ମାସ୍କ, ପିପିଇ କିଟ୍ କିଣାରେ ଦୁର୍ନୀତି ପ୍ରସଙ୍ଗ: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ: ନିରଞ୍ଜନ

Advertisment
ମାସ୍କ, ପିପିଇ କିଟ୍ କିଣାରେ ଦୁର୍ନୀତି ପ୍ରସଙ୍ଗ: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ: ନିରଞ୍ଜନ

ଭୁବନେଶ୍ବର: ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସଂପୃକ୍ତି ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଲୋକାୟୁକ୍ତ ଏହି କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିସ୍‌ କରିବା ଘଟଣା କଂଗ୍ରେସ ଦଳର ଏକ ନୈତିକ ବିଜୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଇନ୍‌ର ଅଦାଲତରେ ଆମର ନୈତିକ ବିଜୟ ପରେ ଏହି ଦୁର୍ନୀତି ପ୍ରସଙ୍ଗକୁ ଲୋକଙ୍କ ଅଦାଲତକୁ ନେବାକୁ କଂଗ୍ରେସ ଦଳ ନିରନ୍ତର ଉଦ୍ୟମ ଜାରି ରଖିଛି। ମାସ୍କ, ପିପିଇ କିଟ୍ ଓ କୋଭିଡ୍ ସାମଗ୍ରୀ କିଣାରେ ହୋଇଥିବା ଦୁର୍ନୀତିରେ ଜରୁରିକାଳୀନ କ୍ରୟ କମିଟି, ମନ୍ତ୍ରୀ ସ୍ତରୀୟ କମିଟି ଓ ଏପରିକି କ୍ୟାବିନେଟ୍ କମିଟିର ଅନୁମୋଦନ ଥିବା ଘଟଣାକୁ ସରକାରୀ ଅଧିକାରୀମାନେ ଲୋକାୟୁକ୍ତଙ୍କ ଆଗରେ ପରିପ୍ରକାଶ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇଥିବାରୁ ଭିଜିଲାନ୍ସ ଅଧିକାରୀମାନେ ସଂପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଅତ୍ୟନ୍ତ ଜରୁରି ଅଟେ। ୫-ଟି ଓ ସ୍ୱଚ୍ଛ ସରକାରର ଫମ୍ପା ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓ ବିଜେଡି ଲୋକଙ୍କ ଟିକସରୁ ଆଦାୟ ଅର୍ଥକୁ ହରିଲୁଟ୍ କରିଥିବାର ମସୁଧାକୁ ଓଡିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଆସନ୍ତା ଫେବ୍ରୁଆରି ମାସ ମଧ୍ୟରେ ଭିଜିଲାନ୍ସ ଲୋକାୟୁକ୍ତଙ୍କୁ ସବିଶେଷ ତଦନ୍ତର ତଥ୍ୟ ପ୍ରଦାନ ପର୍ଯ୍ୟନ୍ତ କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ନିକଟରେ ଉକ୍ତ ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନାତ୍ମକ ପଦକ୍ଷେପ ଜାରି ରଖିବ। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଓ ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe