Odisha Bytes
ଭୁବନେଶ୍ବର : ରାଜ୍ୟର ୫୯୩ଟି ଥାନାରେ ସିସିଟିଭି ଲଗାଇବା ପାଇଁ ରାଜ୍ୟ ସରକାର ମୁମ୍ବାଇର ମେସର୍ସ କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନିକୁ ୧୦୪.୯୬କୋଟିର ପରଚେଜ୍ ଅର୍ଡର ଦେଇଛନ୍ତି। ଏଥିରେ ଓକାକ୍ ଜରିଆରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଅଭିଯୋଗ କରିଛନ୍ତି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ପ୍ରତି ଥାନାରେ ସିସିଟିଭି ସ୍ଥାପନ ଲାଗି ରାଜ୍ୟ ସରକାର ୧୫.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏଥିରେ ୮ଟି ବୁଲେଟ କ୍ୟାମେରା ଓ ୧୨ଟି ଡୋମ୍ କ୍ୟାମେରା ସ୍ଥାପନ କରାଯିବ। ହେଲେ ଏଠାରେ ଯେଉଁ ସ୍ପେସିଫିକେସନ୍ର କ୍ୟାମେରା ଲାଗିବ ତାହାକୁ ଖୋଲା ବଜାରରୁ କିଣିଲେ ଥାନା ପିଛା ସର୍ବାଧିକ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୫୯୩ଟି ଥାନା ପାଇଁ ୩୫.୫୮କୋଟି ଖର୍ଚ୍ଚ ହେବ। ସେହିପରି ସେଣ୍ଟ୍ରାଲ ମନଟରିଂ ସିଷ୍ଟମ ପାଇଁ ୧୦.୨୧କୋଟି ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଯାହା ବଜାର ଦରଠାରୁ ବହୁ ଅଧିକ। ଏହି ପ୍ରକଳ୍ପ ପାଇଁ ବଜାର ଦର ଅନୁସାରେ ସର୍ବାଧିକ ୪୦କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଓକାକ୍ କାହିଁକି ୯୪.୪୧୫କୋଟି ଟଙ୍କାର ପରଚେଜ୍ ଅର୍ଡର ଦେଇଛି ତାହା ଜଣାପଡ଼ୁନି। ରାଜ୍ୟ ସରକାର ସିସିଟିଭି କିଣା ଦୁର୍ନୀତିରେ ସିଧାସଳଖ ସାମିଲ୍ ଥିବାରୁ ମୁଖ୍ୟମନ୍ତ୍ରୀ ଏହାର ଜବାବ୍ ଦିଅନ୍ତୁ। ଏହାସହ ଉକ୍ତ ପରଚେଜ୍ ଅର୍ଡର ବାତିଲ୍ କରି ବିଧାୟକମାନଙ୍କୁ ନେଇ ଏକ ପରେଚଜ୍ କମିଟି ଗଠନ କରାଯାଉ ବୋଲି ଶ୍ରୀ ଦାସ ଦାବି କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ ସୋରେନ, ନବ ଚରଣ ମାଝୀ ଏବଂ ବୁଧନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।
Follow Us