‘ମୋ ଉପକାରୀ ବଗିଚା ଯୋଜନା’ରେ ମହାଦୁର୍ନୀତି! ୪.୫୧ କୋଟିର ହିସାବ ମିଳୁନି

Advertisment

ପ୍ରଭାବଶାଳୀଙ୍କ ଚାପରେ ପ୍ରଶାସନ ଚେପା

ପ୍ରଭାବଶାଳୀଙ୍କ ଚାପରେ ପ୍ରଶାସନ ଚେପା

‘ମୋ ଉପକାରୀ ବଗିଚା ଯୋଜନା’ରେ ମହାଦୁର୍ନୀତି! ୪.୫୧ କୋଟିର ହିସାବ ମିଳୁନି

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ‘ମୋ ଉପକାରୀ ବଗିଚା ଯୋଜନା’ରେ ମହାଦୁର୍ନୀତି। ଜିଲ୍ଲାର ଆର୍ଥିକ ଅନଗ୍ରସର ଆଦିବାସୀ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ କୋଠା ଘର ଥାଇ ସ୍ବଚ୍ଛଳବର୍ଗର ମହିଳା ଏଥିରୁ ଫାଇଦା ଉଠାଇଛନ୍ତି। ଲୋକାଲ୍‌ ଫଣ୍ଡ ଅଡିଟ୍ ରିପୋର୍ଟ ଅନୁଯାୟୀ ଏହି ଯୋଜନାରେ ୪ କୋଟି ୫୧ ଲକ୍ଷ ଟଙ୍କାର ହିସାବ ମିଳୁନାହିଁ। ଏହି ଦୁର୍ନୀତିରେ କିଛି ରାଜନେତା, ପ୍ରଭାବଶାଳୀ ଲୋକଙ୍କ ସହ ସରକାରୀ ବାବୁ ସଂଶ୍ଲିଷ୍ଟ ଥିବାରୁ ପ୍ରାଶାସନିକସ୍ତରରେ ତଦନ୍ତ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ।

କରୋନା ମହାମାରୀ ସମୟରେ କାମଧନ୍ଦା ଅଭାବରୁ ଗରିବ ଶ୍ରେଣୀର ଲୋକେ ଆର୍ଥିକ ଅନଟନରେ ଦିନ କାଟୁଥିଲେ। ଏହିସମୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ମୋ ଉପକାରୀ ବଗିଚା ଯୋଜନା’। ମହିଳାମାନେ ନିଜ ବାଡ଼ିବଗିଚାରେ ପନିପରିବା, ଫୁଲ ଓ ଫଳ ଚାଷ କରିବାକୁ ମନରେଗା ଯୋଜନାରେ ପ୍ରତି ମହିଳାଙ୍କୁ ୧୦ ହଜାର ୪୭୯ ଟଙ୍କା ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା। ଏହାବାଦ୍ ଜୀବିକା ମିସନ୍‌ ପକ୍ଷରୁ ପ୍ରତି ମହିଳା ହିତାଧିକାରୀଙ୍କୁ ବିହନ, ସାର ଓ କୀଟନାଶକ କିଣିବା ବାବଦରେ ୨୫୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଥିଲା। ଏହି ଯୋଜନାରେ କେଉଁ ବର୍ଗର ମହିଳାଙ୍କୁ ସାମିଲ କରାଯିବ, ସେ ସଂକ୍ରାନ୍ତରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସବୁ ବିଡିଓମାନଙ୍କୁ ଚିଠି କରିଥିଲେ। ଏହି ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରୁ ୨୧ ହଜାର ୩୧୫ ମହିଳାଙ୍କୁ ସାମିଲ କରାଯାଇଥିବାବେଳେ ସେଥିରୁ ୧୯ ହଜାର ୬୭୮ ଆଦିବାସୀ ମହିଳା ରହିଥିଲେ। ଏଥିପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ୨୧ କୋଟି ୮୭ ଲକ୍ଷ ୪୮ ହଜାର ଟଙ୍କାର ଅନୁଦାନ ଦିଆଯାଇଥିଲା। ତେବେ ପଞ୍ଚାୟତସ୍ତରରୁ ଆସିଥିବା ତାଲିକାକୁ କେହି ଗୁରୁତ୍ବ ଦେଲେନି। ସହାୟତା ପ୍ରଦାନ ବେଳେ କେବଳ ଆର୍ଥିକ ଅନଗ୍ରସର ଶ୍ରେଣୀର ମହିଳା ହିଁ ବାଦ୍ ପଡ଼ିଲେ। ସେପଟେ କୋଠାଘର ଥାଇ ଚାଷବାସ କରୁନଥିବା ସ୍ବଚ୍ଛଳବର୍ଗର ମହିଳାଙ୍କୁ ଅନୁଦାନ ମିଳିଲା। ଏ ବାବଦରେ ଗ୍ରାମାଞ୍ଚଳରୁ ଶହଶହ ଅଭିଯୋଗ ଆସିଥିଲେ ବି ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଅନୁଦାନ ମିଳିବ ବୋଲି କହି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲା ପ୍ରଶାସନ। ହେଲେ ଅନୁଦାନ ଦୂରେ ଥାଉ, ଘଟଣାର ଯାଞ୍ଚ ମଧ୍ୟ ହେଉନି ବୋଲି କହିଛନ୍ତି ଏହି ଯୋଜନାରୁ ବଞ୍ଚିତ ବିଶୋଇ ଅଞ୍ଚଳର ମମତା ମହାନ୍ତ ଓ ଦେବଯାନୀ ମୁର୍ମୁ। ତଥ୍ୟ ସମ୍ବଳିତ କାଗଜପତ୍ର ଓ ଫଟୋ ଦିଆଯାଇଥିଲେ ବି ସେମାନଙ୍କୁ ଯୋଜନାରେ ସାମିଲ କରାଗଲା ନାହିଁ ବୋଲି କହିଛନ୍ତି ଦେବଯାନୀ।

ଏହି ଯୋଜନାରେ ଯଶିପୁର, ଉଦଳା, କପ୍ତିପଦା, ବାଙ୍ଗିରପୋଷି, ଶୁଳିଆପଦା, ରାସଗୋବିନ୍ଦପୁର, ବିଶୋଇ, ଜାମଦା, ତିରିଂ ପ୍ରଭୃତି ବ୍ଲକ୍‌ରେ ଆଖିବୁଜା ଦୁର୍ନୀତି ହୋଇଥିବା ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି। କିଛି ରାଜନେତା ଓ ପ୍ରଭାବଶାଳୀ ଲୋକଙ୍କ ଇଙ୍ଗିତରେ ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ସହାୟତା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସିଥିବା ୨୧ କୋଟି ୮୭ ଲକ୍ଷ ୪୮ ହଜାର ଟଙ୍କାରୁ ୪ କୋଟି ୫୧ ଲକ୍ଷ ଟଙ୍କାର ହିସାବ ମିଳୁନଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ କିଛି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ‘ମୋ ବଗିଚା’ ନିମନ୍ତେ ଅନୁଦାନ ଆ‌ସିଥିବା ଜଣାପଡ଼ିଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଆଉ କେହି ଯୋଗ ଦେଇନଥିବାରୁ ଏ ବାବଦରେ କେହି ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe