ଟ୍ରେନ୍‌ ଧକ୍କାରେ ଦମ୍ପତି ମୃତ : ଦୁର୍ଗାପୂଜା ପାଇଁ ଗାଁରେ ପହଞ୍ଚିପାରିଲେନି ଆଶୁତୋଷ ଓ ଲକ୍ଷ୍ମୀ

ଲାଇନ୍ ପାର ହୋଇ ପ୍ଲାଟଫର୍ମକୁ ଚଢୁଥିବା ବେଳେ ଧକ୍କା ଦେଲା ମୁଜାଫରପୁର ଏକ୍ସପ୍ରେସ୍‌

ଟ୍ରେନ୍‌ ଧକ୍କାରେ ଦମ୍ପତି ମୃତ : ଦୁର୍ଗାପୂଜା ପାଇଁ ଗାଁରେ ପହଞ୍ଚିପାରିଲେନି ଆଶୁତୋଷ ଓ ଲକ୍ଷ୍ମୀ

ବୈତରଣୀରୋଡ଼୍: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ଼୍ ରେଳଷ୍ଟେସନରେ ଆଜି ସନ୍ଧ୍ୟାରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଧକ୍କାରେ ଦମ୍ପତିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମର ଆଶୁତୋଷ ସିହ୍ନା(୭୩) ଓ ତାଙ୍କ ପତ୍ନୀ ଲକ୍ଷ୍ମୀ(୭୦)। ଆଶୁତୋଷ ଓ ଲକ୍ଷ୍ମୀ ବାରିପଦାରେ ରହୁଥିବା ବେଳେ ଦୁର୍ଗାପୂଜା ପାଇଁ ଆଜି ଗାଁକୁ ଆସୁଥିଲେ। ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଯୋଗେ ଆସି ସନ୍ଧ୍ୟାରେ ବୈତରଣୀରୋଡ଼୍ ରେଳଷ୍ଟେସନରେ ପ୍ଲାଟଫର୍ମ ପଟେ ନ‌ ଓହ୍ଲାଇ ଅପରପାର୍ଶ୍ବରେ ଓହ୍ଲାଇଥିଲେ।

publive-image

ପ୍ଲାଟଫର୍ମ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଡାଉନ୍‌ ଲାଇନ୍‌ରେ ଆସୁଥିବା ମୁଜାଫରପୁର ଏକ୍ସପ୍ରେସ୍‌ ଉଭୟକୁ ଧକ୍କା ଦେଇଥିଲା। ଫଳରେ ସେମାନଙ୍କର ଘଟଣାସ୍ଥ‌ଳରେ ମୃତ୍ୟୁ ହୋଇଯାଇଥିଲା। ରାତି ଆଠଟା ପର୍ଯ୍ୟନ୍ତ ରେଳବାଇ ପୁଲିସ ପହଞ୍ଚି ନଥିବା ବେଳେ ରେଳଧାରଣା ମଝିରେ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିରହିଛି।

ସୂଚନା ଅନୁଯାୟୀ, ୪ ବର୍ଷ ହେଲା ବୈତରଣୀରୋଡ଼୍ ରେଳଷ୍ଟେସନ ପ୍ଲାଟ୍‌ଫର୍ମ ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଫଳରେ ଏହି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେଠାରେ ତୀବ୍ର ଅସନ୍ତୋଷ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe