ହାଇକୋର୍ଟଙ୍କ ନି‌ର୍ଦ୍ଦେଶରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ରୁଜୁ ହେଲା ଅଦାଲତ ଅବମାନନା ମାମଲା

Advertisment
ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ୍‌ ପ୍ରସଙ୍ଗ: ଜବାବ ଦାଖଲ ପାଇଁ ୱାଟ୍‌କୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

image source-newindianexpress.com

କଟକ: ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଏହି ଅଦାଲତ ଅବମାନନା ମାମଲା ଦାୟର ହୋଇଛି। ଏ ସଂପର୍କିତ ମାମଲାର ଫେବ୍ରୁଆରି ୨୨ରେ ହାଇକୋର୍ଟରେ ଶୁଣାଣି ପାଇଁ ଧାର୍ୟ୍ୟ କରାଯାଇଛି। ଶୁଣାଣି ସମୟରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତଙ୍କ ଆଦେଶ ଉଲ୍ଲଂଘନ ପ୍ରସଂଗରେ କାରଣ ଦର୍ଶାଇବେ ବୋଲି ନିର୍ଦ୍ଦେଶ ରହିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରି ୫ରେ ହାଇକୋର୍ଟ ଏ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ୨୦୨୦, ଡିସେମ୍ବର ୩୦ରେ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟସ୍, ଓଏଫସ୍ ଗ୍ରୁପ୍-ଏ(ଜେବି)ର ଅଧିକାରୀଙ୍କୁ ଡେପୁଟି କଂଜରଭେଟର ଅଫ୍ ଫରେଷ୍ଟସ୍ ଓଏଫଏସ ଗ୍ରୁପ୍-ଏ(ଏସବି) ପଦବିକୁ ଆଡ୍-ହକ୍ ପ୍ରମୋସନ୍ ପ୍ରଦାନ ସଂପର୍କିତ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି କାର୍ୟ୍ୟକାରୀ ଉପରେ ଅଙ୍କୁଶ ଜାରି କରିଥିଲେ। ଏଥି ସହିତ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜାନୁଆରି ୨୨ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପ୍ରସଂଗରେ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରି ୨୨ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ମାଧ୍ୟମରେ ଜବାବ ରଖିଥିଲେ।

୨୦୨୦, ଡିସେମ୍ବର ୩୦ର ବିଜ୍ଞପ୍ତି ଅନ୍ୟାଦେଶ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିବା ନେଇ ତଥ୍ୟ ସତ୍ୟପାଠ ସହିତ ଦାଖଲ କରାଯାଇଥିଲା। ଜାନୁଆରି ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ପଦୋନ୍ନତି ପ୍ରସଂଗରେ ରହିଥିବା ଅସଂଗତି ଦୂର କରିବାକୁ ସଚିବଙ୍କୁ କହିଥିଲେ। ଫେବ୍ରୁଆରି ୧୫ରେ ରିଟ୍ ଅପିଲର ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ସହିତ ଜଙ୍ଗଲ ଓ ପରିବେଶ ବିଭାଗ ଡେପୁଟି ସେକ୍ରେଟାରି ୨୦୨୧, ଜାନୁଆରି ୨୯ରେ ପିସିସିଏଫ୍ ଓ ଏଚଓଏଫଏଫଙ୍କୁ ଲେଖିଥିବା ଚିଠିର ନକଲ ଦାଖଲ କରିଥିଲେ। ଏଥିରେ ୨୦୨୦, ଡିସେମ୍ବର ୩୦ର ବିଜ୍ଞପ୍ତି ଅନୁସାରେ ଜ‌ଣେ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିବା ନେଇ ସ୍ପଷ୍ଟ ହୋଇଥିଲା। ଏଥିରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜଙ୍ଗଲ ଓ ପରିବେଶ ବିଭାଗ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ଫେବ୍ରୁଆରି ୧୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଫେବ୍ରୁଆରି ୨୨ରେ ବ୍ୟକ୍ତିଗତ ଭାବେ ସଚିବ ହାଜର ହୋଇ ଅଦାଲତଙ୍କ ଆଦେଶ ଉଲ୍ଲଂଘନ ପ୍ରସଂଗରେ କାରଣ ଦର୍ଶାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଭଦ୍ରକ ବଣ୍ୟପ୍ରାଣୀ ଡିଭିଜନରେ ଏସିଏଫ୍ ଭାବେ କାର୍ୟ୍ୟ କରୁଥିବା ଆବେଦନକାରୀ ବ୍ରଜମୋହନ ମହାନ୍ତି ୧୯୮୮, ଏପ୍ରିଲ ୬ରେ ଫରେଷ୍ଟ ରେଞ୍ଜର କ୍ୟାଡର ପଦବିରେ ଯୋଗ ଦେଇଥିଲେ। ୨୦୧୪ରେ ଫରେଷ୍ଟ ରେଞ୍ଜରଙ୍କ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଥିବା ବେଳେ ଆବେଦନକାରୀ ୧୨୪ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ତାଙ୍କ ପରେ ଚାକିରିରେ ଯୋଗ ଦେଇଥିବା କେତେକ ବ୍ୟକ୍ତିଙ୍କୁ ତାଲିକାରେ ଉପର ସ୍ଥାନ ମିଳିଥିଲା। ଏଭଳି ଘଟଣାର ଆବେଦନକାରୀ ପ୍ରତିବାଦ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଆପତ୍ତି ଦାଖଲ କରିଥିଲେ। ଏହାପରେ ୨୦୧୯, ଜାନୁଆରି ୧ରେ ଓଏଫଏସ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ)ର ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟ ଅଧିକାରୀଙ୍କ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ଆବେଦନକାରୀ ୭୬ ନମ୍ବର ସ୍ଥାନରେ ରହିଥିବା ବେଳେ ତାଙ୍କ ଠାରୁ କନିଷ୍ଠ ବ୍ୟକ୍ତିଙ୍କ ନାଁ ତାଲିକାର ଉପରେ ରହିଥିଲା। ଏହି ପ୍ରସଂଗ ନେଇ ଶ୍ରୀ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲା ଏବେ ବିଚାରାଧୀନ ରହିଛି। ଶ୍ରୀ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ଶିଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe