ମାଟିକୁ ବିଷାକ୍ତ କରୁଛି କପାଚାଷ: ଜୈବିକ କାର୍ବନ ୦.୩୭%କୁ ଖସିଲା

ମାଟିକୁ ବିଷାକ୍ତ କରୁଛି କପାଚାଷ: ଜୈବିକ କାର୍ବନ ୦.୩୭%କୁ ଖସିଲା

Better Cotton

ରାୟଗଡ଼ା: ମାତ୍ରାଧିକ କୀଟନାଶକ ବ୍ୟବହାର ଯୋଗୁ ମୃତ୍ତିକା ଧୀରେଧୀରେ କୃଷି ପ୍ରତି ଅନୁପଯୋଗୀ ହେଉଛି। ରାୟଗଡ଼ା ଜିଲ୍ଲାରେ କପାଚାଷ ବଢ଼ୁଥିବାରୁ ସମସ୍ୟା ଜଟି‌ଳ ହେବାରେ ଲାଗିଛି। ଚଳିତ କୃଷି ବର୍ଷରେ ଜିଲ୍ଲାରେ ୫୦ହଜାର ହେକ୍ଟରରେ କପାଚାଷ କରିବାକୁ ଯୋଜନା ହୋଇଛି। ବିଶେଷକରି କପାଚାଷରେ ମାତ୍ରାଧିକ କୀଟନାଶକ ବ୍ୟବହାର ହେଉଥିବାରୁ ମାଟି ପ୍ରଦୂଷିତ ହେଉଥିବା କୃଷି ବିଭାଗ ସୂଚନା ଦେଇଛି। ପୋଡ଼ୁଚାଷ, ଜଙ୍ଗଲ କ୍ଷୟ ଓ ପ୍ଲାଷ୍ଟିକ ମାଟିରେ ମିଶୁଥିବାରୁ ଜିଲ୍ଲାରେ ମାଟି ବିଷ‌ାକ୍ତ ହେବାରେ ଲାଗିଛି। ପ୍ରାକୃତିକ ଉପାଦାନ କମୁଥିବାରୁ ଚାଷ ପାଇଁ ମାଟି ଅନୁର୍ବର ହେଉଛି। ସମସ୍ୟା ପ୍ରତି ପ୍ରଶାସନ ଓ ଚାଷୀ ସଚେତନ ନହେଲେ ନିକଟ ଭବିଷ୍ୟତରେ ଜମିରୁ ଉତ୍ପ‌ାଦନ କମିବା ସହ ଗୁଣବତ୍ତା ହରାଇବା ଆଶଙ୍କା ପ୍ରକାଶ ପାଇଛି।

କୃଷି ବିଭାଗ ସୂଚନା ଅନୁସାରେ, ୨୦୧୫-୧୬ ବେଳକୁ ଏଠାରେ ମାଟିରେ ୦.୪୯ପ୍ରତିଶତ ଅର୍ଗାନିକ (ଜୈବିକ) କାର୍ବନ ରହୁଥିଲା। ୨୦୨୩-୨୪ରେ ଏହା ଖସିଆସି ୦.୩୭ପ୍ରତିଶତ ହୋଇଛି। କୃଷି ବିଭାଗ ଦ୍ବାରା ମାଟିର ସ୍ବାସ୍ଥ୍ୟ ପରୀକ୍ଷାରୁ ଏହା ଜଣାପଡିଛି। ଆଗାମୀ ଦିନରେ ମାଟିର ସ୍ବାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍‌ ନୁହେଁ। ଅର୍ଗାନିକ କାର୍ବନ ମାତ୍ରା ୦.୫ପ୍ରତିଶତ ରହିଲେ ମାଟି ନିମନ୍ତେ ଉତ୍ତମ ବୋଲି ସହାୟକ କୃଷି ଅଧିକାରୀ ପ୍ରଜ୍ଞା ଦାଶ କହିଛନ୍ତି। ମୃତ୍ତିକା କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ମୃତ୍ତିକା ମଧ୍ୟ ସ୍ବାସ୍ଥ୍ୟ ହରାଉଛି। ମାଟିରୁ ଯବକ୍ଷାରଜାନ, ଫସଫରସ ମାତ୍ରା କମୁଥିବାରୁ ଉଦ୍ଭିଦ ବୃଦ୍ଧି ବାଧାପ୍ରାପ୍ତ ହେଉଛି। ଯବକ୍ଷାରଜାନ ଉଦ୍ଭିଦରେ ପୁଷ୍ଟିସାର ଖାଦ୍ୟ ପ୍ରସ୍ତୁତି ଓ ପତ୍ରରେ ସବୁଜକଣିକା ବଢ଼ାଉଥିବା ବେଳେ ଫସଫରସ୍‌ ଚେର ବୃଦ୍ଧିରେ ସାହାଯ୍ୟ କରିବା ସହ ଫୁଲଫଳ ଧରିବାରେ ସହାୟକ ହୋଇଥାଏ। ଅଧିକ ଅମଳ ପାଇଁ ଚାଷୀ ମାତ୍ରାଧିକ କୀଟନାଶକ ବ୍ୟବହାର କରୁଥିବାରୁ ଭୂତଳ ଜଳ ମଧ୍ୟ ପ୍ରଦୂଷଣ ହେବାରେ ଲାଗିଛି। ଜିଲ୍ଲାରେ ପୋଡୁଚାଷ ଏବଂ ଏବଂ ଜଙ୍ଗଲ ଅବକ୍ଷୟ ବଢୁଥିବାରୁ ଉର୍ବର ମାଟି ଧୋଇହୋଇ ଯାଉଥିବା ମଧ୍ୟ ଅଧିକାରୀ କହିଛନ୍ତି। ଜିଲ୍ଲାରେ ୨୦୨୨ରୁ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଜନା ଆରମ୍ଭ କରାଯାଇ ମାଟି ପରୀକ୍ଷା କରାଯାଉଛି। ୨୦୨୨ରେ ୧୦ ହଜାର, ୨୦୨୩ରେ ୧୦ହଜାର ସ୍ଥାନରୁ ମାଟି ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ଚଳିତବର୍ଷ ୧୦ହଜାର ସ୍ଥାନର ମାଟି ପରୀକ୍ଷା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe