ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିବା ପରେ ଓଡ଼ିଶା ଫେରିଛନ୍ତି। ଆଉ ଫେରୁ ଫେରୁ ପରୋକ୍ଷ ଭାବେ ରାଜ୍ୟ ସରକାରଙ୍କୁ ସିବିଆଇ ଓ ଇଡିର ଧମକ ଦେଖାଇଛନ୍ତି। ଶ୍ରୀ ମିଶ୍ର ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଅନେକ ଲୋକଙ୍କ ଦୁର୍ନୀତିରେ ଓଡ଼ିଶା ଭାରାକ୍ରାନ୍ତ ହୋଇଯାଇଛି। ଏଣୁ ମୁଁ ଭାବୁଛି ଯେ ଏଠାକୁ ସିବିଆଇ ଓ ଇଡି ଆସିବାର ଆବଶ୍ୟକତା ରହିଛି। କିନ୍ତୁ ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ନାହିଁ, ତାହା ମୁଁ ଜାଣିନି। ମୁଁ ସିବିଆଇ ଓ ଇଡିର ପ୍ରବକ୍ତା ନୁହେଁ। ସିବିଆଇ ଓ ଇଡି ଆମର ରାଜନୈତିକ ଅସ୍ତ୍ର ନୁହନ୍ତି। ଆମ କର୍ମକର୍ତ୍ତାଙ୍କ ପରିଶ୍ରମରେ ଆମେ ପରିବର୍ତ୍ତନ କରିବୁ।
୨୦୨୪ରେ ସରକାର ଗଠନ କରିବା ନେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୨୪ରେ ଜୋରଦାର ଲଢ଼େଇ ହେବ। ଆମେ ଏବେ ସାର ଦେବା ପ୍ରକ୍ରିୟାରେ ରହିଛୁ। ୨୦୨୪ରେ ଫସଲ ଅମଳ କରିବୁ। ଯେହେତୁ ଫଳ ଧରିନି, ତେଣୁ ଦେଖାଯାଉନି। ଏକାଦିନେ ସବୁ କାମ ହୁଏନି। ସେଥିପାଇଁ ପ୍ରକ୍ରିୟା ଚାଲିଛି। ସେହିପରି ନଡ୍ଡା ଓ ଶାହଙ୍କ ସହ ଆଲୋଚନା ନେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ସେମାନେ ଓଡ଼ିଶା ରାଜନୀତି ନେଇ କିଛି କଥା ଜାଣି ନଥାଇପାରନ୍ତି। କିନ୍ତୁ ଓଡ଼ିଶା ବିଷୟରେ ଟିକିନିଖ୍ ଖବର ରଖିଛନ୍ତି। ତୃଣମୂଳ ସ୍ତରରେ କ’ଣ ଘଟୁଛି ସେନେଇ ଆମ ଅପେକ୍ଷା ତାଙ୍କ ପାଖରେ ଅଧିକ ସୂଚନା ଅଛି। ୨୦୨୪ରେ ଓଡ଼ିଶାରେ ଦଳର ରଣନୀତି କ’ଣ ରହିବ ସେନେଇ ଆଲୋଚନା ହୋଇଛି।
Follow Us