ମନରେଗାରେ ମହାଦୁର୍ନୀତି : କାମ ନ ପାଇ ତାତିଲେ ମହିଳା ଶ୍ରମିକ

Advertisment
ମନରେଗାରେ ମହାଦୁର୍ନୀତି : କାମ ନ ପାଇ ତାତିଲେ ମହିଳା ଶ୍ରମିକ

Patrika

ଜଗନ୍ନାଥପ୍ରସାଦ : ମନରେଗା ଯୋଜନାରେ ମହାଦୁର୍ନୀତି। ଶ୍ରମିକଙ୍କ ବଦଳରେ ନିୟୋଜିତ ହେଉଛି ମେସିନ୍। ଆଉ ସରକାରୀ କାଗଜପତ୍ରରେ ଶ୍ରମିକ କାମ କରାଯାଉଥିବା ଦର୍ଶାଯାଉଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର କିଛି ପଞ୍ଚାୟତରୁ ଏଭଳି ସଙ୍ଗିନ୍ ଅଭିଯୋଗ ବାରମ୍ବାର ଆସୁଥିଲା। କିନ୍ତୁ ପ୍ରଶାସନ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେବାରୁ ‌ଶେଷରେ ତାତିଛନ୍ତି ମହିଳା ଶ୍ରମିକ। କାମକୁ ବିରୋଧ କରିବା ସହ ରାତି ସାରା ଚାରିଟି ଟ୍ରାକ୍ଟର୍‌କୁ ଅଟକ ରଖି ଥାନାରେ ଏତଲା ଦେଇଛନ୍ତି।

ସୂଚନାନୁସାରେ, ଝାଡ଼ଭୂମି ଗ୍ରାମ ଠାରୁ କାଳୀମନ୍ଦିର ରାସ୍ତାରେ ମେଟାଲ୍‌ ମୋରମ୍ ପକାଇବାକୁ ପଞ୍ଚାୟତ ସମିତି ଫଣ୍ଡ୍‌ରୁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଆସିଛି। ମନରେଗା ଯୋଜନା‌ରେ ଶ୍ରମିକଙ୍କ ଦ୍ବାରା ଏହି କାମ କରାଇବାକୁ ନିର୍ଦ୍ଦେଶ ରହିଛି। ଗତକାଲି ରାତି ୧୦ଟାରେ କପାସିଆଢେପରୁ ଜେସିବି ଦ୍ବାରା ମୋରମ୍ ଖୋଳି ପାଞ୍ଚଟି ଟ୍ରାକ୍ଟରରେ ନିଆଯାଇ ରାସ୍ତା କାମ ଆରମ୍ଭ ହୋଇଥିଲା। ଏହା ଜାଣିବା ପରେ ଗ୍ରାମର ବହୁ ମହିଳା ଶ୍ରମିକ ସେଠାରେ ପହଞ୍ଚି ଏହାର ଦୃଢ଼ ପ୍ରତିବାଦ କରିବା ସହ କାମ ବନ୍ଦ କରି ଦେଇଥିଲେ। ଏହାଦେଖି କାମରେ ନିୟୋଜିତ ଠିକାଦାର ମାନେ ପଳାଇବା ସହ ଜେସିବି ମେସିନ୍‌ ନେଇଯାଇଥିଲେ। ଆଉ ମହିଳା ମାନେ ୫ଟି ମୋରମ୍ ଓ ମାଟି ବୋଝେଇ ଟ୍ରାକ୍ଟର୍‌କୁ ନଛାଡ଼ିବାରୁ ଚାଳକ ମାନେ ସେଠାରୁ ପଳାଇଥି‌ଲେ। ରାତି ସାରା ମହିଳା ମାନେ ଟ୍ରାକ୍ଟର୍ ଗୁଡ଼ିକୁ ଜଗି ରହିଥିଲେ। ବିଳମ୍ବିତ ରାତିରେ ମାଲିକ ମାନେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ମହିଳା ମାନେ ଟ୍ରାକ୍ଟର୍ ଛାଡ଼ିବାକୁ ରାଜି ହୋଇ ନଥିଲେ।

ଆଜି ସକାଳେ ଜଗନ୍ନାଥପ୍ରସାଦ ଥାନାରେ ଏତଲା ଦେବା ସହ ବେଆଇନ୍ ଭାବେ ଟ୍ରାକ୍ଟର୍ ନିୟୋଜିତ କରିଥିବା ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ଏନେଇ ସ୍ଥାନୀୟ ତହସିଲଦାର, ଭଞ୍ଜନଗର ଉପଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଅହଲ୍ୟା ନନ୍ଦ, ବାସନ୍ତୀ ନନ୍ଦ, ଲକ୍ଷ୍ମୀସ୍ୱାଇଁ, ଗୋଲାପ ନାୟକ, ସରସ୍ୱତୀ ନାୟକ, ତମାଳ ନାୟକ, ସୁକାନ୍ତି ନନ୍ଦ, ତିଳ ସ୍ୱାଇଁ, କୁମାରୀ ସ୍ୱାଇଁ, ଗୁରୁବାରି ଗୌଡ଼ ଓ କନ୍ଧୁଣୀ ଗୌଡ଼ ପ୍ରମୁଖ କହିଛନ୍ତି।

ଏ ନେଇ ଅତିରିକ୍ତ ତହସିଲଦାର ବାରିଆଲ୍ ମୁର୍ମୁ କହିଛନ୍ତି, ମୋରମ୍ ଉତ୍ତୋଳନ ପାଇଁ ଅନୁମତି ମିଳିଥିଲା କି ନାହିଁ ଏହାର ତଦନ୍ତ ହେବ। ସୂଚନା ଥାଉକି, ଏହା ପୂର୍ବରୁ ଗଣ୍ଡାଧର, ଜିରାବାଡ଼ି, କ୍ଷେ­ତମୁଣ୍ଡାଳି, ଅଢ଼େଇଗାଁ, ଜଗନ୍ନାଥପ୍ରସାଦ, ଗେରେଡ଼ା ଓ କୋକଳବା ପଞ୍ଚାୟତରୁ ମନେରଗା କାମରେ ଶ୍ରମିକଙ୍କ ବଦଳରେ ମେସିନ୍‌ ନିୟୋଜିତ ଅଭିଯୋଗ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe