ଅଦାଲତ ଅବମାନନା ମାମଲା: ହାଇକୋର୍ଟରେ ଶିକ୍ଷା ନିର୍ଦ୍ଦେଶକ, ୩ ଡିଇଓ ଦୋଷୀ

Advertisment

୬ରେ ଦଣ୍ଡାଦେଶ ପ୍ରସଂଗରେ ଶୁଣାଣି

୬ରେ ଦଣ୍ଡାଦେଶ ପ୍ରସଂଗରେ ଶୁଣାଣି

‌ସଚିବାଳୟରେ କାର୍ଯ୍ୟରତ ଡେସ୍କ ଅଫିସରଙ୍କ ଗ୍ରେଡେସନ ତାଲିକାକୁ ନେଇ ବିବାଦ : ନିଷ୍ପତ୍ତି ନେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ

Odisha Bytes

କଟକ: ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କୃଷ୍ଣଚନ୍ଦ୍ର ନାୟକ, ଜଗତସିଂହପୁର ଡିଇଓ ସପନ କୁମାର ଜେନା ଓ ପୁରୀ ଡିଇଓ ବିଶ୍ବନାଥ ଘୋଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ ସହିତ ମିଥ୍ୟା କଂପ୍ଲଏନ୍ସ ଆଫିଡେଭିଟ୍ ଦାଖଲ ପାଇଁ ଏହି ଅଧିକାରୀମାନଙ୍କୁ କଂଟେପ୍ଟ ଅଫ୍ କୋର୍ଟ ଆକ୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିସହିତ ଏହି ଅଧିକାରୀମାନେ ଅକ୍ଟୋବର ୨୮ର ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ କରିଥିବା ଆବେଦନରେ ମଧ୍ୟ ମିଥ୍ୟା ତଥ୍ୟ ଦେଇଥିବା ନେଇ ଅଭିଯୋଗ ରହିଛି। ନଭେମ୍ବର ୬ରେ ଅଦାଲତ ଅବମାନନା ମାମଲାରେ ଏହି ଅଧିକାରୀମାନଙ୍କ ବିରୋଧରେ ଦଣ୍ଡାଦେଶ ପ୍ରସଂଗରେ ଶୁଣାଣି କରାଯିବ। ନଭେମ୍ବର ୬ ତାରିଖ ଦିନ ୧୧ଟା ସମୟରେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତ ଜେନା ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ୫ଟି ଅଦାଲତ ଅବମାନନା ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରାଜୁଏଟ ସ୍କେଲ୍‌ ଅଫ୍ ପେ ପ୍ରଦାନ ପାଇଁ ହାଇକୋର୍ଟ ୨୦୧୬, ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ। ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକମାନେ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଉଥିବା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାକୁ ଯୋଗ୍ୟ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଏହି ରାୟ ଆଧାରରେ ଆବେଦନକାରୀଙ୍କୁ ସଂଶୋଧିତ ଦରମା, ଏ ବାବଦ ପୁରୁଣା ବକେୟା ପ୍ରାପ୍ୟ ପ୍ରଦାନ କରାଯିବ। ଦୁଇ ମାସ ଭିତରେ ଏହି ପ୍ରକ୍ରିୟା ଶେଷ ହେବ, ନଚେତ୍‌ ସୁଧ ସହିତ ଏ ବାବଦ ଅର୍ଥ ଶିକ୍ଷା ବିଭାଗ ଆବେଦନକାରୀଙ୍କୁ ପ୍ରଦାନ କରିବ ବୋଲି ହାଇକୋର୍ଟ କହିଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ପୃଥକ୍‌ ଭାବେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ୨୦୧୯ରେ ଦାୟର ଅଦାଲତ ଅବମାନନା ମାମଲା ଗୁଡିକର ୨୦୨୦, ସେପ୍ଟେମ୍ବର ୧୦ରେ ଶୁଣାଣି କରି ହାଇକୋର୍ଟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପୁରୀ ଡିଇଓ, ଯାଜପୁର ଡିଇଓ ଓ ଜଗତସିଂହପୁର ଡିଇଓଙ୍କୁ ଅକ୍ଟୋବର ୨୮ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଅଧିକାରୀମାନେ ଗତ ୨୮ ତାରିଖ ଦିନ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ।

ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ଦର୍ଶାଇ ଏହି ଅଧିକାରୀମାନଙ୍କ ପକ୍ଷରୁ କେବଳ ସତ୍ୟପାଠ ଦାଖଲ କରାଯାଇଥିଲା। ଅକ୍ଟୋବର ୨୮ରେ ହାଇକୋର୍ଟ ଅଦାଲତ ଅବମାନନା ମାମଲା ଗୁଡିକର ଶୁଣାଣି କରି ଏହି ଅଧିକାରୀମାନଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଥିଲେ। ପୁଲିସକୁ ନଭେମ୍ବର ୩ରେ ଏହି ଅଧିକାରୀଙ୍କୁ ହାଜର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇଥିବା ନେଇ ଏହି ଅଧିକାରୀମାନେ ସତ୍ୟପାଠ ଦାଖଲ କରିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଅଧିକାରୀମାନଙ୍କ ସତ୍ୟପାଠକୁ ବିଚାରକୁ ନେଇ ହାଇକୋର୍ଟ ଅକ୍ଟୋବର ୨୮ର ନିର୍ଦ୍ଦେଶରେ ପରିବର୍ତ୍ତନ କରି ଗିରଫ ପରୱାନା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ନଭେମ୍ବର ୨ରେ ଆଦେଶ ଦେଇଥିଲେ। ଏହାପରେ ମାମଲାର ଶୁଣାଣି ସମୟରେ ଏହି ଅଧିକାରୀମାନେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe