କଟକ: ତାଳଦଣ୍ଡା କେନାଲ ସଂପ୍ରସାରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ଦୁର୍ନୀତି ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ କେନାଲର ଉଭୟ ପାର୍ଶ୍ବରେ ସିନ୍ଥେଟିକ୍ ୱାଲ୍ ନିର୍ମାଣ ଚାଲିଥିବା ବେଳେ ଗଲା ୩ ବର୍ଷ ଭିତରେ ଖର୍ଚ୍ଚ ୭୫ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ କହୁଛି। ୨୦୨୧ରୁ ୨୦୨୪ ମଧ୍ୟରେ ଖର୍ଚ୍ଚ ୭୫ ପ୍ରତିଶତ ବୃଦ୍ଧି ହେବା ଘଟଣା ବଡ଼ ଧରଣର ଦୁର୍ନୀତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ବିଜେଡି ସରକାର ଅମଳରେ ୫-ଟି ଯୋଜନାରେ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟୀକରଣ ଓ ଦୁଇ ପଟ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତାଳଦଣ୍ଡା କେନାଲ ସିନ୍ଥେଟିକ୍ ୱାଲ୍ ନିର୍ମାଣ ଖର୍ଚ୍ଚ ସଂପର୍କରେ ଓଡ଼ିଶା କନଷ୍ଟ୍ରକସନ୍ସ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍)କୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗା ଯାଇଥିଲା। କର୍ପୋରେସନ୍ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଯୋବ୍ରା ବ୍ୟାରେଜରୁ ନୂଆବଜାର ବ୍ରିଜ ମଧ୍ୟରେ ୩ଟି ପର୍ଯ୍ୟାରେ ସିନ୍ଥେଟିକ୍ ୱାଲ୍ ନିର୍ମାଣ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ବ୍ୟାରେଜରୁ ରାଣୀହାଟ ପୋଲ ମଧ୍ୟରେ ୧.୫ କିଲୋମିଟର କେନାଲର ଉଭୟ ପାର୍ଶ୍ବରେ ୨୦୨୧ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ସିନ୍ଥେଟିକ୍ ୱାଲ୍ ନିର୍ମାଣ କରାଯାଇଥିଲା। ଏଥିରେ ୪୯ ହଜାର ୯୩୨ ବର୍ଗମିଟରର ସିନ୍ଥେଟିକ୍ ୱାଲ୍ କାମ ହୋଇଥିଲା। ନିର୍ମାଣରେ ବର୍ଗମିଟର ପିଛା ୪ ହଜାର ୯୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଉକ୍ତ ଟଙ୍କାରେ ୱାଲ୍ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ସିଜିସିଏମ୍ ଓ ଜିଓଟେଏସ୍ଟାଇଲ୍ସ ଫିଲ୍ଟର ସହିତ ଶ୍ରମ ବାବଦ ଦେୟ ରହିଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ରାଣୀହାଟ ପୋଲରୁ ମାତୃଭବନ ସ୍ଲୁଇସ୍ ଗେଟ୍ ମଧ୍ୟରେ ୧.୫ରୁ ୩.୧ କିଲୋମିଟର ସିନ୍ଥେଟିକ୍ ୱାଲ୍ ନିର୍ମାଣ କାମ ୨୦୨୨ ସେପ୍ଟେମ୍ବରରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ହୋଇଥିଲା। ଏଥିରେ ୬୩ ହଜାର ୭୯୪ ବର୍ଗମିଟର କାମ ହୋଇଥିବା ବେଳେ ବର୍ଗମିଟିର ପିଛା ୫ ହଜାର ୭୩ ଟଙ୍କା ଖର୍ଚ୍ଚ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ମାତୃଭବନରୁ ନୂଆବଜାର ବ୍ରିଜ ମଧ୍ୟରେ ୩.୧ରୁ ୫.୧କିଲୋମିଟର ସିନ୍ଥେଟିକ୍ ୱାଲ୍ ନିର୍ମାଣ କାମ ୨୦୨୩ ମେ’ରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ହୋଇଥିଲା।
ଉକ୍ତ କାମରେ ୨୭ ହଜାର ୮୭୦ ବର୍ଗ ମିଟର କାମ ହୋଇଥିବା ବେଳେ ଏ ବାବଦରେ ବର୍ଗ ମିଟର ପିଛା ୭ ହଜାର ୫୩ଟଙ୍କା ଖର୍ଚ୍ଚ ହୋଇଛି। ତେବେ ୨୦୨୧ରେ ଯେଉଁଠି ବର୍ଗମିଟର ସିନ୍ଥେଟିକ୍ ୱାଲ୍ ନିର୍ମାଣ ପାଇଁ ୪ ହଜାର ୯୦ ଟଙ୍କା ଖର୍ଚ୍ଚ ହେଉଥିଲା, ତାହା ମାତ୍ର ତିନି ବର୍ଷ ମଧ୍ୟରେ ୭ ହଜାର ୫୩ ଟଙ୍କାରେ ପହଞ୍ଚିବାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ୱାଲ୍ ନିର୍ମାଣରେ ଶିଉଳି ଲାଗିବ ନାହିଁ କି ରଙ୍ଗ ଛାଡ଼ିବ ନାହିଁ ବୋଲି ଆରମ୍ଭରୁ କୁହାଯାଇଥିଲା। କିନ୍ତୁ ନିର୍ମାଣର ବର୍ଷକ ମଧ୍ୟରେ ଏହାର ରଙ୍ଗ ଛାଡ଼ିବା ସହ ଶିଉଳି ଲାଗିବା ଆରମ୍ଭ ହୋଇଛି। ଏପରିକି ଗତବର୍ଷ କେନାଲର କିଛି ଅଂଶକୁ ୨ କୋଟି ଟଙ୍କା ଖର୍ଚ୍ଚରେ ରଙ୍ଗ କରାଯାଇଛି। କେନାଲର ଉଭୟ ପାର୍ଶ୍ବରେ କକ୍ରିଂଟ ଢଳେଇରେ ୱାଲ୍ ନିର୍ମାଣ କରିଥିଲେ ବର୍ଗମିଟର ପିଛା ୧୨ଶହ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ ୬୦ କୋଟିରୁ ଅଧିକ ଟଙ୍କାରେ ସିନ୍ଥେଟିକ୍ ୱାଲ୍ ନିର୍ମାଣ କରିବା ଓ ଏହା ବର୍ଷକ ମଧ୍ୟରେ ଖରାପ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଛି।
Follow Us