ଗଞ୍ଜାମରେ କରୋନା ରୋଗୀ ବୁହା ଖର୍ଚ୍ଚ ୨ କୋଟି

Advertisment

ଗଞ୍ଜାମ ଜିଲ୍ଲାରେ ୬୫ ଆମ୍ବୁଲାନ୍ସ ନିୟୋଜିତ, ତେଲ ବାଦ୍‌ ଦୈନିକ ଭଡ଼ା ୧୪୫୦

ଗଞ୍ଜାମ ଜିଲ୍ଲାରେ ୬୫ ଆମ୍ବୁଲାନ୍ସ ନିୟୋଜିତ, ତେଲ ବାଦ୍‌ ଦୈନିକ ଭଡ଼ା ୧୪୫୦

ଗୋଲ୍‌ଡେନ୍ ଆୱାର ପ୍ରହସନ: ରେଫେରାଲରେ ଗଲା ୧୨ଘଣ୍ଟା, ମିଳିଲାନି ଆଇସିୟୁ; ୩ ଦିନ ପରେ ଆଖି ବୁଜିଲେ ମନୋଜ

Medical Air Service

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମେ' ମାସରୁ ଆରମ୍ଭ ହୋଇ ରାଜ୍ୟର ସବୁଠାରୁ ବଡ଼ ହଟ୍‌ସ୍ପଟ୍‌ ପାଲଟିଥିଲା। ଏହାର ମୁକାବିଲା, ବିଶେଷ କରି ଟ୍ରେସିଂ, ଟେଷ୍ଟିଂ ଓ ଟିଟ୍‌ମେଣ୍ଟ ଦିଗରେ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇଥିଲେ। ପାଣିଭଳି ଟଙ୍କା ମଧ୍ୟ ଖର୍ଚ୍ଚ କରା ଯାଇଥିଲା। ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ୍‌ରେ ରୋଗୀଙ୍କ ଖାଇବା ବାବଦରେ ଅଗଷ୍ଟ ମାସରେ ୩୦ ଲକ୍ଷ ୮୩ ହଜାର ୧୯୫ଟଙ୍କା ଖର୍ଚ୍ଚ କରା ଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। କରୋନା ରୋଗୀ ବୁହାରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରେ ମାର୍ଚ୍ଚ ୨୭ ତାରିଖରୁ ଅକ୍ଟୋବର ୩୧ ସୁଦ୍ଧା ମୋବିଲିଟି(ଗାଡ଼ି ଭଡ଼ା ଓ ତେଲ) ଖର୍ଚ୍ଚ ବାବଦରେ ୨କୋଟି ୨୬ଲକ୍ଷ ୪୮ହଜାର ୯୯୫ଟଙ୍କା ଖର୍ଚ୍ଚ କରା ଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜିଲ୍ଲାରେ କୋଭିଡ୍‌ ସମୟରେ ରୋଗୀଙ୍କୁ ‌ଡାକ୍ତରଖାନା ନେବା ପାଇଁ ପର୍ଯ୍ୟାୟ କ୍ରମେ ସର୍ବାଧିକ ୬୫ଟି ଘରୋଇ ଆମ୍ବୁଲାନ୍ସ ନିୟୋଜିତ କରା ଯାଇଥିଲା। ଏହି ଆମ୍ବୁଲାନ୍ସକୁ ଭଡ଼ା ଓ ତେଲ ବାବଦରେ ୨କୋଟି ଟଙ୍କା ଦିଆ ଯାଇଥିବା ଜଣାପଡ଼ିଛି। ଏତେ ଟଙ୍କା ଖର୍ଚ୍ଚ ସତ୍ବେ ଆମ୍ବୁଲାନ୍ସ ନପହଞ୍ଚିବାରୁ ଏବଂ ପହଞ୍ଚି ମଧ୍ୟ କରୋନା ଆକ୍ରାନ୍ତ ଜାଣି ନନେବାରୁ ବ୍ରହ୍ମପୁର ସହରରେ ମେଡିକାଲ ପହଞ୍ଚି ନପାରି ରୋଗୀଙ୍କ ମୃତ୍ୟୁ ଘଟଣାର ଅନେକ ନଜିର୍‌ ମଧ୍ୟ ରହିଛି। ଏଣୁ କେବଳ ରୋଗୀଙ୍କୁ ନେବା ପାଇଁ ଏତେ ପରିମାଣ ଟଙ୍କା ଖର୍ଚ୍ଚ କରା ଯାଇଥିବା କଥାକୁ କେତେକ ମହଲ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ପରେ ପୂରା ଜିଲ୍ଲା ପ୍ରଶାସନ କୋଭିଡ୍‌ ନିୟନ୍ତ୍ରଣରେ ଲାଗି ପଡ଼ିଥିଲା। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ଖୋଲାଗଲା। ମେ' ୨ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଦୁଇ ଜଣ‌ ଚିହ୍ନଟ ହୋଇଥିଲେ। ସୁରତରୁ ପ୍ରବାସୀ ଓଡ଼ିଆ ଫେରିବା ପରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଜୁନ୍‌ ମାସରେ ପଜିଟିଭ୍‌ ସଂଖ୍ୟା ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସରେ ପ୍ରତିଦିନ ଶହ ଶହ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏମାନଙ୍କ ଚିକିତ୍ସା ପାଇଁ ଶୀତଳାପଲ୍ଲୀରେ ଟାଟା କୋଭିଡ୍‌ ହସ୍ପିଟାଲ୍‌ ଖୋଲା ଯାଇଥିବା ବେଳେ ଗୋଳନ୍ଥରାରେ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍, ସିଟି ହସ୍ପିଟାଲ୍‌‌ ଓ ଏମ୍‌କେସିଜି ମେଡିକାଲରେ ମଧ୍ୟ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ଖୋଲା ଯାଇଥିଲା। ଏହି ହସ୍ପିଟାଲ୍‌‌କୁ ରୋଗୀଙ୍କୁ ନେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକ୍‌ରେ ଦୁଇଟି ଲେଖାଏଁ ଆମ୍ବୁଲାନ୍ସ ନିୟୋଜିତ କରା ଯାଇଥିଲା। ଏଭଳି ବ୍ଲକ୍‌ ଓ ହସ୍ପିଟାଲ୍‌ରେ ପ୍ରାୟ ୬୫ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ତନ୍ମଧ୍ୟରେ ୪୫ଟି ଘରୋଇ ଆମ୍ବୁଲାନ୍ସ ଥିବା ବେଳେ ୨୦ଟି ବୋଲେରୋ, ସୁମୋ ଭଳି ଗାଡ଼ି ରହିଥିଲା। ଏହି ଗାଡ଼ିକୁ ଦୈନିକ ଭଡ଼ା ବବାଦରେ ୧୪୫୦ଟଙ୍କା ଦିଆ ଯାଇଥିଲା। ଏହାବାଦ୍‌ ତେଲ ଖର୍ଚ୍ଚ ଦିଆ ଯାଉଥିଲା। ଏତେ ପରିମାଣ ଆମ୍ବୁଲାନ୍ସ ନିୟୋଜିତ ସତ୍ବେ ବ୍ରହ୍ମପୁର ସହରର ଆସିକା ରୋଡ଼ ଶ୍ରୀରାମନଗର, ଲକ୍ଷ୍ମୀନୃସିଂହ ସାହିରେ ରୋଗୀ ଆମ୍ବୁଲାନ୍ସ ନପାଇ ମୃତ୍ୟୁବରଣ କରିବା ଘଟଣା ସାମ୍ନାକୁ ଆସିଥିଲା। ପୁଣି ବହୁ ରୋଗୀଙ୍କ ନିକଟକୁ ବିଳମ୍ବରେ କୋଭିଡ୍‌ ଆମ୍ବୁଲାନ୍ସ ପହଞ୍ଚିଥିବା ବେଳେ ସେମାନେ ଗୁରୁତର ହୋଇ ହସ୍ପିଟାଲ୍‌ରେ ପହଞ୍ଚିବା ବେଳକୁ ବା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରୋଗୀଙ୍କ ନିକଟକୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚାଇବାରେ ଜିଲ୍ଲା ପ୍ରଶାସନ ଏକ ପ୍ରକାର ଫେଲ୍‌ ହୋଇଥିଲା। ସେପଟେ ପାଣି ଭଳି ଟଙ୍କା ଖର୍ଚ୍ଚ କରା ଯାଇଥିଲା। ଏତେ ପରିମାଣ ଟଙ୍କା ଖର୍ଚ୍ଚ ସତ୍ବେ ରୋଗୀ ସେବା ନପାଇବା ସମସ୍ତଙ୍କୁ ବିସ୍ମିତ କରିଛି।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୫ଟି କୋଭିଡ୍‌ ଆମ୍ବୁଲାନ୍ସ ନିୟୋଜିତ ରହିଛି। ଟାଟା କୋଭିଡ୍‌ ହସ୍ପିଟାଲ୍‌ ପାଇଁ ଦୁଇଟି ଆମ୍ବୁଲାନ୍ସ ରହିଥିବା ବ‌େଳେ ବ୍ରହ୍ମପୁର ମହାନଗର ପାଇଁ ଗୋଟିଏ, ସିଟି ହସ୍ପିଟାଲ୍‌ ପାଇଁ ଗୋଟିଏ ଏବଂ ଆସିକା ପାଇଁ ଗୋଟିଏ ଆମ୍ବୁଲାନ୍ସ ରହିଛି। ଏବେ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି। ଗଞ୍ଜାମ ଜିିଲ୍ଲାରେ ଆଜି ସୁଦ୍ଧା ୨୧ହଜାର ୫୨୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୧ହଜାର ୨୦୬ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe