deccanchronicle.com
ସୁନ୍ଦରଗଡ଼ : ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇ ଦୁର୍ନୀତିଗ୍ରସ୍ତଙ୍କୁ ତତ୍କ୍ଷଣାତ କଠୋର ଦଣ୍ଡବିଧାନ କରୁଥିବା କହୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ସାରାରାଜ୍ୟରେ ଲାଗୁ ହୋଇଛି ଦୁର୍ନୀତି ନିବାରଣର ସ୍ବତନ୍ତ୍ର ୫-ଟି କାର୍ଯ୍ୟକ୍ରମ। କିନ୍ତୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ମାଳମାଳ ଦୁର୍ନୀତି ଓ ସେଥିପ୍ରତି ଶୂନ କାର୍ଯ୍ୟାନୁଷ୍ଠାନ ଜିଲ୍ଲାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ନୀତି ଓ ଅନିୟମିତତାକ୍ରମରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ଠାରୁ ଆରମ୍ଭକରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍), ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡ୍ସି), ଜିଲ୍ଲା ଯୋଗାଣ ବିଭାଗର ପିଡିଏସ୍ ଯୋଗାଣ, ଗ୍ରାମ୍ୟ ପରିମଳ ଶୌଚାଳୟ ନିର୍ମାଣ, ନଳକୂପ ଖନନ, ଆର୍ଡି ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଆଦିରେ ବିପୁଳ ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ରହିଛି।
ଆଇଟିଡିଏ ଓ ଡିଏମ୍ଏଫ୍ ନାମରେ ଆସିଥିବା ଦୁର୍ନୀତି, ଅନିୟମିତତା ଅଭିଯୋଗର ତାଲିକା ବେଶ୍ ଲମ୍ବା। ଆଇଟିଡିଏରେ ଆଦିବାସୀଙ୍କ ତାଲିମ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଅର୍ଥରୁ ଠିକାଦାର ଓ ବିଭାଗୀୟ ନିର୍ବାହୀଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ ମିଥ୍ୟା ବିଲ୍ କରି କୋଟି କୋଟି ଟଙ୍କା ହଡ଼ପ କରିଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାରାଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ତା’ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସମସ୍ତ ରାଜନୈତିକ ଦଳ ସ୍ବର ଉଠାଇଥିଲେ। ଅଭିଯୋଗକୁ ବର୍ଷେ ବିତିଗଲାଣି। କିନ୍ତୁ ଜିଲ୍ଲା ପ୍ରଶାସନ ତଦନ୍ତ ନାମରେ ଏଯାଏଁ ଦିନ ଗଡ଼ାଇ ଚାଲିଛନ୍ତି। ସେହିପରି ଦୁଇମାସ ତଳେ ଯୋଗାଣ ବିଭାଗର ପିଡିଏସ୍ ଦୁର୍ନୀତିକ୍ରମରେ ମାସିକ ୩ ହଜାର କ୍ବିଣ୍ଟାଲ ଚାଉଳ ହଡ଼ପ ପରି ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆସିଥିଲା। ଜିଲ୍ଲାର ପଞ୍ଚାୟତଗୁଡ଼ିକୁ କମ୍ ଚାଉଳ ଯୋଗାଇ ଯୋଗାଣ ଅଧିକାରୀ ଓ ପରିବହନକାରୀ ଠିକାଦାର ବାଟମାରଣା କରୁଥିବା, ଜିଲ୍ଲାରେ ନକଲି ଶ୍ରୀଓମ୍ ବ୍ରାଣ୍ଡ ଚାଉଳ ବିକ୍ରି, ଘଟଣାକ୍ରମରେ ନୂଆଗାଁ ବ୍ଲକ୍ ପୁରୁଣାପାଣି ପଞ୍ଚାୟତକୁ ପଠାଯାଇଥିବା ୩୨୦ ବସ୍ତା ଚାଉଳ ଗାଏବ, ଟ୍ରକ୍ରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ ଚାଉଳ, ଗହମ ବୋଝେଇ କରି (ଓଭରଲୋଡିଂ) ପଞ୍ଚାୟତକୁ ପଠାଯିବା ଆଦି ଅଭିଯୋଗ ଆସିଛି। ସେହିପରି ରାଉରକେଲାରେ ନକଲି ଓଟିପିରେ ଚାଉଳ ଓ ଗହମ ହଡ଼ପ କେଳେଙ୍କାରୀ ସାମ୍ନାକୁ ଆସିଛି।
ସବୁଠାରୁ ବଡ଼ କଥା ହେଲା, ଅଭିଯୋଗର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ବି ଜିଲ୍ଲା ପ୍ରଶାସନ କୌଣସି ନା କୌଣସି କାରଣରୁ ଆଗ୍ରହ ପ୍ରକାଶ କରୁନାହିଁ। ବରଂ ଅନେକ ସମୟରେ ଅଭିଯୋଗକୁ କୌଣସି ପ୍ରକାରେ ଚାପିଦେବାକୁ ଉଦ୍ୟମ କରାଯାଇଛି। ଯାହା ଦୁର୍ନୀତିରେ ସଂଶ୍ଳିଷ୍ଟ ଅସାଧୁ ଅଧିକାରୀମାନଙ୍କୁ ବେଶ୍ ସୁହାଉଛି ଓ ଜିଲ୍ଲାର ବିକାଶ ପଛକୁ ପଛକୁ ଠେଲି ହୋଇଯାଉଛି।
Follow Us