ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଲେ ଦମ୍ପତି: ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହେଲା ଶିଶୁ

ବିରଳ ରୋଗରେ ପୀଡ଼ିତ ନିଜ ଝିଅର ଚିକିତ୍ସା ହୋଇ ପାରୁ ନଥିବାରୁ ଏଥିରେ ଅତିଷ୍ଠ ହୋଇ ଆଜି ବୌଦ୍ଧ ଜିଲ୍ଲାର ଏକ ଦମ୍ପତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲା।

Odisha assembly

Odisha assembly Photograph: (Sambad )

ଭୁବନେଶ୍ବର: ବିରଳ ରୋଗରେ ପୀଡ଼ିତ ନିଜ ଝିଅର ଚିକିତ୍ସା ହୋଇ ପାରୁ ନଥିବାରୁ ଏଥିରେ ଅତିଷ୍ଠ ହୋଇ ଆଜି ବୌଦ୍ଧ ଜିଲ୍ଲାର ଏକ ଦମ୍ପତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲା। ପରେ ଶିଶୁକୁ କଟକ ଏସିସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା କୋଟସିଂହା ଗ୍ରାମର ତୀର୍ଥ ମଲ୍ଲିକଙ୍କ ୭ ବର୍ଷର ଝିଅ ବିରଳ ରୋଗରେ ପୀଡ଼ିତ। ଝିଅର ଚିକିତ୍ସା ପାଇଁ ତୀର୍ଥ ଓ ତାଙ୍କ ପତ୍ନୀ ଭୁବନେଶ୍ୱର ଏମ୍‌ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। କିନ୍ତୁ ଝିଅ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇପାରିବ ନାହିଁ ବୋଲି ଡାକ୍ତରମାନେ କହିଥିଲେ। ଅର୍ଥାଭାବରୁ ଏହି ଦମ୍ପତି ଝିଅକୁ କୌଣସି ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବାକୁ ଅସମର୍ଥ ଥିଲେ। ତେଣୁ ଅନ୍ୟ କୌଣସି ଉପାୟ ନ ପାଇ ସେମାନେ ଆଜି ବିଧାନସଭା ସମ୍ମୁଖରେ ଆତ୍ମଦାହ କରିବାକୁ ନିଷ୍ପତ୍ତି ନେଇଥିଲେ। 

ଏମିତିକି ରାଜଧାନୀକୁ ଆସିବା ପାଇଁ ସେମାନଙ୍କ ପାଖରେ ଅର୍ଥ ମଧ୍ୟ ନଥିଲା। ଗାଁ ଲୋକଙ୍କଠାରୁ କିଛି ଟଙ୍କା ଧାରଉଧାର କରି ବସ୍‌ ଯୋଗେ ତୀର୍ଥ ନିଜ ପତ୍ନୀ, ନାବାଳକ ପୁଅ ଓ ଝିଅକୁ ନେଇ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ। ପୂର୍ବାହ୍ନରେ ସେମାନେ ଲୋୟର ପିଏମ୍‌ଜିରୁ ବିଧାନସଭା ଆଡ଼କୁ ଯିବା ସମୟରେ ସେଠାରେ ମୁତୟନ ଥିବା ପୁଲିସ ଫୋର୍ସ ଅଟକାଇଥିଲେ। ଆତ୍ମାହୁତି କଥା ଜାଣିବା ପରେ ଘଟଣାସ୍ଥଳରେ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଦମ୍ପତିଙ୍କୁ ଚରମ ପଦକ୍ଷେପରୁ ବିରତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କକ୍ଷକୁ ନେଇ ଝିଅର ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଶିଶୁକୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏ ସଂପର୍କରେ ତୀର୍ଥ ମଲ୍ଲିକ କହିଛନ୍ତି, ଆମେ ଆତ୍ମଦାହ କରିବାକୁ ନିଷ୍ପତ୍ତି ନେଇଥିଲୁ। କାରଣ ଝିଅର ଚିକିତ୍ସା ପାଇଁ ଆମ ପାଖରେ ସମ୍ବଳ ନାହିଁ। ତା’ର ରୋଗ କେବେ ଭଲ ହେବ ନାହିଁ ବୋଲି ଏମ୍‌ସର ଡାକ୍ତରମାନେ କହିଛନ୍ତି। ତେଣୁ ଝିଅର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଦେବାକୁ ଆମେ ନିବେଦନ କରିଥିଲୁ। ନ ହେଲେ ଝିଅକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛାଡ଼ି ଚାଲିଯିବୁ ବୋଲି କହିଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe