ମିଲେଟ୍ ମିସନରେ ମହାଦୁର୍ନୀତି: କର୍ଣ୍ଣାଟକରୁ ଆସୁଛି ମାଣ୍ଡିଆ, ରାୟଗଡ଼ା ଚାଷୀଙ୍କ ନାଁରେ ବିକ୍ରି

Advertisment

ମଣ୍ଡି ଅର୍ଥ ହଡ଼ପ କରି ମାଲାମାଲ ଏନ୍‌ଜିଓ, ତଦନ୍ତ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମଣ୍ଡି ଅର୍ଥ ହଡ଼ପ କରି ମାଲାମାଲ ଏନ୍‌ଜିଓ, ତଦନ୍ତ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମିଲେଟ୍ ମିସନରେ ମହାଦୁର୍ନୀତି: କର୍ଣ୍ଣାଟକରୁ ଆସୁଛି ମାଣ୍ଡିଆ, ରାୟଗଡ଼ା ଚାଷୀଙ୍କ ନାଁରେ ବିକ୍ରି

Fortune India: Business News, Strategy, Finan

ରାୟଗଡ଼ା: ଟ୍ରକ୍‌ ଟ୍ରକ୍ ମାଣ୍ଡିଆ ଆସୁଛି କର୍ଣ୍ଣାଟକ ଓ ଆନ୍ଧ୍ରରୁ। ମଣ୍ଡିରେ ବିକ୍ରି ହେଉଛି ରାୟଗଡ଼ା ଚାଷୀଙ୍କ ନାଁରେ। ଉତ୍ପାଦନ ନଥିବା ସତ୍ତ୍ବେ ତଞ୍ଚକତା କରି ମଣ୍ଡି ଅର୍ଥ ହଡ଼ପ କରୁଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ। କାଗଜପତ୍ରରେ ମିଛ ଚାଷୀଙ୍କ ନାଁ ଦର୍ଶାଇ ପ୍ରତି ବର୍ଷ ହଡ଼ପ ଚାଲିଛି ଲକ୍ଷାଧିକ ଟଙ୍କା। ଚନ୍ଦ୍ରପୁରର ପ୍ରଭାତ ଏନ୍‌ଜିଓ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ କର୍ଣ୍ଣାଟକରୁ ଆସିଥିବା ମାଣ୍ଡିଆ ଟ୍ରକ୍‌କୁ ଅଟକ ରଖି ଗୁମର ଖୋଲିଛନ୍ତି ଗ୍ରାମବାସୀ ଓ ଚାଷୀ। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ଚନ୍ଦ୍ରପୁର ଯାଇ ତଦନ୍ତ କରିଛନ୍ତି।

ରାଜ୍ୟରେ ମାଣ୍ଡିଆ କ୍ରୟ ପାଇଁ ଆଦିବାସୀ ଉନ୍ନୟନ ସମବାୟ କର୍ପୋରେସନ (ଟିଡିସିସି)କୁ ଦାୟିତ୍ବ ଦିଆଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସମବାୟ ବିଭାଗ ଓ ମିଲେଟ୍ ମିସନ୍ ସହ‌‌ଯୋଗରେ ରାୟଗଡ଼ା ଜିଲ୍ଲାରେ ୧୩ଟି ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଓ ୭ଟି ଚାଷୀ ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ନିମନ୍ତେ ମଣ୍ଡି ଖୋଲାଯାଇଛି। ଚନ୍ଦ୍ରପୁର ବ୍ଲକରେ ଏଫ୍‌ପିଓ ମାଧ୍ୟମରେ ମାଣ୍ଡିଆ କିଣିବା ପାଇଁ ପ୍ରଭାତ ନାମକ ସ୍ବେଚ୍ଛାସେବୀ ସଂଗଠନ ଅନୁବନ୍ଧିତ ହୋଇଛି। ତେବେ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲାର ଚାଷୀଙ୍କ ନିକଟରୁ ମାଣ୍ଡିଆ ନ କିଣି ବାହାର ରାଜ୍ୟରୁ ଆଣି ଆରଏମ୍‌ସି ଗୋଦାମରେ ମହଜୁଦ୍ ରଖି ବିକ୍ରି କରୁଛି।

ଗତ ୬ତାରିଖରେ କର୍ଣ୍ଣାଟକରୁ ଏକ ମାଣ୍ଡିଆ ବୋଝେଇ ଟ୍ରକ୍ ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗ‌ସୋରଡ଼ା ପଞ୍ଚାୟତକୁ ଆସିଥିଲା। ହାଟପଦାରେ ମାଣ୍ଡିଆ ଅନ‌୍‌ଲୋଡ୍ ହେଉଥିବା ବେ‌ଳେ ଗ୍ରାମବାସୀ ସନ୍ଦେହରେ ଡ୍ରାଇଭରକୁ ପଚରାଉଚରା କରି ଟ୍ରକ୍‌ରେ ମାଣ୍ଡିଆ ଥିବା ଜାଣି ପାରିଥିଲେ। କର୍ଣ୍ଣାଟକରୁ ଆସିଥିବା ଟ୍ରକରେ ୩୫ଟନ୍ ମାଣ୍ଡିଆ ଥିବା ନେଇ ଗ୍ରାମବାସୀ ଚନ୍ଦ୍ରପୁର ପୁଲିସକୁ ଅବଗତ କରିଥିଲେ। ପୁଲିସ ଏଥିରେ ହସ୍ତକ୍ଷେପ ନ କରିବାରୁ ଗ୍ରାମବାସୀ ଟ୍ରକ୍‌କୁ ଛାଡ଼ି ଦେଇଥିଲେ। ଡାଙ୍ଗସୋରଡ଼ା ସରପଞ୍ଚ ଅନିତା ଶବର ଅଭିଯୋଗ କରିଛନ୍ତି, ପ୍ରଭାତ ସ୍ବେଚ୍ଛାସେବୀ ସଂଗଠନ ସିଂ ଟ୍ରେଡର୍ସ ନାମକ ସଂସ୍ଥା ଦ୍ବାରା ରାଜ୍ୟ ବାହାରୁ ଶହ ଶହ କ୍ବିଣ୍ଟାଲ୍ ମାଣ୍ଡିଆ ଆଣି ଚାଷୀଙ୍କ ନାମରେ ମଣ୍ଡିରେ ବିକ୍ରି କରୁଛି। ଚଳିତ ବର୍ଷ ଚନ୍ଦ୍ରପୁର ବ୍ଲକକୁ ୧୧ ହଜାର କ୍ବିଣ୍ଟାଲ୍ ମାଣ୍ଡିଆ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ‌ଏତେ ପରିମାଣର ମାଣ୍ଡିଆ ସୁଦୂର କର୍ଣ୍ଣାଟକରୁ ଆସିଲା କାହିଁକି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରୀ ସୂଚନା ମୁତାବକୁ ଆଜି ସୁଦ୍ଧା ଚନ୍ଦ୍ରପୁର ବ୍ଲକରୁ ୬୧୫୯ କ୍ବିଣ୍ଟାଲ ମାଣ୍ଡିଆ ମଣ୍ଡି ମାଧ୍ୟମରେ କିଣାଯାଇଛି। ଗତ ୨୦୨୨-୨୩ ମସିହାରେ ରାଜ୍ୟରେ କୋରାପୁଟ ଜିଲ୍ଲା ମାଣ୍ଡିଆ ସଂଗ୍ରହରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବ୍ଲକସ୍ତରରେ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା। କିନ୍ତୁ ସ୍ବେଚ୍ଛାସେବୀ ସଂଗଠନର କେଳେଙ୍କାରୀ ଜଣାପଡ଼ିବା ପରେ ମିଲେଟ୍ ମିସନ୍ ପଛର ଅସଲ ଚିତ୍ର ପଦାକୁ ଆସିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ୯୦ହଜାର କ୍ବିଣ୍ଟାଲ୍ ମାଣ୍ଡିଆ ସଂଗ୍ରହ ଟାର୍ଗେଟ ଥିବାବେଳେ ଆଜି ଯାଏ ମାତ୍ର ୩୭ହଜାର ୬୬୭ କ୍ବିଣ୍ଟାଲ୍ ମାଣ୍ଡିଆ ସଂଗ୍ରହ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe