ସମ୍ବଲପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି: ଶେଷରେ ବିଶ୍ବବିଦ୍ୟାଳୟ ଖାତାକୁ ଗଲା ୨୯ ଲକ୍ଷ ଟଙ୍କା

Advertisment

ପ୍ରମାଣ ତ ମିଳିଲା, କାର୍ଯ୍ୟାନୁଷ୍ଠାନ କାହିଁ?

ପ୍ରମାଣ ତ ମିଳିଲା, କାର୍ଯ୍ୟାନୁଷ୍ଠାନ କାହିଁ?

ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

Sambalpur University

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ପୁଣି ଅପଦସ୍ଥ ହେବାକୁ ପଡ଼ିଛି। ପରିଶେଷରେ ସରକାରଙ୍କ ଚାପରେ ଆସି ସେ ଆଜି ନିଜ ନା‌ମରେ ଥିବା ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ବ୍ୟାଙ୍କ ଆକାଉଣ୍ଟରୁ ୨୯ ଲକ୍ଷ ଟଙ୍କା ଉଠାଇ ବିତ୍ତ ନିୟନ୍ତ୍ରକଙ୍କ ନାମରେ ଥିବା ବିଶ୍ବବିଦ୍ୟାଳୟର ନିଜସ୍ବ ଆକାଉଣ୍ଟକୁ ଫେରାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ଏହି ଟଙ୍କା ଫେରସ୍ତ ଘଟଣା ଶ୍ରୀ ମିତ୍ତଲଙ୍କ ବିରୋଧରେ ଆଗତ ଗୁରୁତର ଆର୍ଥିକ ଅନିୟମିତତାର ଏକ ଠୋସ୍‌ ପ୍ରମାଣ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ସଂଶୟ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଶ୍ରୀ ମିତ୍ତଲ ଆଜିଠାରୁ ଛୁଟିରେ ରହିଛନ୍ତି। ତେବେ ସେ ବିଶ୍ବବିଦ୍ୟାଳୟର ଅତିଥିଶାଳାରେ ରହୁଥିବା ଜଣାପଡ଼ିଛି। ଶାରୀରିକ ସୁସ୍ଥତା ସତ୍ତ୍ବେ ଛୁଟି ନେଇ ଅତିଥିଶାଳାରେ ରହିବା ଘଟଣା ଏବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ ଯେ ବିଳାସପୁରସ୍ଥିତ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ ପକ୍ଷରୁ ‌ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ପାଇଁ ୩୩ ଲକ୍ଷ ୪୪ ହଜାର ଟଙ୍କା ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଦିଆଯାଇଥିଲା। ଓଡ଼ିଶାର ‌କୋରାପୁଟ, ନବରଂଗପୁର, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାର ଲୋକମାନଙ୍କର ପାଇଖାନା ବ୍ୟବହାର ସଂପର୍କିତ ସ୍ଥିତି ସର୍ଭେ କରିବା ନିମନ୍ତେ ଏହି ଅର୍ଥ ଖର୍ଚ୍ଚ ହୋଇଥାନ୍ତା। ବିତ୍ତ ନିୟନ୍ତ୍ରକଙ୍କ ନାମରେ ଥିବା ବିଶ୍ବବିଦ୍ୟାଳୟର ଆକାଉଣ୍ଟକୁ ଏହି ଅର୍ଥ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ପାଇଁ ଜ୍ୟୋତିବିହାର ଶାଖାର ଷ୍ଟେଟ୍‌ ବ୍ୟାଙ୍କରେ ଅନ୍ୟ ଏକ ଆକାଉଣ୍ଟ ଖୋଲାଯାଇ ସେଥିରେ ଟଙ୍କା ଜମା ରଖାଯାଇଥିଲା। କୁଳପତି ବିଭିନ୍ନ ପ୍ରକଳ୍ପ ନିମନ୍ତେ ସଂପୃକ୍ତ ବିଭାଗର ଦାୟିତ୍ବବାନ ଅଫିସରଙ୍କୁ ‘ପିଓ’ ନିଯୁକ୍ତ କରୁଥିବା ବେଳେ ପ୍ର‌‌ଫେସର ମିତ୍ତଲ ନିଜେ ଏହି ପ୍ରକଳ୍ପର ‘ପିଓ’ ଦାୟିତ୍ବ ନେଇଥିଲେ।

ଆଉ ପ୍ରକଳ୍ପ ବାବଦ ବ୍ୟାଙ୍କ ଆକାଉଣ୍ଟରୁ ଦୁଇଟି ପର୍ଯ୍ୟାୟରେ ୨୫ ଲକ୍ଷ  ଏବଂ ୪ ଲକ୍ଷ ଟଙ୍କା ତାଙ୍କ ଅତି ନିକଟ ସଂପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଏହା ହିଁ କୁଳପତିଙ୍କ ପାଇଁ ସବୁଠାରୁ ବଡ଼ ବିପଦର କାରଣ ପାଲଟିଥିଲା। ଯେତେ ଯାହା ଅଭିଯୋଗ ଆସିଲେ ବି ସବୁବେଳେ ଖସି ଯାଉଥିବା ପ୍ରଫେସର ମିତ୍ତଲ କିନ୍ତୁ, ଏଥର ଆଉ ମୁକୁଳି ପାରିନଥିଲେ। ଦୁଇ ଦୁଇ ଥର କୁଳାଧିପତିଙ୍କୁ ଚିଠି ଲେଖି ଏହି ଆର୍ଥିକ ଅନିୟମିତତା ଉପରେ ସଫେଇ ଦେଇଥିଲେ ହେଁ ତାହା ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟ କୁଳାଧିପତିଙ୍କୁ ଦିଆଯିବା ପରେ ସମ୍ଭବତଃ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲକ୍ଷ୍ୟନେଇ ପ୍ରଫେସର ମିତ୍ତଲ ଜୁଲାଇ ୨୦ ତାରିଖରେ ୨୫ ଲକ୍ଷ ଟଙ୍କା ଏବଂ ଜୁଲାଇ ୨୧ ତାରିଖରେ ଅବଶିଷ୍ଟ ୪ ଲକ୍ଷ ଟଙ୍କା ଯେଉଁ ଆକାଉଣ୍ଟ(ପ୍ରକଳ୍ପ ଆକାଉଣ୍ଟ)ରୁ ନିଜର ଅତି ନିକଟ ସଂପର୍କୀୟଙ୍କ ପାଖକୁ ଟଙ୍କା ପଠାଇଥିଲେ, ସେହି ଆକାଉଣ୍ଟରେ ପୁଣି ଜମା କରିଦେଇଥିଲେ। ଉକ୍ତ ଆକାଉଣ୍ଟ ତାଙ୍କ ନାମରେ ଥିବାରୁ ସେ ଚାହିଲେ ପୁଣି କେତେବେଳେ ଉଠାଇ ନେବାର ଆଶଙ୍କା ରହିଥିଲା।

ସମ୍ଭବତଃ ସରକାରୀ ଚାପ ଯୋଗୁ ଆଜି ସେ ପୁନର୍ବାର ବିଶ୍ବବିଦ୍ୟାଳୟର ମୂଳ ଆକାଉଣ୍ଟରେ ସେହି ୨୯ ଲକ୍ଷ ଟଙ୍କା ଜମା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏପଟେ ସେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ନେଇଥିଲେ ହେଁ ଜ୍ୟୋତିବିହାର ଛାଡ଼ି ବାହାରକୁ ଯାଇନଥିବା ଜଣାପଡ଼ିଛି। ତେବେ, ରାଜ୍ୟ ସରକାର ଏବେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଳମ୍ବନ କରୁଥିବା କଥା କହୁଥିବା ବେଳେ କୁଳପତି ପ୍ରଫେସର ମିତ୍ତଲଙ୍କ କ୍ଷେତ୍ରରେ ଦୋହରାନୀତି ଅବଳମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଟଙ୍କା ଫେରାଇଥିବା କାରଣରୁ ଆର୍ଥିକ ଅନିୟମିତତା ହୋଇଥିବା କଥା ସ୍ପଷ୍ଟ ହୋଇସାରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। କିନ୍ତୁ ତାହା ଏଯାଏ ହେଲାନାହିଁ। ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଏ କ୍ଷେତ୍ରରେ କୁଆଡ଼େ ଗଲା ବୋଲି ଏବେ ଅଂଚଳରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe