ନାମଲେଖା ପାଇଁ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଧରାପଡ଼ିଲେ ୩ ଛାତ୍ରୀ

Advertisment

ଥାନାରେ ଅଭିଯୋଗ ପରେ ଜବତ ହେଲା କାଗଜପତ୍ର

ଥାନାରେ ଅଭିଯୋଗ ପରେ ଜବତ ହେଲା କାଗଜପତ୍ର

ନାମଲେଖା ପାଇଁ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଧରାପଡ଼ିଲେ ୩ ଛାତ୍ରୀ

careers360.com

ପୁରୀ : ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ନାମଲେଖାରେ ହେଉଥିବା ଜାଲିଆତି ଧରାପଡ଼ିଛି। ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ତିନିଜଣ ଛାତ୍ରୀ ପ୍ରମାଣପତ୍ର କାଗଜ ଯାଞ୍ଚ ବେଳେ ଧରାପଡ଼ିଛନ୍ତି। ଏହି ଚଞ୍ଚକତା ଧରାପଡ଼ିବା ପରେ କଲେଜ ଅଧ୍ୟକ୍ଷା ଅଞ୍ଜଳି କୁମାରୀ ଶୁକ୍ଳା ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତିନି ଛାତ୍ରୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲେଜରୁ ଦରକାରୀ କାଗଜପତ୍ର ସବୁ ଜବତ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଓ ଅନ୍ୟ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ ମଧ୍ୟରୁ ଜଣେ ବ୍ରହ୍ମଗିରିର ଓ ଅନ୍ୟ ଦୁଇଜଣ ସଦର ବ୍ଲକ୍‌ ଅଞ୍ଚଳର ବୋଲି ପୁଲିସ କହିଛି। ଅନ୍ୟପଟେ ତିନି ଛାତ୍ରୀଙ୍କ ନାଁରେ ହୋଇଥିବା ଅଭିଯୋଗକୁ ଉଠାଇନେବାକୁ ରାଜନୈତିକ ଚାପ ପଡ଼ୁଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗତ ସେପ୍ଟେମ୍ବର-‌ଅକ୍ଟୋବର ମାସରେ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନାମଲେଖା ହୋଇଥିଲା। ଅନୁସୂଚିତ ଜାତି/ଜନଜାତି, ଭିନ୍ନକ୍ଷମ ପ୍ରମାଣପତ୍ର ଆଦି ବର୍ଗର ଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବାରୁ ଏହି ଆଧାରରେ ଅନେକ ଛାତ୍ରୀ ବି କଲେଜରେ ନାମ ଲେଖାଇଛନ୍ତି। ଇତିମଧ୍ୟରେ ସଂପୃକ୍ତ ଛାତ୍ରୀମାନେ ନକଲି ପ୍ରମାଣପତ୍ରରେ ନାମଲେଖି ପାଠ ପଢ଼ିବା ବି ୬ ମାସ ବିତିଗଲାଣି। କିନ୍ତୁ କିଛି ମାସ ତଳେ ପ୍ରମାଣପତ୍ରକୁ ନେଇ ସନ୍ଦେହ ହେବାରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ଯାଞ୍ଚ ପାଇଁ ସରକାରୀ ମହିଳା ମହାବିଦ୍ୟାଳୟକୁ ଚିଠି କରାଯାଇଥିଲା। ଏଣୁ ଯେଉଁ ଛାତ୍ରୀମାନେ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଥିଲେ, ସେସବୁକୁ ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଯାଞ୍ଚ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରମାଣପତ୍ରକୁ ନକଲି ବୋଲି ଦର୍ଶାଯିବା ପରେ ସଂପୃକ୍ତ ଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳା ଏ ସମ୍ପର୍କରେ ସମୁଦ୍ର କୂଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତିନି ଛାତ୍ରୀଙ୍କ ନାଁରେ କେସ୍‌ ନଂ-୧୨୯/୨୦୨୨ରେ ଏକ ମାମଲା ରୁଜୁ କରିବା ସହ ଦଫା ୪୨୦, ୪୬୫, ୪୬୮, ୩୪ ଆପିସି ଲଗାଇ ତଦନ୍ତ ଆରମ୍ଭ କରିଛି। ଥାନାର ବରିଷ୍ଠ ପୁଲିସ ଅଧିକାରୀମାନେ ମହାବିଦ୍ୟାଳୟକୁ ଯାଇ ଅଧ୍ୟକ୍ଷା, ପ୍ରଶାସନିକ ଅଧିକାରୀ ଓ ଅନ୍ୟ ଅଧ୍ୟାପକମାନଙ୍କୁ ପଚରାଉଚରା କରିବା ସହ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଜବତ କରିଛନ୍ତି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳା କହିଛନ୍ତି, ଆମେ ବର୍ତ୍ତମାନ ବିଭାଗୀୟ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ‌ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe