ଅଙ୍ଗଦାନ କରିବେ ଗଂଜାମ ଜିଲ୍ଲାର ଏହି ଦମ୍ପତି, କଲେ ସତ୍ୟପାଠ

Advertisment
ଅଙ୍ଗଦାନ କରିବେ ଗଂଜାମ ଜିଲ୍ଲାର ଏହି ଦମ୍ପତି, କଲେ ସତ୍ୟପାଠ

ଭଞ୍ଜନଗର: ସମାଜରେ ଲ‌ୋକଙ୍କ ସେବା ପାଇଁ ଅନେକ ମାଧ୍ୟମ ରହିଛି। ହେଲେ ଅଙ୍ଗଦାନ ଭଳି ବିରଳ ପୂଣ୍ୟ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ୍। ଏହି କ୍ରମରେ ନିଜର ଅଙ୍ଗଦାନ ପାଇଁ ଭଞ୍ଜନଗରର ଏକ ଦମ୍ପତି ସତ୍ୟପାଠ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛିନ୍ତି। ଶିକ୍ଷୟିତ୍ରୀ ତଥା କବୟିତ୍ରୀ ପ୍ରଭାତି ମଞ୍ଜରୀ ବେହେରା ଏବଂ ସ୍ବାମୀ ଚିନ୍ମୟ କୁମାର ବେବର୍ତ୍ତାଙ୍କ ଏଭଳି ପଦକ୍ଷେପ ଯୋଗୁଁ ଉଭୟଙ୍କ ନିକଟକୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଉଭୟ ସମାଜସେବା ଓ ସାହିତ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ସହ ଭଞ୍ଜନଗର 'ସମ୍ବାଦ' ସାହିତ୍ୟ ଘରର ସକ୍ରିୟ ସଦସ୍ୟ ମଧ୍ୟ ରହିଛନ୍ତି। ସଂପ୍ରତି କରୋନା ପାଇଁ ସେମାନ‌େ 'ଭାରତ ଶରୀର ଓ ଅଙ୍ଗଦାନ ସମିତି' ରେ ଅନ୍‌ଲାଇନ୍‌ରେ ସତ୍ୟପାଠ ଦାଖଲ କରିଥିବା ପ୍ରକାଶ କରିଛନ୍ତି।

ଜୀବନ ଥିବା ସମୟରେ ଅନ୍ୟକୁ ସାହାଯ୍ୟ କରିବା ସହ ମୃତ୍ୟୁ ପରେ ମଧ୍ୟ ଯଦି ସେମାନଙ୍କ ଶରୀରର କୌଣସି ଅଙ୍ଗ ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହୋଇପାରେ ତ‌େବେ ତାହା ନୈସର୍ଗିକ ଆନନ୍ଦ ପ୍ରଦାନ କରେ ବୋଲି ଦମ୍ପତି ପ୍ରକାଶ କରିଛନ୍ତି। ସମିତିର ଅଧ୍ୟକ୍ଷ ଡ.ପ୍ରଭାସ ଆଚାର୍ଯ୍ୟଙ୍କ ପ୍ରେରଣାରେ ସେମାନ‌େ ଏହି ପଦକ୍ଷେପ ନେଇଛନ୍ତି। ଏହାସହ ଶ୍ରୀମତି ବେହେରାଙ୍କୁ ଅଙ୍ଗଦାନ ସଂର୍ପକରେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ସଂଯୋଜକ ଦାୟିତ୍ବ ଦିଆଯାଇଛି। ଶ୍ରୀମତି ବେହ‌େରାଙ୍କ ଉଦ୍ୟମ କ୍ରମ‌େ ମଧୁମାଧବୀ ପଟ୍ଟନାୟକ, କଳ୍ପଲତା ମହାପାତ୍ର ଓ ସୌମ୍ୟା ଶାଶ୍ବତୀ ମହାପାତ୍ର ମଧ୍ୟ ଅଙ୍ଗଦାନ ପାଇଁ ସତ୍ୟପାଠ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe