କଟକ : ଛତ୍ରପୁର ଏନ୍ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାରେ ବିଜେପି ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ଓ ବ୍ରହ୍ମପୁର ପ୍ରଭାରୀ ଦାୟିତ୍ବରେ ଥିବା ଗୋଲକ ମହାପାତ୍ରଙ୍କ ଆଗୁଆ ଜାମିନ ଆବେଦନର ପରବର୍ତ୍ତୀ ଦୁଇ ସପ୍ତାହ ପରେ ହେବ। ଆଜି ଉଭୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରି ଦାଖଲ ସହିତ ତଦନ୍ତର ସାନି ସ୍ଥିତି ନେଇ ସରକାର ଅବଗତ କରିବେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡକୁ ନେଇ ଛତ୍ରପୁର ଥାନାରେ ରୁଜୁ ମାମଲାରେ ପୁଲିସ ବଜେପିର ଏହି ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ୍ ଜାରି କରିଥିଲା। ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦୁଇଟି ପୃଥକ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ୍ଚ ୧୨ରେ ଆଗୁଆ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହିତ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
କାଉନ୍ସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର
Advertisment
Follow Us