Corruption allegations: ଅଜିତ ପାୱାରଙ୍କ ପୁଅ ପାର୍ଥଙ୍କ ନାମରେ ଦୁର୍ନୀତି ଅଭିଯୋଗ

୧,୮୦୦ କୋଟି ଟଙ୍କାର ସମ୍ପତ୍ତି କାରବାରରେ ଗୁରୁତର ଅନିୟମିତତା ବିଷୟରେ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନ (ଆଇଜିଆର୍) ଏକ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଦାଖଲ କରିବା ପରେ...

Untitled-6
ମୁମ୍ବାଇ: ୧,୮୦୦ କୋଟି ଟଙ୍କାର ସମ୍ପତ୍ତି କାରବାରରେ ଗୁରୁତର ଅନିୟମିତତା ବିଷୟରେ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନ (ଆଇଜିଆର୍) ଏକ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଦାଖଲ କରିବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ ସହ ଜଡିତ ଜମି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମୁମ୍ବାଇର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିବା ରିପୋର୍ଟରେ ପୁଣେର ମୁନ୍ଧୱା ଅଞ୍ଚଳରେ ସରକାରୀ ଜମିର ବିକ୍ରୟ ଓ ପଞ୍ଜୀକରଣରେ ଗୁରୁତର ତ୍ରୁଟି ଦେଖାଯାଇଛି। ରିପୋର୍ଟ ପ୍ରକାଶ ପରେ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଆଠ ଦିନ ମଧ୍ୟରେ ଏହାର ଚୂଡ଼ାନ୍ତ ତଥ୍ୟ ଦାଖଲ କରିବାକୁ ଏକ ସ୍ୱତନ୍ତ୍ର କମିଟିକୁ ଦାୟିତ୍ବ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ମୁନ୍ଧୱାରେ ଥିବା ୪୩ ଏକର (୧୭.୫ ହେକ୍ଟର) ଜମି ‘ମୁମ୍ବାଇ ସରକାର’ ଅଧୀନରେ ଥିବାବେଳେ ଏହାକୁ ପାର୍ଥ ପାୱାରଙ୍କ ସହ ଜଡିତ ଏକ ଫାର୍ମ ଆମିଡିଆ ଏଣ୍ଟରପ୍ରାଇଜେସ୍ ଏଲ୍ଏଲ୍‌ପିକୁ ମାତ୍ର ୩୦୦ କୋଟି ଟଙ୍କାରେ ବିକ୍ରି କରାଯାଇଛି। ଏହି ଜମିର ବଜାର ମୂଲ୍ୟ ୧,୮୦୦ କୋଟି ଟଙ୍କା ହେବ। ଏହି ଜମି ମୂଳତଃ ଭାରତୀୟ ଉଦ୍ଭିଦ ସର୍ବେକ୍ଷଣ ସଂସ୍ଥାକୁ ୧୫ ବର୍ଷ ପାଇଁ ଲିଜ୍ ଦିଆଯାଇଥିଲା, ଯାହାକୁ ବର୍ଷକୁ ୧ ଟଙ୍କା ନାମକୁମାତ୍ର ଭଡ଼ାରେ ୫୦ ବର୍ଷ ବା ୨୦୩୮ ପର୍ଯ୍ୟନ୍ତ  ବୃଦ୍ଧି କରାଯିବାକୁ ସର୍ତ୍ତ ଥିଲା। ଏହାର ଅର୍ଥ ସରକାରୀ ମାଲିକାନା ଜାରି ରହିବ। ଏହା ସତ୍ତ୍ୱେ ୨୭୨ ଜଣ ବ୍ୟକ୍ତିଙ୍କ ତରଫରୁ କାର୍ଯ୍ୟ କରୁଥିବା ପାୱାର ଅଫ୍ ଆଟର୍ଣ୍ଣି ଧାରକ ଶୀତଲ ତେଜୱାନୀ ଏବଂ ସାଇଟ୍‌ରେ ଏକ ଡାଟା ସେଣ୍ଟର ବିକାଶ କରିବାକୁ ଚାହୁଥିବା ଆମିଡିଆ ଏଣ୍ଟରପ୍ରାଇଜେସ୍ ଏଲ୍ଏଲ୍‌ପି ମଧ୍ୟରେ ସିଧାସଳଖ ଏକ ବିକ୍ରୟ ଦଲିଲ ପଞ୍ଜୀକୃତ ହୋଇଥିଲା। ୨୧ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମାତ୍ର ୫୦୦ ଟଙ୍କାକୁ ହ୍ରାସ
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଘୋଷିତ ଡିଲ୍ ମୂଲ୍ୟ ୩୦୦ କୋଟି ଟଙ୍କା ହୋଇଥିବା ବେଳେ ଟିକସ ସମେତ ମୋଟ ଷ୍ଟାମ୍ପ ଡ୍ୟୁଟି ପ୍ରାୟ ୨୧ କୋଟି ଟଙ୍କା ହେବା କଥା। ଏହା ପରିବର୍ତ୍ତେ ମାତ୍ର ୫୦୦ ଟଙ୍କାର ଟୋକନ୍ ଷ୍ଟାମ୍ପ ଡ୍ୟୁଟି ସହ ଏହି ଦଲିଲ ପଞ୍ଜୀକୃତ ହୋଇଥିଲା। ଡାଟା ସେଣ୍ଟର ବିକାଶ ପାଇଁ ଏହି ପ୍ରକଳ୍ପ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ଼ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ସ୍ଥାନୀୟ ଟିକସ ଓ ମେଟ୍ରୋ ଟିକସ ପ୍ରାୟ ୬ କୋଟି ଟଙ୍କା ହେବା କଥା। ତେଣୁ ଏହି ପଞ୍ଜୀକରଣ ରାଜ୍ୟ ରାଜକୋଷକୁ ଯଥେଷ୍ଟ ଆର୍ଥିକ କ୍ଷତି ପହଞ୍ଚାଇଛି। 
ଅଧିକାରୀଙ୍କୁ ନିଲମ୍ବିତ କରାଗଲା 
ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ ତତ୍କାଳୀନ ଯୁଗ୍ମ ସବ୍-ରେଜିଷ୍ଟ୍ରାର ରବୀନ୍ଦ୍ର ତରୁଙ୍କ ଦ୍ୱାରା ଗୁରୁତର ପ୍ରକ୍ରିୟାଗତ ଉଲ୍ଲଂଘନ ଚିହ୍ନଟ ହୋଇଛି, ଯିଏକି ଆବଶ୍ୟକ ସରକାରୀ ଅନୁମତି କିମ୍ବା ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ (ଏନ୍ଓସି) ଯାଞ୍ଚ ନ କରି ବିକ୍ରୟ ଦଲିଲ ପଞ୍ଜୀକୃତ କରିଥିଲେ। ଏଣୁ ଅଧିକ ଅନୁସନ୍ଧାନ ପର୍ଯ୍ୟନ୍ତ ତରୁଙ୍କୁ ନିଲମ୍ବିତ କରାଯାଇଛି। ୫.୯୯ କୋଟି ଟଙ୍କାର ଅନାଦେୟ ଷ୍ଟାମ୍ପ ଡ୍ୟୁଟି ଆଦାୟ ପାଇଁ ସରକାରୀ ନୋଟିସ୍ ଜାରି କରାଯାଇଛି ଏବଂ ପାୱାର ଅଫ୍ ଆଟର୍ଣ୍ଣି ଧାରକ, କ୍ରେତା କମ୍ପାନି ଏବଂ ସବ୍-ରେଜିଷ୍ଟ୍ରାରଙ୍କ ବିରୋଧରେ ଆପରାଧିକ ଅଭିଯୋଗ ପ୍ରସ୍ତୁତ କରାଯାଉଛି। ଉଲ୍ଲେଖଯୋଗ୍ୟ, ଏହି କାରବାର ଆମିଡିଆ ଏଣ୍ଟରପ୍ରାଇଜେସ୍ ଏଲ୍ଏଲ୍‌ପି ମାଧ୍ୟମରେ ପାର୍ଥ ପାୱାରଙ୍କ ସହ ଜଡ଼ିତ ଥିବା ବେଳେ ତାଙ୍କ ନାମ ଏଫ୍ଆଇଆର୍‌ରେ ନାହିଁ। ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ବିଭାଗର କାର୍ଯ୍ୟକାରିତା ଉପରେ ବିସ୍ତୃତ ତଦନ୍ତ କରିବା ଏବଂ ରାଜସ୍ୱ କ୍ଷତିର ପରିମାଣ ଆକଳନ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିର ଚୂଡ଼ାନ୍ତ ରିପୋର୍ଟ ଆଠ ଦିନ ମଧ୍ୟରେ ମିଳିବା ଆଶା କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe