ଉଦଳା ଏନ୍‌ଏସି ଦୋକାନ ଘର ଆବଣ୍ଟନ ଦୁର୍ନୀତି: ହାଇକୋର୍ଟରେ ନକଲି ବିସ୍ଥାପିତଙ୍କ ମାମଲା

Advertisment
ହାଇକୋର୍ଟରେ ଶିଶୁପାଳଗଡ଼ ସୁରକ୍ଷା ପ୍ରସଂଗ: ଜବାବ ରଖିବାକୁ ସରକାରଙ୍କୁ ଶେଷ ସୁଯୋଗ

ଉଦଳା-୧: ଉଦଳା ଏନ୍‌ଏସି ପକ୍ଷରୁ ଦୋକାନଘର ଆବଣ୍ଟନରେ ଅନିୟମିତତା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହାଇକୋର୍ଟ ନିର୍ଦ୍ଦେଶରେ ନିୟମାନୁଯାୟୀ ଘର ବଣ୍ଟନ ହୋଇଥିବାର ପ୍ରଶାସନ ପ୍ରଥମରୁ କହି ଆସୁଥିବା ବେଳେ ଏବେ ହିତାଧିକାରୀଙ୍କ ଅଜାଣତରେ ହାଇକୋର୍ଟରେ ମାମଲା ରୁଜୁ ହେବା ଭଳି ସଙ୍ଗିନ ଘଟଣା ସାମ୍ନାକୁ ଆସିଛି। ବଙ୍ଗଳା ପୋଖରୀ ଆଡିରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଘର ପାଇଥିବା ଜଣେ ହିତାଧିକାରୀ ଦୋକାନଘର ପାଇଥିବା ବାବଦରେ କିଛି ଜାଣିନଥିବା କହିଛନ୍ତି।

ହିତାଧିକାରୀଙ୍କ ନାମରେ ବିସ୍ଥାପିତ ଭାବେ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିବା ବେଳେ ସେ ଏ ନେଇ କିଛି ଜାଣିନାହାନ୍ତି। ଏମିତିକି ଦୋକାନ ଘର ବାବଦରେ ଏନ୍‌ଏସି ପକ୍ଷରୁ ଚେକ୍ ମାଧ୍ୟମରେ ହିତାଧିକାରୀଙ୍କ ନାମରେ ୫୦ ହଜାର ଟଙ୍କାର ରସିଦ୍ ମଧ୍ୟ କଟାଯାଇଛି, ଯାହା ହିତାଧିକାରୀଙ୍କୁ ଜଣାନାହିଁ। ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି। ସେହିପରି ଏନ୍‌ଏସିର ନୂତନ ଅଧ୍ୟକ୍ଷା ପ୍ରମିଳା ପଣ୍ଡାଙ୍କୁ ପଚାରିବାରୁ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବେ ବୋଲି କହିଛନ୍ତି। ତେବେ ହିତାଧିକାରୀଙ୍କ ନାମରେ କାଗଜପତ୍ରରେ ଦସ୍ତଖତ କରିଛି କିଏ, ରସିଦ୍ ପାଇଁ ଅର୍ଥରାଶି କିଏ ଓ କାହିଁକି ଦେଲା ଏଭଳି ବହୁ ପ୍ରଶ୍ନ ସାଧାରଣରେ ଉଙ୍କିମାରୁଛି।

ସୂଚନାଯୋଗ୍ୟ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସମୟରେ ୯୪ଟି ଦୋକାନ ଘର ନିର୍ମାଣ ହୋଇଥିବା ବେଳେ ବିଭିନ୍ନ କାରଣ ଯୋଗୁ ୬୧ଟି ଦୋକାନ ଘର ବଣ୍ଟନ ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ। ତେବେ ନିକଟରେ ଉକ୍ତ ଘରଗୁଡିକ ବଣ୍ଟନ ସରିଯାଇଥିବାର ଜଣାପଡ଼ିଛି। ହେଲେ ଏଥିରେ ଅନିୟମିତତା ହୋଇଥିବାର ଅଭିଯୋଗ ଆଣିବା ସହ ହାଇକୋର୍ଟରେ ମାମଲା ଦାଏର କରିଥିବା ସତ୍ତ୍ୱେ ଦୋକାନ ଘର ପାଇବାରୁ ବଞ୍ଚିତ କିଛି ବିସ୍ଥାପିତ ନିକଟରେ ଉପଜିଲ୍ଲାପାଳଙ୍କୁ ଭେଟି ବିସ୍ଥାପିତ ତାଲିକାରେ ଏପଟସେପଟ ହୋଇଥିବା ଅଭିଯୋଗ ଉଠାଇଥିଲେ। ଆଉ ଏବେ ହାଇକୋର୍ଟରେ ମିଥ୍ୟା ମାମଲା ଦାଏର ଖବର ଜଣାପଡ଼ିବା ପରେ ଉକ୍ତ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe