ଶ୍ୟାମବାବା ମନ୍ଦିରରେ କେଳେଙ୍କାରୀ !

Advertisment
ଶ୍ୟାମବାବା ମନ୍ଦିରରେ କେଳେଙ୍କାରୀ !

ବରଗଡ଼: ବରଗଡ଼ ଜିଲ୍ଲା ଭଟଲିସ୍ଥିତ ସିଦ୍ଧପୀଠ ଶ୍ୟାମବାବା ବା ମାଧୋ ମନ୍ଦିରରେ ବ୍ୟାପକ କେଳେଙ୍କାରୀ ଚାଲିଥିବା ଅଭିଯୋଗ ହୋଇଛି। ଶ୍ୟାମ ବାବାଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ‌ହିସାବ ପରିଚାଳକଙ୍କ ପାଖରେ ରହୁନି। ମନ୍ଦିରକୁ ଦାନ ହିସାବରେ ଆସୁଥିବା କୋଟି କୋଟି ଟଙ୍କାର ହେରଫେର୍‌ ଚାଲିଥିବା ସାଂଘାତିକ ଅଭିଯୋଗ ସାମନାକୁ ଆସିଛି। ମନ୍ଦିର ଆକାଉଣ୍ଟରେ କେତେ ଟଙ୍କା ଏବଂ ଦାନ ବାବଦକୁ ମିଳିଥିବା ସୁନା ରୁପା ଅଳଙ୍କାରର ସଠିକ୍‌ ହିସାବ ଟ୍ରଷ୍ଟ ପାଖରେ ନାହିଁ ବୋଲି କୁହାଯାଉଛି। ୧୯୫୯ ମସିହାରେ ଏହି ପ୍ରସିଦ୍ଧ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସ୍ୱର୍ଗତ ମାଧଲାଲ ଅଗ୍ରୱାଲ ହନୁମାନଙ୍କ ଉପାସନା କରି ସିଦ୍ଧି ପାଇବା ପରେ ସେ ଭଟଲିର କୁଶନପୁରୀଠାରେ ଶ୍ୟାମ ମନ୍ଦିର ପ୍ରତିଷ୍ଠା କରିଥିଲେ।

ଏହି ମନ୍ଦିରରେ ଶ୍ୟାମ ଖାଟୁ ସହ ରାଧାକୃଷ୍ଣ, ଶିବ, ଦୁର୍ଗା ମା' ଓ ହନୁମାନ ବାବାଙ୍କ ମନ୍ଦିର ରହିଛି। ପରେ ପ୍ରତିଷ୍ଠାତା ମାଧ ବାବା ନିଜ ବଡ଼ପୁଅ ନାମରେ ରାଜିନାମା କରି ଦେଇଥିଲେ। ମନ୍ଦିର ଏକ ସିଦ୍ଧପୀଠ ହୋଇଥିବାରୁ ଏଠାରେ କ୍ରମଶଃ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଲା। ବର୍ଷକୁ ଦାନ ଦକ୍ଷିଣା ବାବଦକୁ କୋଟି କୋଟି ଟଙ୍କା ମନ୍ଦିରକୁ ଆସିଲା। କିନ୍ତୁ ଏହାର ସଠିକ୍‌ ଆୟବ୍ୟୟର ହିସାବ ଟ୍ରଷ୍ଟୀମାନେ ରଖୁ ନଥିବା ଜଣାପଡ଼ିଛି। ଆୟକର ଦାଖଲରେ ବି ଗଡ଼ବଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ପୂର୍ବତନ ଟ୍ରଷ୍ଟୀ ବଜରଂଗଲାଲ ଅଗ୍ରୱାଲ ପୂର୍ବରୁ ଭଟଲି ଥାନାରେ ଲିଖିତ ଅଭିଯୋଗ ବି କରିଥିଲେ। କିନ୍ତୁ କିଛି ପଦକ୍ଷେପ ନ ହେବାରୁ ମନ୍ଦିରର କେଳେଙ୍କାରୀ ଚରମ ସୀମାରେ ପହଂଚିଥିବା ଜଣାପଡ଼ିଛି। ୨୦୧୩-୧୪ ମସିହାରୁ ମନ୍ଦିରର ଆୟକର ଦାଖଲ ହୋଇନଥିବା ଜଣାପଡ଼ିଛି। ଅନ୍ୟ ଏକ ତଥ୍ୟଭିତ୍ତିକ ଅଭିଯୋଗ ଅନୁସାରେ, ଶ୍ୟାମବାବାଙ୍କ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ଥିଲେ ସୁଦ୍ଧା ଆୟକର ବିଭାଗ ପାଖରେ କୌଣସି ତଥ୍ୟ ନାହିଁ।

ବାରମ୍ବାର ଆୟକର ବିଭାଗ  ନୋଟିସ୍‌ ଜାରି କରୁଥିଲେ ହେଁ ଗତ ୧୨ ବର୍ଷ ହେଲା ତାକୁ ବର୍ତମାନ ଟ୍ରଷ୍ଟକୁ ପରିଚାଳନା କରୁଥିବା କମିଟି ଅବମାନନା କରୁଥିବା ଜଣାପଡ଼ିଛି। କିଛି ଦିନ ତଳେ ମାଧବାବାଙ୍କ ସ୍ତ୍ରୀଙ୍କ ମୂର୍ତ୍ତି ଓ ସେ ରହୁଥିବା ଘରକୁ ଭାଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ମାମଲା ଆଗକୁ ବଢ଼ି ନାହିଁ। ତେବେ ଏହି ଘଟଣା ମନ୍ଦିର ଭିତରେ ଥିବା ବିବାଦକୁ ପଦାରେ ପକାଇ ଦେଇଛି। ମାମଲାର ବିଧିବଦ୍ଧ ତଦନ୍ତ କରି ପଦକ୍ଷେପ ନେବାକୁ ଭକ୍ତମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କମିଟି ସଂପାଦକ ଶିବ ଅଗ୍ରୱାଲ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଭିଯୋଗକାରୀ ବଜରଂଗ ଅଗ୍ରୱାଲ ମନ୍ଦିର ଉପରେ ନିଜ ଆଧିପତ୍ୟ ଜାହିର କରିବାକୁ ଏଭଳି ଷଡ଼୍‌ଯନ୍ତ୍ର କରୁଛନ୍ତି। ଅଯଥାରେ ମନ୍ଦିର ଓ ଏହାର ପରିଚାଳକଙ୍କୁ ବଦନାମ କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe