ସଂକଟରେ ଧଳାସୁନା :  ରୋଗପୋକ ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ

Advertisment
ସଂକଟରେ ଧଳାସୁନା :  ରୋଗପୋକ ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ

ଭବାନୀପାଟଣା : କଳାହାଣ୍ତି ଜିଲ୍ଲାରେ ଧଳା ସୁନା ଭାବେ ଚମକ ସୃଷ୍ଟି କରିଥିବା କପା ଚାଷରେ ରୋଗପୋକ ଯୋଗୁଁ ଚାଷୀ  ମୁଣ୍ତରେ ଚଡ଼କ ପଡିଛି। ଏନେଇ କୃଷି ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଚଳିତ ବର୍ଷ କପା ଚାଷ ଉଜୁଡିବ ବୋଲି ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଚଳିତ ଖରିଫ ଋତୁ ରେ ବର୍ଷା ଆରମ୍ଭରୁ ହିଁ ଚାଷୀ ମାନେ କୃଷ୍ଣ କାର୍ପାସ ମୃତ୍ତିକାକୁ ପ୍ରସ୍ତୁତ କରି ବିନା ସରକାରୀ ପ୍ରୋତ୍ସ‌ାହନରେ ବଜାରରୁ କପା ବିହନ କିଣି ଚାଷକାର୍ଯ୍ୟ ଆରମ୍ଭକରିଥିଲେ।

କଳାହାଣ୍ତିର ଧଳା ସୁନା ଚାଷ କରୁଥିବା ଚାଷୀ ଜଳବାୟୁର ପରିବର୍ତ୍ତନ ଯୋଗୁଁ ପୁଣି ସଙ୍କଟରେ ପଡିଛନ୍ତି। ପ୍ରବଳ ବର୍ଷା ସାଙ୍ଗକୁ ହଠାତ୍‌ ଉତ୍ତାପ ବଢିଯିବା ଫଳରେ କପା ଗଛରେ ରୋଗ ପୋକ ଲାଗିବା ଯୋଗୁଁ ଚାଷୀ ବେହାଲ ହୋଇଛି। ଜିଲ୍ଲାରେ ପ୍ରାୟ ୬୦ ହଜାର ହେକ୍ଟରରେ କପା ଚାଷ ହୋଇଥିବା ବେଳେ ଏ ବର୍ଷର ପାଣିପାଗ କପା ଚାଷୀଙ୍କୁ ଚିନ୍ତାରେ ପକାଇଛି  ଗଛ ମାନଙ୍କରେ କପା ଫୁଲ ଠିକ ଭାବରେ ହୋଇନଥିବା ବେଳେ କପା ବଲ୍ ବଢିପାରୁନାହିଁ। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ଚାଷୀ କପା ଗଛରେ କପା ବଲ୍‌ ଠିକ ଭାବରେ ନହେବା  ଓ ରୋଗପୋକ ଲାଗିବା ଯୋଗୁଁ ହତାଶ ହୋଇପଡିଛି। ବର୍ତ୍ତମାନ ଠାରୁ ହିଁ କପାଗଛରେ ପତ୍ରଫଟା ରୋଗ ଦେଖା ଦେଇଛି। ବ୍ୟାଙ୍କ ଋଣ ଓ ସାହୁକାର ଠାରୁ କରଜ ନେଇଥିବା ଚାଷୀ ଅମଳକୁ ନେଇ ଚିନ୍ତାରେ ପଡିଛି। କଳାହାଣ୍ତି ଜିଲ୍ଲାର ଉକୃୃଷ୍ଟ ମାନର କପା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ରାଜ୍ୟର ବ୍ୟବସାୟୀ କ୍ରୟ କରି ବିଦେଶକୁ ରପ୍ତାନୀ କରି ବେଶ ଫାଇଦା ପାଉଥିବା ବେଳେ ଜିଲ୍ଲାର ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିଥାଏ। ତେବେ କପା ଚାଷରେ ରୋଗପୋକ ଲାଗିଥିବା ଏଯାଏ ପ୍ରଶାସନ ପକ୍ଷରୁ ‌କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe