କମାରଡ଼ିହା ପଞ୍ଚାୟତରେ ମହାଦୁର୍ନୀତି! ପଶିଲା ଭିଜିଲାନ୍ସ, ବହୁ ଗୁରୁତ୍ବୂପୂର୍ଣ୍ଣ କାଗଜପତ୍ର ଜବତ

Advertisment
କମାରଡ଼ିହା ପଞ୍ଚାୟତରେ ମହାଦୁର୍ନୀତି! ପଶିଲା ଭିଜିଲାନ୍ସ, ବହୁ ଗୁରୁତ୍ବୂପୂର୍ଣ୍ଣ କାଗଜପତ୍ର ଜବତ

ରାସଗୋବିନ୍ଦପୁର/ମାଣିଦା: ରାସଗୋବିନ୍ଦପୁର ବ୍ଲକ୍‌ କମାରଡ଼ିହା ପଞ୍ଚାୟତରେ ମହାଦୁର୍ନୀତି। ପଞ୍ଚାୟତ ରାସ୍ତା ନିର୍ମାଣ ନକରି, ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ନକରି, ପୋଖରୀରୁ ପଙ୍କ ଉଦ୍ଧାର ନକରି ଏସବୁ କାର୍ଯ୍ୟ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି। ସୂଚନା ଅଧିକାର ଆଇନ୍‌ ବଳରେ ଏହା ଜଣାପଡ଼ିବା ପରେ ପଞ୍ଚାୟତବାସୀଙ୍କ ପକ୍ଷରୁ ବାଲେଶ୍ୱର ଦୁର୍ନୀତି ନିବାରଣ ସଂସ୍ଥା(ଭିଜିଲାନ୍ସ)ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ଡିଏସ୍‌ପି ଶ୍ରୀକାନ୍ତ ହେମ୍ବ୍ରମଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଦଶରଥ ହେମ୍ବ୍ରମ, ଅଜୟ ନାୟକ ପ୍ରମୁଖ କମାରଡ଼ିହା ପଞ୍ଚାୟତରେ ପହଞ୍ଚି ତଦନ୍ତ କରିଛନ୍ତି। ଦୁର୍ନୀତି ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ଜବତ ହୋଇଛି। ପଞ୍ଚାୟତରେ ହୋଇଥିବା ସମସ୍ତ ଉନ୍ନୟନ କାର୍ଯ୍ୟର ଫାଇଲ୍‌ ଯଥାଶୀଘ୍ର ଭିଜିଲାନ୍ସ ପାଖର ଦାଖଲ କରିବାକୁ ପଞ୍ଚାୟତ ପିଇଓଙ୍କୁ ନିର୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ପୁଣି ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଛାନ୍‌ଭିନ୍‌ କରାଯିବ। ଏଥିସହ ସରକାରୀ ଅର୍ଥ ଆତ୍ମସାତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଡିଏସ୍‌ପି ଶ୍ରୀ ହେମ୍ବ୍ରମ କହିଛନ୍ତି।

ଅଭିଯୋଗ ଅନୁଯାୟୀ; ୨୦୧୮-୧୯, ୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଜାଲିଆତି ହୋଇଛି। ପଞ୍ଚାୟତ ଗୋଦାମ ଗୃହ ମରାମତି, ବାଉଁଶତୋଫା ଗ୍ରାମର ପୋଖରୀରୁ ପଙ୍କ ଉଦ୍ଧାର, ଆମ ଗାଁ ଆମ ବିକାଶ ଯୋଜନାରେ ସେହି ପୋଖରୀରେ ପୁଣିଥରେ ପଙ୍କ ଉଦ୍ଧାର ହୋଇଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ଉଠାଯାଇଛି। ଏଥିସହ ବାଘୁଆଶୋଳ ପୋଖରୀରୁ ପଙ୍କ ଉଦ୍ଧାର ବାବଦରେ ୨ ଲକ୍ଷ, ମାଜଣାଡ଼ିହା ଓ ମଣ୍ଡାବାଟି ଗ୍ରାମରେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ୯ ଲକ୍ଷ, ଧାନଶୋଳ ଗ୍ରାମରେ କୌଣସି କଂକ୍ରିଟ ରାସ୍ତା ନିର୍ମାଣ ନକରି ଅଢ଼େଇ ଲକ୍ଷ ଓ ରାସ୍ତା ମରାମତି କାମ ଆଳରେ ଅଢ଼େଇ ଲକ୍ଷ, ସୋଲାର ଲାଇଟ୍‌ ଲଗାଇବା ଆଳରେ ୧୮ ଲକ୍ଷ ଟଙ୍କାର ଘୋଟାଲା, ମନରେଗା ଯୋଜନା, ଭତ୍ତା ପ୍ରଦାନ, କମାରଡ଼ିହା ସରକାରୀ ଉଚ୍ଚବିଦ୍ୟାଳୟରେ ୫-ଟି ଯୋଜନାରେ ଉନ୍ନତୀକରଣ ପାଇଁ ୩୫ ଲକ୍ଷ ଖର୍ଚ୍ଚ ହୋଇଥିଲେ ହେଁ କାନ୍ଥ ଫାଟି ଆଁ କରିବା ଆଦି ପୁଳାପୁଳା ଅଭିଯୋଗର ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe