କରୋନାକୁ ନେଇ ଅଭିନବ ଉପାୟରେ ଠକେଇ : ଏବେ ସାଇବର ଅପରାଧୀଙ୍କ ଟାର୍ଗେଟରେ ଆଶାଦିଦି; ସାନିଟାଇଜର ଓ ମାସ୍କ କିଣିବା ପାଇଁ ଟଙ୍କା ଦିଆଯିବ କହି ଠକେଇ

କରୋନାକୁ ନେଇ ଅଭିନବ ଉପାୟରେ ଠକେଇ : ଏବେ ସାଇବର ଅପରାଧୀଙ୍କ ଟାର୍ଗେଟରେ ଆଶାଦିଦି; ସାନିଟାଇଜର ଓ ମାସ୍କ କିଣିବା ପାଇଁ ଟଙ୍କା ଦିଆଯିବ କହି ଠକେଇ

New Indian Express

ନବରଙ୍ଗପୁର/ଝରିଗାଁ : କରୋନା ନେଇ ସାରା ଦେଶ ରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସାଇବର ଅପରାଧୀମାନେ କରୋନାକୁ ନେଇ ଅଭିନବ ଉପାୟରେ ଠକେଇ ପାଇଁ ସକ୍ରୀୟ ହୋଇଉଠିଛନ୍ତି। ସାଇବର ଅପରାଧୀଙ୍କ ଟାର୍ଗେଟରେ ରହିଛନ୍ତି ଆଶାଦିଦି। କରୋନା ବିରୋଧରେ ଲଢ଼େଇ ପାଇଁ ଲୋକଙ୍କୁ ମାସ୍କ , ସାନିଟାଇଜର ଏବଂ ହ୍ୟାଣ୍ଡୱାସ ଦିଆଯିବ। ଆଶାଦିଦି ମାନଙ୍କ ଜରିଆରେ ଲୋକେ ଏହା ପାଇବେ। ଏଥି ପାଇଁ ଆଶାଦିଦି ମାନଙ୍କ ଏକାଉଣ୍ଟକୁ ସରକାର ଟଙ୍କା ପଠାଇବେ। ଅଜଣା ନଂରେ ଫୋନ କରି ଆଶାଦିଦି ମାନଙ୍କ ଏକାଉଣ୍ଟ ନଂ ଓ ଅଧିକ ବିବରଣୀ ମଗାଯାଉଛି। ଏକାଉଣ୍ଟ ବିବରଣୀ ଦିଆଯିବା ପରେ ଏକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଉଛି।

ସାଇବର ଅପରାଧୀଙ୍କ ଟାର୍ଗେଟରେ ରହିଛନ୍ତି ଝରିଗାଁ ବ୍ଲକର ଆଶାଦିଦି ମାନେ। ଆଶାଦିଦିମାନଙ୍କୁ ଏକ ନିର୍ଦ୍ଧିଷ୍ଟ ମୋବାଇଲ ନଂରୁ ଫୋନ ଆସୁଛି। କାହାକୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ବୋଲି କୁହାଯାଉଛି ତ ଆଉ କାହାକୁ ସୁପରଭାଇଜର କିମ୍ବା ବିପିଓ ବୋଲି କୁହାଯାଉଛି। ସମସ୍ତଙ୍କୁ ଓଡିଆ ଭାଷାରେ ଫୋନ କରାଯାଉଛି। ବିଶ୍ବାସ ଜନ୍ମାଇବା ପାଇଁ ନିକଟସ୍ଥ ଆଶାଦିଦି ମାନଙ୍କ ନାମ କୁହାଯାଉଛି ଏବଂ ଝରିଗାଁ ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ଅଧିକାରୀ ମାନଙ୍କ ନାମ କୁଆଯାଉଛି। କୁହାଯାଉଛି ଯେ ତୁମ ବ୍ୟାଙ୍କ ଏକାଉଣ୍ଟକୁ ସରକାର ୧୫ ହଜାର ଟଙ୍କା ପଠାଇବେ। ସେହି ଟଙ୍କା ଜରିଆରେ ସାନିଟାଇଜର, ମାସ୍କ ଓ ହ୍ୟାଣ୍ଡୱାସ କିଣାଯାଇ ଗାଁ ଲୋକଙ୍କୁ ଦିଆଯିବ। ଏଥି ପାଇଁ ବ୍ୟାଙ୍କ ଏକାଉଣ୍ଟର ବିବରଣୀ ମଗାଯାଉଛି। ଏପରି ବହୁ ସଂଖ୍ୟାରେ ଆଶାଦିଦିମାନେ ବିଶ୍ବାସ କରି ଏକାଉଣ୍ଟର ବିବରଣୀ ପ୍ରଦାନ କରିଛନ୍ତି। ଏ ମଧ୍ୟରେ ଧାମନାଗୁଡା ଗାଁର ଆଶାଦିଦିଙ୍କ ଏକାଉଣ୍ଟରୁ ୧୨ଶହ ଟଙ୍କା ଏବଂ ଧୋଡ୍ରା ଆଶା ଦିଦିଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୧ହଜାର ଟଙ୍କା କଟିଥିବା ପ୍ରାଥମିକ ସ୍ତରରେ ଜଣାପଡିଛି। ଏବେ ଆଶାଦିଦି ମାନେ ଭୟରେ ରହିଥିବା ଜଣାପଡିଛି। ଯେଉଁ ଆଶାଦିଦି ମାନେ ବ୍ୟାଙ୍କ ଏକାଉଣ୍ଟର ବିବରଣୀ ପ୍ରଦାନ କରିଛନ୍ତି ସେମାନେ ଆଜି ରବିବାର ହୋଇଥିବାରୁ ବ୍ୟାଙ୍କ ଏକାଉଣ୍ଟର ଅପଡେଟ୍ କରିପାରି ନାହାନ୍ତି। ଆସନ୍ତା କାଲି ବ୍ୟାଙ୍କ ଏକାଉଣ୍ଟ ଅପଡେଟ୍ କରିବା ପରେ କେଉଁ ଆଶାଦିଦି ଠକାମିର ଶିକାର ହୋଇଛନ୍ତି ତାହା ଜଣାପଡିବ। ଏବେ ଭୟରେ ଆଶାଦିଦି ମାନେ ଅଜଣା ନଂରେ ଫୋନ ଆସିଲେ କଲ ଗ୍ରହଣ କରୁନାହାନ୍ତି।

ଏ ସଂକ୍ରାନ୍ତରେ ଆଶାଦିଦି ମାନେ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନଜରକୁ ଆଣିବା ପରେ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଥାନା ଅଧିକାରୀଙ୍କ ନଜରକୁ ଆଣିଥିବା ଜଣାପଡିଛି। ଆଜି ବାଣଗୁଡା ପଞ୍ଚାୟତ ପଲସଗାଁର ଆଶାଦିଦି କନକଲତା ହରୀଜନ ଓ ଭାଲୁକନାରୀ ପଞ୍ଚାୟତ କନ୍ଧଗୁଡା ଗାଁର ଆଶାଦିଦି ସୁମାନି ହରୀଜନ ଝରିଗାଁ ଥାନାରେ ତାଙ୍କୁ ଏଭଳି ଅଜଣା ମୋବାଇଲ ନଂ ରୁ ଫୋନ ଆସି ଏକାଉଣ୍ଟ ବିବରଣୀ ମାଗିଥିବା ନେଇ ଏତଲା ଦେଇଥିବା ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଲା ସମସ୍ତ ଆଶାଦିଦିଙ୍କ ନାମ ଏବଂ ଫୋନ ନଂର ବିବରଣୀ କେଉଁଠୁ ପାଇଲେ ସାଇବର ଅପରାଧୀ। ତେବେ ନିଶ୍ଚିତ ଭାବେ ସ୍ବାସ୍ଥ୍ୟ ବିଭାଗର କୌଣସି କର୍ମଚାରୀଙ୍କ ହାତ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତଦନ୍ତ ପରେ ଅଧିକ ବିବରଣୀ ଜଣାପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe