ଅଡିଟ୍‌ ଧରିଲା ସମବାୟ ବ୍ୟାଙ୍କ ଅନିୟମିତତା: ସିଇଓ, କମିଟିଠାରୁ ୪.୫୬ କୋଟି ଆଦାୟ ନିର୍ଦ୍ଦେଶ

Advertisment
ଅଡିଟ୍‌ ଧରିଲା ସମବାୟ ବ୍ୟାଙ୍କ ଅନିୟମିତତା: ସିଇଓ, କମିଟିଠାରୁ ୪.୫୬ କୋଟି ଆଦାୟ ନିର୍ଦ୍ଦେଶ

Worldorgs.com

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ବଡ଼ଧରଣର ଅନିୟମିତତା ସ୍ବତନ୍ତ୍ର ଅଡିଟରେ ଧରାପଡ଼ିଛି। ୪ କୋଟି ୫୬ ଲକ୍ଷ ୩୬ ହଜାର ୫୭୭ ଟଙ୍କା ବେଆଇନ ଭାବେ ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି ଓଡ଼ିଶା ସମବାୟ ଅଡିଟ୍‌ ନି‌ର୍ଦ୍ଦେଶକ। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ), ପରିଚାଳନା କମିଟି ସଭାପତି ଓ ସଭ୍ୟମାନଙ୍କ ଠାରୁ ଏସବୁ ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶକ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ ଅପ୍ରେଲ ୧ରୁ ୨୦୨୧ ମେ ୩୧ ଯାଏ ହୋଇଥିବା ସ୍ବତନ୍ତ୍ର ଅଡିଟ୍‌ରେ ଏହି ଅନିୟମିତତା ଧରାପଡ଼ିଥିଲା। ଏହି ଅନିୟମିତା ପଛରେ ବ୍ୟାଙ୍କ ସିଇଓ ଓ ପରିଚାଳନା କମିଟି ସଭାପତି ତଥା ସଭ୍ୟମାନେ ଦାୟୀ ବୋଲି କହିଛନ୍ତି ଓଡ଼ିଶା ସମବାୟ ଅଡିଟ୍‌ ନି‌ର୍ଦ୍ଦେଶକ। ବ୍ୟାଙ୍କ ସିଇଓ ଭାବେ ସୁରେଶଚନ୍ଦ୍ର ଦାସଙ୍କ ନିଯୁକ୍ତି ବେଆଇନ ଦର୍ଶାଇ ସେଥିପାଇଁ ଦାୟୀ ବ୍ୟାଙ୍କ ପରିଚାଳନା କମିଟି ସଭାପତିଙ୍କ ସମେତ ୧୩ ଜଣ ସଭ୍ୟଙ୍କ ଠାରୁ ୫୦ ଲକ୍ଷ ୪୧ ହଜାର ୨ ଶହ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି, ବ୍ୟାଙ୍କର ନୂଆ ଅଫିସ କୋଠା ନିର୍ମାଣରେ ଅନିୟମିତତା ବାବଦକୁ ୧ କୋଟି ୫ ଲକ୍ଷ ଟଙ୍କା, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଏଜେନ୍ସ ଜରିଆରେ ନିଯୁକ୍ତି ବେଆଇନ ହୋଇଥିବାରୁ ସେମାନଙ୍କୁ ଦିଆଯାଇଥିବା ୧ କୋଟି ୫୨ ଲକ୍ଷ ୯୨ ହଜାର ୯୧୨ ଟଙ୍କା ପରିଚାଳନା କମିଟି ସଭାପତି ଓ ସଭ୍ୟମାନଙ୍କ ଠାରୁ ଆଦାୟ କରିବା, ବ୍ୟାଙ୍କ ସିଇଓ ଭାବେ ବହୁ ଅନିୟମିତତା କରିଥିବା ଶ୍ରୀ ଦାସଙ୍କ ଠାରୁ ୧ କୋଟି ୪୮ ଲକ୍ଷ ୨ ହଜାର ୪୬୫ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କ ପରିଚାଳନା କମିଟି ପୂର୍ବତନ ସଭାପତି ଭବାନୀ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ, ‘ ଅଡିଟ ବ୍ୟାଙ୍କର ଯେଉଁସବୁ କାର୍ଯ୍ୟକୁ ବେଆଇନ ଦର୍ଶାଇ ଅର୍ଥ ଆଦାୟ ନିର୍ଦ୍ଦେଶ ଦେଇଛି, ସେ ସବୁ ଏବେ ଅଦାଲତରେ ବିଚାରାଧୀନ ରହିଛି। ତେଣୁ କୋର୍ଟଙ୍କ ରାୟ ଆସିବାପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe