ଅର୍ଥ ଲଗାଣକାରୀ ସଂସ୍ଥାର ନିର୍ଯାତନା: ଦମ୍ପତିଙ୍କ ଆତ୍ମହତ୍ୟା

ଅର୍ଥ ଲଗାଣକାରୀ ସଂସ୍ଥାର ନିର୍ଯାତନା: ଦମ୍ପତିଙ୍କ ଆତ୍ମହତ୍ୟା

ଗଡ଼ିଶାଗୋଦା/କଣାସ : କଣାସ ଥାନା ମନ୍ଦାରବସ୍ତ ଫାଣ୍ଡି ଅର୍ନ୍ତଗତ ଅଁଳାଯୋଡ଼ି ପଞ୍ଚାୟତର ଅଁଳାଯୋଡ଼ି ଗ୍ରାମର ଏକ ଦମ୍ପତି ୩ଟି ଘରୋଇ ବ୍ୟାଙ୍କରୁ ଋଣ ଆଣି ଶୁଝି ନପାରି ଗତକାଲି ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଆସି ଋଣ ଶୁଝିବାକୁ ତାଗିଦ୍‌ କରିଯାଇଥିଲେ। ଏଥିରେ ଏହି ବୃଦ୍ଧ ଦମ୍ପତି ସମସ୍ତଙ୍କ ଆଗରେ ଅପମାନିତ ଅନୁଭବ କରିଥିଲେ। ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଯାଚିଗୁଞ୍ଜି ଋଣ ଦେଇ କିସ୍ତି ପାଇଁ ଦୁଆରେ ବସିରହି ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି।

ଖବର ମୁତାବକ, ଅଁଳାଯୋଡ଼ି ଗ୍ରାମର ବନାମ୍ବର ବେହେରା(୫୭) ଜଣେ ରାଜମିସ୍ତ୍ରୀ। ସେ ଓ ତାଙ୍କର ପତ୍ନୀ ବନିତା ବେହେରା (୫୨) ଘରୋଇ ବ୍ୟାଙ୍କ ଓ ଅର୍ଥଲଗାଣକାରୀ ସଂସ୍ଥା ନିକଟରୁ ଋଣ ଆଣିଥିଲେ। ଋଣପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନେ ବାରମ୍ବାର ଋଣ ଟଙ୍କା ଫେରାଇବା ପାଇଁ ତାଗିଦ୍ କରିବା ସହିତ ଗତକାଲି ଟଙ୍କା ଫେରସ୍ତ ପାଇଁ ବାନାମ୍ବରଙ୍କ ଦୁଆରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ରହିଥିଲେ। ଏଥିରେ ମ୍ରିୟମାଣ ହୋଇ ବାନାମ୍ବର ଓ ତାଙ୍କ ପତ୍ନୀ ଘର ଭିତରେ ରହିଥିଲେ। ଆଜି ସକାଳୁ ବାନାମ୍ବର ଓ ବନିତା ରଶି ଲଗାଇ ଓହଳି ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରି ଖୋର୍ଦ୍ଧା ପୁଲିସକୁ ଜଣାଇଥିଲେ। ଖୋର୍ଦ୍ଧା ପୁଲିସ ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଗ୍ରାମ ଶ୍ମଶାନରେ ଉଭୟଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଋଣଭାର ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଏହି ଦମ୍ପତି ଆତ୍ମହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ମନ୍ଦାରବସ୍ତ ଫାଣ୍ଡି ଅଧିକାରୀ ତୁଷାର ନାୟକ କହିଛନ୍ତି, ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ। ତେବେ ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚିଛୁ। ମୃ୍ତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ଅନ୍ତିମସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଛି। ଅଭିଯୋଗ ହେଲା ପରେ କେଉଁ ପରିସ୍ଥିତିରେ ଦମ୍ପତି ଆତ୍ମହତ୍ୟା କଲେ, ତାର ତଦନ୍ତ କରାଯିବ। ତେବେ ସେମାନେ ଋଣ କରିଥିବା ସଂସ୍ଥାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe