ଋଣଭାର ଚାପରେ ବିଷ ପିଇଲେ ଦମ୍ପତି

ଋଣଭାର ଚାପରେ ବିଷ ପିଇଲେ ଦମ୍ପତି

NEWSMEN

ଝିଅକୁ ବି ପିଆଇଦେଲେ
ବାପା କଟକ ସ୍ଥାନାନ୍ତର; ମା’, ଝିଅ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର : ମହାମାରୀରେ ଜୀବନ ଯାଉଛି, ତା’ ସାଙ୍ଗକୁ ପୂରା ପରିବାର ବି ଉଚ୍ଛନ୍ନ ହୋଇଯାଉଛି। କରୋନାର ଏମିତି କରୁଣ କାହାଣୀ ଦେଖିବାକୁ ମିଳିଛି ବାଲେଶ୍ବର ରେମୁଣା ବ୍ଲକ ବାଲିଆ ଅଞ୍ଚଳର ଲକ୍ଷ୍ମୀଧର ବାରିକଙ୍କ ପରିବାର‌ରେ। ଯଦିଓ ୯ ବର୍ଷ ଝିଅର ଉପସ୍ଥିତ ବୁଦ୍ଧି ଯୋଗୁଁ ପରିବାରର ୩ ଜଣ ସଦସ୍ୟ ଏକ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି, ହେଲେ ଲକ୍ଷ୍ମୀଧର ଏବେ ବି କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ପତ୍ନୀ ମଞ୍ଜୁଲତା ଓ ଝିଅ ଦେବଶ୍ରୀ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଲକ୍ଷ୍ମୀଧରଙ୍କ ନିଜ ଘର ବାଲିଆପାଳ ବ୍ଳକ୍‌ ଲଙ୍ଗଳେଶ୍ବର ଗାଁରେ ହୋଇଥିବାବେଳେ ଗଲା କିଛିବର୍ଷ ଧରି ସେ ରେମୁଣା ବ୍ଲକ ବାଲିଆ ଅଞ୍ଚଳରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ। ପାଇପ୍‌ ମିସ୍ତ୍ରି ଭାବେ ଯାହା ରୋଜଗାର କରୁଥିଲେ, ସେଥିରେ କଷ୍ଟେମଷ୍ଟେ ତାଙ୍କ ପରିବାର ଚଳୁଥିଲା। ଝିଅ ଧୀରେଧୀରେ ବଡ଼ ହେଉଥିବା ଦେଖି ଲକ୍ଷ୍ମୀଧର ଅଧିକ ରୋଜଗାର ଆଶାରେ ବ୍ୟବସାୟ ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେ ଦୁଇଟି ଗ୍ରୁପ୍‌ ଓ ଦୈନିକ ସୁଧରେ ହାତଉଧାରି କରି ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ବ୍ୟବସାୟ ଆରମ୍ଭ କଲା ବେଳକୁ କାଳ ସାଜିଲା କରୋନା। ଲକ୍‌ଡାଉନ୍ ଓ ସଟଡାଉନ୍‌ ‌ଯୋଗୁଁ ବ୍ୟବସାୟ ଠପ୍‌ ହୋଇଯାଇଥିଲା। ରୋଜଗାର ହେଉ ନ ଥିବାବେଳେ ଦିନକୁ ଦିନ ଋଣଭାର ବଢ଼ିଚାଲିଥିଲା। ଋଣ ପରିମାଣ ୪ ଲକ୍ଷ ଟଙ୍କାରେ ପହଞ୍ଚିବା ପରେ ଗାଁରେ ଥିବା ଜମି ଓ ଜିନିଷପତ୍ର ବିକ୍ରିକରି କିଛି ଟଙ୍କା ସୁଝିଥିଲେ। ହେଲେ ଗ୍ରୁପ କିସ୍ତି ଓ ସୁଧ ଟଙ୍କା ଦେବାକୁ ଅସମର୍ଥ ହେବାରୁ କରଜ ଦେଇଥିବା ଲୋକମାନେ ପ୍ରତ୍ୟେକ ଦିନ ଘରକୁ ଆସି ଅକଥନୀୟ ଭାଷାରେ ଗାଳିଗୁଲଜ କରିବା ସହ ବିଭିନ୍ନ ପ୍ରକାର ମାନସିକ ଚାପ ସୃଷ୍ଟି କରିଥିଲେ। ଶେଷରେ ଜୀବନ ହାରିବାକୁ ଶେଷ ବାଟ ବାଛି ନେଇଥିଲେ ଲକ୍ଷ୍ମୀଧର ଓ ପତ୍ନୀ ମଞ୍ଜୁଲତା। ବୁଧବାର ବିଳମ୍ବିତ ରାତିରେ ଉଭୟ ସ୍ବାମୀ-ସ୍ତ୍ରୀ ବିଷ ପିଇଥିଲେ। ଆଉ ଝିଅକୁ ନିଦରୁ ଉଠାଇ ତାକୁ ବି ବିଷ ପିଆଇ ଦେଇଥିଲେ। କିଛି ସମୟ ପରେ ଝିଅ ଅସୁସ୍ଥ ଅନୁଭବ କରିଥିଲା। ଆଉ ବିଷ ପିଇଥିବା ଜାଣିବା ପରେ ତୁରନ୍ତ ମାମୁ ଘରକୁ ଫୋନ କରିବା ସହ ଘର ମାଲିକଙ୍କୁ ଡାକିଥିଲେ। ବିଳମ୍ବିତ ରାତିରେ ଝିଅର ପାଟି ଶୁଣି ଘର ମାଲିକ ଉଠିପଡ଼ିଥିଲେ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ଆମ୍ବୁଲାନ୍ସ ଡାକି ତିନି ଜଣଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଲକ୍ଷ୍ମୀଧରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe