Advertisment

ଗବଯୋର - ବୈଦ୍ୟନାଥ ତେଲନଦୀ ସେତୁ ଜମି ଅଧିଗ୍ରହଣରେ ପାତରଅନ୍ତର

Advertisment

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା

ଗବଯୋର - ବୈଦ୍ୟନାଥ ତେଲନଦୀ ସେତୁ ଜମି ଅଧିଗ୍ରହଣରେ ପାତରଅନ୍ତର

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର -ବୈଦ୍ୟନାଥ ତେଲନଦୀ ସେତୁର ଓ ସଂଯୋଗୀକରଣ ରାସ୍ତାର ଜମି ଅଧିଗ୍ରହଣ ଦାବିରେ ସୋମବାର ଜମି ହରାଉଥିବା ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହି ସେତୁ ନିର୍ମାଣ ଦାୟିତ୍ବ ନେଇଛି। ଏହି କାର୍ଯ୍ୟଟି ୨୦୧୮ ମସିହା ଡିସେମ୍ବର ମାସରେ ଶେଷ ହେବା କଥା।  ବୈଦ୍ୟନାଥ ପଟରୁ ସମ୍ପୂର୍ଣ୍ଣ ସେତୁ କାମ ସାରିଥିବା ବେଳେ ଗବଜୋର ପଟରୁ କାମ ଆରମ୍ଭର ନାଁ ଧରୁନି। ଗବଜୋର ପଟରେ ଆଜକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ ହୋଇପାରି ନାହିଁ।

ଜମି ଅଧିଗ୍ରହଣରେ ପାତର ଅନ୍ତର ନୀତି ଯୋଗୁଁ ଏହି କାମ ଆଗେଇ ପାରୁ ନାହିଁ। ଗବଯୋର ଗ୍ରାମର ସେତୁ ପାଇଁ ଜମି ହରାଇଥିବା ଚାଷୀ ରାମେଶ୍ୱର ମେହେର ଓ ତାଙ୍କ ବାପା ବୃନ୍ଦାବନ ମେହେର ସମୁଦାୟ ୨୨ ଡେସିମିଲ ଜମିକୁ ସମୁଦାୟ ୩୧ଲକ୍ଷ ୬୮ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଆଉ ବାକି ଚାଷୀମାନଙ୍କ ଜମିକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀମାନେ ଡିସିମିଲ ପିଛା ୯ ହଜାର ଟଙ୍କା କହୁଥିବାରୁ ଚାଷୀ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ତେଣୁ ଆଜି ଜମି ହରାଉଥିବା ଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଚାଷୀଙ୍କ କହିବା ଅନୁଯାୟୀ ସେମାନେ ୮ ଦିନ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ସୋମବାର ଦିନ ତମାମ ଧାରଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସି ନ ଥିଲେ।

ଏପରିକି ଜିଲ୍ଲାପାଳ ସେମାନଙ୍କୁ ଦେଖି ବି ଆଲୋଚନା ପାଇଁ ଆସିନଥିଲେ ବୋଲି ଧାରଣାରେ ଥିବା ଗବଯୋର ଗ୍ରାମର ଚାଷୀ ଧନମତ ମେହେର, ସେନାନି ମେହେର, ଦୁର୍ଯୋଧନ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ବ୍ରଜ ଚିର୍ଗୁଣି, ଧ୍ରୁବ ମେହେର, ପଥର୍ଲା ଗ୍ରାମର ଚାଷୀ ନୀଳକଣ୍ଠ ଦେହେରିଆ, ଶଙ୍କର ଦେହେରିଆ, ପ୍ରେମକଣ୍ଠ ଦେହେରିଆ, କୁଞ୍ଜ କଁଅର, କିରନ୍ଦର ବାଘ ଓ ବୈଦ୍ୟନାଥ ଗ୍ରାମର ଚାଷୀ ଗୋପାଳ ମିଶ୍ର କହିଛନ୍ତି। ପ୍ରଶାସନ ଯଦି ଦାବି ପ୍ରତି ଗୁରୁତ୍ବ ନ ଦିଏ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ବାବଦରେ ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe