ବିଂଝାରପୁର : ବିଂଝାରପୁର ବ୍ଲକରେ ହାଟ-ବଜାର ସବୁ ଖୋଲା। ପ୍ରୀତିପୁର ଅଞ୍ଚଳରେ କୋଭିଡ୍ କଟକଣାର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପ୍ରୀତିପୁର, ଅଳକୁଣ୍ଡ ସମେତ ଉତ୍ତଙ୍ଗରା, ଉତ୍ତରକୂଳ, ଡିହକୂଳା ଆଦି ଅଞ୍ଚଳରେ ପୂର୍ବରୁ ଅଳକୁଣ୍ଡ ପୁଲିସ ପାଟ୍ରୋଲିଂ କରିଥାଏ। ଏବେ ପାଟ୍ରୋଲିଂ ନଥିବାରୁ ଦୋକାନୀମାନେ ବେପରୁଆ ଭାବେ ସେଲୁନ, ଷ୍ଟେସନାରି, ସୁନା, ଜୋତା, ଲୁଗା ସହ ସମସ୍ତ ଦୋକାନ ଖୋଲି ବସିଯାଉଛନ୍ତି। ଔଷଧ, ତେଜରାତି, ପରିବା ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ସରକାରୀ ଅନୁମତି ଥିବାବେଳେ ବିଂଝାରପୁର ବ୍ଲକରେ ସବୁ ଦୋକାନ ଖୋଲିଯିବା ଘଟଣା ପ୍ରଶାସନିକ କଟକଣା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାସ୍ତାଘାଟ ସମେତ ଦୋକାନ ବଜାର ଚାରିଆଡ଼େ ଲୋକଙ୍କ ଭିଡ଼।
ସେହିପରି ଆଜି ଥିଲା ବିଂଝାରପୁରରେ ସାପ୍ତାହିକ ହାଟ। ଏହି ହାଟ ଉପରେ ପ୍ରଶାସନର କୌଣସି କଟକଣା ନଥିବା ପରି ମନେହେଉଥିଲା। ହାଟରେ ନାହିଁ ନଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତା ଯେମିତି ଏଠି କେହି ଜାଣନ୍ତି ନାହିଁ। ବିଂଝାରପୁରରେ କରୋନା ଉପରମୁହାଁ ହେଉଥିବା ବେଳେ କିଛି ଲୋକଙ୍କ ମୁଣ୍ଡ ଗଲାଣି। ତଥାପି ଚେତୁନାହାନ୍ତି ଲୋକେ। ସରକାର କରୋନାକୁ ନେଇ ଯେତିକି ଚିନ୍ତିତ, ଲୋକେ ସେତିକି ସଚେତନ ଥିବା ଦେଖାଯାଉ ନାହିଁ। ଏ ସଂପର୍କରେ ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଗଣେଶଚନ୍ଦ୍ର ଘଡ଼ାଇଙ୍କୁ ପଚାରିବାରୁ ସେ ଛୁଟିରେ ଥିବା କହିଥିଲେ। ସେହିପରି ଆଇଆଇସି ନିରଂଜନ ଶବରଙ୍କୁ ପଚାରିବାରୁ ସେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି ବୋଲି କହିଥିଲେ। ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
Follow Us