ଭିଜିଲାନ୍ସ ମାମଲାରେ ଫସିଥିବା ପୂର୍ବତନ ଏଡିଏମଙ୍କ ଦୁର୍ନୀତି: ସ୍କାନରକୁ ଆସିବେ କି ସହଯୋଗୀ ଅଧିକାରୀ !

ଭିଜିଲାନ୍ସ ମାମଲାରେ ଫସିଥିବା ପୂର୍ବତନ ଏଡିଏମଙ୍କ ଦୁର୍ନୀତି: ସ୍କାନରକୁ ଆସିବେ କି ସହଯୋଗୀ ଅଧିକାରୀ !

Ommcom News

ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ପଡ଼ିଥିଲେ କୁବେର ଅଧିକାରୀ ସୁନ୍ଦରଗଡ଼ର ପୂର୍ବତନ ଏଡିଏମ ବିଶ୍ବଜିତ ମହାପାତ୍ର। ୧୦ କୋଟିରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ୨୦୨୧ ଡିସେମ୍ବର ୩ରେ ତାଙ୍କୁ ଗିରଫ କରିଥିଲା କଟକ ଟିମ୍।  ତେବେ ୧୯୯୭ରୁ ୨୦୨୧ ୨୪ ବର୍ଷର ଚାକିରି କାଳରେ ବାବୁ ଜଣକ କିପରି ଏତେ ସମ୍ପତ୍ତିର ଅଧିକାରୀ ହେଲେ ସେ ନେଇ ଖୋଳତାଡ଼ ଚାଲିଥିଲା।   ୧୯୯୭ରେ ଓଏଏସ୍ ପାଇ ବିଭିନ୍ନ ଜିଲ୍ଲାର ପ୍ରାଶାସନିକ ଅଧିକାରୀ ଭାବେ କାମ କରିଥିବା ଶ୍ରୀ ମହାପାତ୍ର ୨୦୨୦ ସେପ୍ଟେମ୍ବର ୯ରେ  ଅତିରିକ୍ତ ଜିଲ୍ଲାପାଳ ରୂପେ ପଦୋନ୍ନତି ପାଇ ସୁନ୍ଦରଗଡ଼ ଆସିଥିଲେ। ଏହା  ପରେ ତାଙ୍କ ନାମରେ  ଏମସିଏଲ ବିସ୍ଥାପିତଙ୍କ କ୍ଷତିପୂରଣ ପ୍ରଦାନରେ ମୋଟା ଅଙ୍କର କମିସନ ନେଉଥିବା ଅଭିଯୋଗ ଆସିଥିଲା। ଏପରିକି ଅଫିସ କର୍ମଚାରୀଙ୍କ ବଦଳି ପାଇଁ ସେ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ  ହୋଇଥିଲା। ଆଉ  ଏଥିରେ ଠିକା ନିଯୁକ୍ତି ପାଇଥିବା ତାଙ୍କ କାର୍ଯ୍ୟାଳୟର  ଜଣେ କରିତକର୍ମା ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପ୍ରକାଶ ପାଇଥିଲା।

ବିଶେଷ କରି ରାଜସ୍ବ ନିରୀକ୍ଷକ, କିରାଣି, ଅମିନ ଆଦି  କର୍ମଚାରୀଙ୍କ ବଦଳି ପାଇଁ କୁବେର ବାବୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା  ଅଭିଯୋଗ ରହିଥିଲା। ସୁଚିନ୍ତିତ ଯୋଜନାରେ ଦୂରସ୍ଥାନକୁ ବଦଳି କରି ପରେ ମୂଲଚାଲ କରି ବଦଳି ବାତିଲ ଅଥବା ମନପସନ୍ଦ ସ୍ଥାନରେ ନିଯୁକ୍ତି କରାଇବାରେ ସେ ଧୂରନ୍ଧର ଥିଲେ। ଭିଜିଲାନ୍ସ ହାତରେ ସେଥିମଧ୍ୟରୁ କିଛି କର୍ମଚାରୀଙ୍କ ତାଲିକା ପହଞ୍ଚିଛି।  ଭୂ-ଅର୍ଜନ ବିଭାଗକୁ ବଦଳି ହୋଇ ଆସିବାକୁ  ଜଣେ ଅମିନ ଏଡିଏମଙ୍କୁ  ୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଥିଲା।  ଅମିନ ଜଣକ ପ୍ରଥମେ ଲେଫ୍ରିପଡା ତହସିଲରେ ନିଯୁକ୍ତି ପାଇଥିଲେ। ସେଠାରେ ସେ ଦର୍ଲିପାଲି ଏନଟିପିସି ଜମି ଅଧିଗ୍ରହଣ କାର୍ଯ୍ୟରୁ  ଅନୈତିକ ଉପାୟରେ  ବିପୁଳ ଟଙ୍କା ସଂଗ୍ରହ କରିଥିଲେ। ସେଠାରୁ ତାଙ୍କୁ  ଭୂ-ଅର୍ଜନ ବିଭାଗକୁ ବଦଳି କରି ଅଣାଯାଇଥିଲା। ବିଭିନ୍ନ ପ୍ରକଳ୍ପରେ ଅଧିଗ୍ରହଣ ହେବାକୁ ଥିବା  ଜମିରେ  ଘର ତିଆରି କରି ସେ ଜମି ମାଲିକଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ହାତେଇ  ମାଲାମାଲ୍ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୁନ୍ଦରଗଡ଼ରେ ଯୋଗ ଦେବା ପରେ ତାଙ୍କୁ ଭୂ-ଅର୍ଜନ ବିଭାଗକୁ   ଅଣାଯାଇଥିଲା। ଏଡିଏମଙ୍କ ସହ ମିଶି ସମ୍ପୃକ୍ତ ଅମିନ ଏବେ ବହୁ ସମ୍ପତ୍ତିର ଅଧିକାରୀ।  ସେହିପରି ହେମଗିରସ୍ଥିତ  ଏମସିଏଲ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନରେ ମଧ୍ୟ ରାଜସ୍ବ ବିଭାଗ ଅଧିକାରୀଙ୍କ ଜରିଆରେ ପୂର୍ବତନ ଏଡିଏମ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ନଦେଲେ ସେ ଦସ୍ତଖତ କରୁ ନଥିଲେ।

ଏଥିପାଇଁ  ସ୍ବତନ୍ତ୍ର ଭାବେ ନିଯୁକ୍ତ ରାଜସ୍ବ ନିରୀକ୍ଷକ (ଆରଆଇ) ସାଜିଥିଲେ ମାଧ୍ୟମ।  ଅମୀୟ ଛୁରା ନାମକ ଏହି ରାଜସ୍ବ ନିରୀକ୍ଷକ ଜଣେ ବିସ୍ଥାପିତଙ୍କୁ  ୨ଲକ୍ଷ ଟଙ୍କା  ଲାଞ୍ଚ ମାଗୁଥିବା ଓ ଏଥିରେ ଏଡିଏମଙ୍କ ଭାଗ ଥିବା କହୁଥିବାରୁ ଏକ  ମୋବାଇଲ ବାର୍ତ୍ତାଳାପ ସେତେବେଳେ ସାମାଜିକ ଗଣମାଧ୍ୟମରେ  ଘୂରି ବୁଲିଥିଲା। ଏ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ  ରାଜସ୍ବ ନିରୀକ୍ଷଙ୍କ ଶ୍ରୀ ଛୁରାଙ୍କୁ ସେଠାରୁ ହଟାଇ ଦିଆଯାଇଥିବା ବେଳେ  ଏଡିଏମ ନିଜ  ସମ୍ପୃକ୍ତିକୁ ଏଡ଼ାଇବାରେ ସକ୍ଷମ ହୋଇଥିଲେ। ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ଉପରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଅନ୍ୟପଟେ ରାଜଗାଙ୍ଗପୁରସ୍ଥିତ ଓସିଏଲକୁ ନେଇ ଏକ  ଚର୍ଚ୍ଚିତ ଖବର ସାମ୍ନାକୁ ଆସିଥିଲା। ପୂର୍ବତନ ଏଡିଏମ ଭିଜିଲାନ୍ସ ହାବୁଡ଼ରେ ପଡ଼ିବାର ୨ ମାସ ପୂର୍ବରୁ ତାଙ୍କ ଶଳାଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ନିଯୁକ୍ତି ଦେଇଥିଲା କମ୍ପାନି।  ତାଙ୍କ ଶାଳକ ଅହମ୍ମଦାବାଦର ନ୍ୟୁପ୍ଲେସ୍ କମ୍ପାନିରେ ଚାକିରି କରୁଥିଲେ। ସେଠାରୁ ତାଙ୍କୁ  ଆଣି ଏଠାରେ ନିଯୁକ୍ତି ଦିଆଯାଇଥିଲା।  ଓସିଏଲର ଜମି ଅଧିଗ୍ରହଣ  ବିସ୍ଥାପିତମାନଙ୍କ ବିରୋଧ ପାଇଁ ବିବାଦରେ ରହିଥିବା ବେଳେ  ଲୋକେ ଜମି ଦେବୁ ନାହିଁ ବୋଲି ଜିଦ୍ ଧରିଛନ୍ତି। ଯାହା ଓସିଏଲ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ପରିଚାଳନାରେ ଜମି ଅଧିଗ୍ରହଣ ଓ  ସେ ସଂକ୍ରାନ୍ତୀୟ ଗ୍ରାମସଭା ସହ ଅନ୍ୟ କାର୍ଯ୍ୟ ସମ୍ପାଦନ ହୋଇଥାଏ।   ଏହି ସମୟରେ ତାଙ୍କ ସମ୍ପର୍କୀୟଙ୍କୁ ଓସିଏଲ ଚାକିରି ଦେଇଥିଲା। ଯାହାକୁ ନେଇ ଉଠିଥିଲା ପ୍ରଶ୍ନ। ପୂର୍ବତନ ଏଡିଏମ ଶ୍ରୀ ମହାପାତ୍ରଙ୍କ ଦୁର୍ନୀତି ଲିଙ୍କରେ ଥିବା ଅଧିକାରୀ, କର୍ମଚାରୀ ଭିଜିଲାନ୍ସ ସ୍କାନରରେ  ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe