ ଡାକ୍ତରଖାନା ନେବା ତ ଦୂରର କଥା କରୋନା ସନ୍ଦେହରେ ସମ୍ପର୍କୀୟମାନେ ପାଖ ମା‌ଡ଼ିଲେନି। ମୃତ୍ୟୁ ପରେ ବି ଶେଷକୃତ୍ୟ ପାଇଁ ରାଜି ହେଲେ ନାହିଁ। ଦୀର୍ଘ ୧୨ ଘଣ୍ଟା ଧରି ମୃତଦେହ ଘରେ ପଡ଼ିରହିଲା। ଖବର ପାଇ କିଛି ସ୍ବେଚ୍ଛାସେବୀ ସେଠାରେ ପହଞ୍ଚି ପିପିଇ କିଟ୍‌ ପିନ୍ଧି ଶବକୁ କାନ୍ଧ ଦେଲେ। ମଶାଣିକୁ ନେଇ ଶେଷକୃତ୍ୟ କଲେ। ମହାମାରୀ କରୋନାର ପ୍ରକୋପ ବଢ଼ି ଚାଲିଥିବାବେଳେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଗୋହିରା ଗ୍ରାମ ହାଟସାହିରେ।

ଗ୍ରାମର ତପନ ବେହେରା (୪୫) ଗୋହିରା ଢାବା ନିକଟରେ ଏକ ଭେରାଇଟି ଷ୍ଟୋର୍‌ କରିଥିଲେ। କିଛିମାସ ତ‌ଳେ ତାଙ୍କର ଦୋକାନ ଭାଙ୍ଗି ଯାଇଥିଲା। ଏହାପରଠାରୁ ତପନ ଆର୍ଥିକ ସଂକଟ ଦେଇ ଗତିକରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଘରେ ରହୁଥିଲେ। ଗତକାଲି ସକାଳେ ତାଙ୍କୁ ଜ୍ବର ହୋଇଥିଲା। ପରେ ଝାଡ଼ା ହୋଇଥିଲା। କରୋନା ଲକ୍ଷଣ ଥିବାରୁ ତାଙ୍କୁ କେହି ଡାକ୍ତରଖାନା ନେଇ ନଥିଲେ। ଘର ଭିତରେ ଯନ୍ତ୍ରଣାରେ ଛଟପଟ ହୋଇ ଗତକାଲି ରାତି ପ୍ରାୟ ୯ଟାବେଳେ ତପନ ଆଖିବୁଜି ଦେଇଥିଲେ। ଶବକୁ ମଶାଣିକୁ ନେବାକୁ ଗ୍ରାମବାସୀ କିମ୍ବା ପଡ଼ୋଶୀ କେହି ଆସି ନଥିଲେ। ମୃତଦେହ ଘରେ ପଡ଼ିଥିବା ଶୁଣି ବନ୍ଧୁବାନ୍ଧବ ପହଞ୍ଚିଥିଲେ। କିନ୍ତୁ କରୋନା ଭୟରେ କେହି ଶବ ପାଖକୁ ଗଲେ ନାହିଁ କି ଛୁଇଁଲେ ନାହିଁ। ଦୀର୍ଘ ୧୨ ଘଣ୍ଟା ଧରି ଶବ ପଡ଼ିରହିଲା ଘରେ।

ଖବରପାଇ ଶନିବାର ସକାଳେ ପୂର୍ବତନ ସରପଞ୍ଚ ପ୍ରସନ୍ନ ପାତ୍ର, ଘସିପୁରାର ଯୁବ ସମାଜସେବୀ ଦେବରାଜ ସାହୁ ଗୋହିରା ଗ୍ରାମରେ ପହଞ୍ଚିଥିଲେ। ସତ୍ୟାନନ୍ଦ ବେହେରା, ଟିକିନା ବେହେରା, ସୁଶାନ୍ତ ବେହେରା, ସତିଆ ଦାସ, ରାଜୁ ବେହେରାଙ୍କୁ ଏକାଠି କରି ପିପିଇ କିଟ୍‌ ପିନ୍ଧି ମୃତଦେହକୁ କୋକେଇରେ ଶ୍ମଶାନକୁ ନେଇଥିଲେ। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତପନଙ୍କ ମୃତ୍ୟୁ ପରେ ତାଙ୍କ ମା', ପତ୍ନୀ, ଚାରି ପୁଅଝିଅ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe