Court Judgement: ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ବାପା ହତ୍ୟାକାରୀ ପୁଅକୁ ଆଜୀବନ

୨୦୨୪ ମସିହା ଏପ୍ରିଲ୍‌ ୨୪ ତାରିଖ ରାତି ସାଢ଼େ ୯ଟାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଇଲାକାରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ନାବାଳିକାଙ୍କ ଘରେ ମୁହଁରେ ମାସ୍କ୍‌ ପିନ୍ଧି ପଶି ଖାଇବାକୁ ମାଗିଥିଲେ

court

ଫୁଲବାଣୀ/ଦେବଗଡ଼: ନାବାଳିକା ଦୁଷ୍କର୍ମକାରୀ ୫ଜଣଙ୍କୁ ଫୁଲବାଣୀ ଫାଷ୍ଟଟ୍ରାକ୍‌ ପକ୍‌ସୋ ବିଚାରପତି ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଶୁଣାଇଥିବା ବେଳେ ଦେବଗଡ଼ ଜିଲ୍ଲା ଦୌରାଜଜ ଦେବାଶିଷ ରାଉତ ଆଜି ପିତୃହତ୍ୟା ମାମଲାର ରାୟ ପ୍ରକାଶ କରି ପୁଅ ରଞ୍ଜନ ବେହେରାକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି।

ଫୁଲବାଣୀ ଫାଷ୍ଟଟ୍ରାକ୍‌ ପକ୍‌ସୋ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ଡକାୟତି ଓ ନାବାଳିକା (୧୪) ଦୁଷ୍କର୍ମ ମାମଲାର ବିଚାରଣା କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ୧୮ ଜଣଙ୍କ ସାକ୍ଷ୍ୟ, ଡାକ୍ତରୀ ରିପୋର୍ଟ, ପୀଡ଼ିତାଙ୍କ ବୟାନ ଓ ଟିଆଇ ପରେଡ଼୍‌ ଆଧାରରେ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୨୬ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ଦେଇଥିବା ବେଳେ ଅନାଦେୟ ସ୍ଥଳେ ଅତିରିକ୍ତ ୫ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତମାନେ ହେଲେ, ଅଶୋକ ମୁଖି, ସୁଶାନ୍ତ ନାୟକ, କୃପାକର ମୁଖି, ଜେରହ ନାୟକ ଓ ଯୋଶେଫ୍ ରୁପାମାଝି । ଫୁଲବାଣୀ ଫାଷ୍ଟଟ୍ରାକ୍‌ ପକ୍‌ସୋ କୋର୍ଟର ସ୍ବତନ୍ତ୍ର ପିପି ବନମାଳୀ ବେହେରା ମକଦ୍ଦମା ପରିଚାଳନା କରିଥିଲେ।

ଆହୁରି ପଢନ୍ତୁ-

Job Scam: ସମ୍ବଲପୁର ଚାକିରି କେଳେଙ୍କାରୀ ମାମଲାରେ ୧୮ ଜଣ ଅଟକ

ମାମଲାରୁ ଜଣାଯାଏ ୨୦୨୪ ମସିହା ଏପ୍ରିଲ୍‌ ୨୪ ତାରିଖ ରାତି ସାଢ଼େ ୯ଟାରେ ଫିରିଙ୍ଗିଆ ଥାନା ଇଲାକାରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ନାବାଳିକାଙ୍କ ଘରେ ମୁହଁରେ ମାସ୍କ୍‌ ପିନ୍ଧି ପଶି ଖାଇବାକୁ ମାଗିଥିଲେ। ପିସ୍ତଲ୍, କାତି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ୫୦ହଜାର ଟଙ୍କା, ସୁନାମାଳି, କାନଫୁଲ ଓ ତିନିଟି ମୋବାଇଲ୍‌ ନେଇଯାଇଥିଲେ। ପରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ‘ଆମ ମାଡ଼ାମ୍‌ଙ୍କୁ ଖାଇବାକୁ ଦେବାକୁ ଆସେ’ ବୋଲି ନାବାଳିକାଙ୍କୁ କହି ଘରଠୁ ୫୦ ମିଟର ଦୂର ଏକ ପଡ଼ିଆକୁ ଟାଣିନେଇ ଦୁଷ୍କର୍ମ କରିଥିଲେ। ଏହାସହ ଅପହରଣ ଓ ପରିବାରବର୍ଗଙ୍କୁ ହତ୍ୟା ଧମକ ଦେଇଥିଲେ। ଏହାପରେ ନାବାଳିକାଙ୍କ ବାପା ଫିରିଙ୍ଗିଆ ଥାନାରେ ଏତଲା ଦେବା ପରେ ପୁଲିସ କେସ ନମ୍ବର ୧୦୭ରେ ମାମଲା ରୁଜୁ କରିଥିଲା। ଏସଆଇ ଦୀପକ ରାଉତ ତଦନ୍ତଭାର ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପକ୍‌ସୋ କୋର୍ଟରେ ଏହି ମାମଲାରେ ଉପରୋକ୍ତ ରାୟ ପ୍ରକାଶ ପାଇଛି। ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ-

Ganja Smuggling: ୧୭ କୋଟି ଟଙ୍କାର ଗଂଜେଇ ଜବତ, ୩ ଗିରଫ 

ଦେବଗଡ଼ର ଘଟଣା ଏମିତି ଥିଲା। ୨୦୧୮ ମସିହା ଜାନୁଆରି ୨୨ ତାରିଖରେ ରିଆମାଳ ଥାନାଚଂଳର ବଡ଼ଝରଣ ଗ୍ରାମର ରଞ୍ଜନ ଜମି ଭାଗବଣ୍ଟାକୁ କେନ୍ଦ୍ରକରି ନିଜ ବାପା ଖଗେଶ୍ଵର ବେହେରାଙ୍କୁ ଏକ କୋଦାଳରେ ଆକ୍ରମଣ କରି ହତ୍ୟା କରିଥିଲା। ଉକ୍ତ ଘଟଣାରେ ରଞ୍ଜନକୁ ନିଷାବିରା ଗ୍ରାମର ଗଙ୍ଗା ଦେହୁରୀ ଏବଂ ରାଜକିଶୋର ଦେହୁରୀ ସହାୟତା କରିଥିଲେ। ଏହାକୁ କେନ୍ଦ୍ରକରି ପୁଲିସ ଏକ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଥାନାଧିକାରୀ ସୁଦର୍ଶନ ଜେନା ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଥିଲେ। ଆଜି ଅଦାଲତ ସମସ୍ତ ପ୍ରମାଣ ଓ ସାକ୍ଷୀମାନଙ୍କର ବୟାନକୁ ଆଧାର କରି ରଞ୍ଜନକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଦାଲତ ପ୍ରମାଣ ଅଭାବରୁ ଗଙ୍ଗା ଦେହୁରୀ ଏବଂ ରାଜକିଶୋର ଦେହୁରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ଯୋଗେଶ୍ୱର ପାତ୍ର ଏହି ମାମଲାର ପରିଚାଳନା କରୁଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe