ଆଣ୍ଟିଜେନ୍‌ ଟେଷ୍ଟରେ ମଧ୍ୟ ୨ ପଜିଟିଭ୍‌, କଟକରେ ଗଞ୍ଜାମ ରୋଗୀଙ୍କ ପାଇଁ ଚିନ୍ତା ବଢ଼ୁଛି

Advertisment
ଏସ୍‌ସିବିରେ ଅଂଶୁଘାତ ପ୍ରସ୍ତୁତି; ନ୍ୟୁ ମେଡିସିନ୍‌ ବିଭାଗରେ ଖୋଲିବ ଅଂଶୁଘାତ ୱାର୍ଡ

Justdial

କଟକ : କଟକ ପାଇଁ ବିପଦ ପାଲଟିଛନ୍ତି ଗଞ୍ଜାମ ରୋଗୀ। ବ୍ରହ୍ମପୁରରେ ବଡ ଡାକ୍ତରଖାନା ଥିବା ସତ୍ବେ ରୋଗୀ କଟକ ଉପରେ ନିର୍ଭର କରୁଥିଲେ। ଏବେ ପୁଣି ଏମ୍‌କେସିଜି ମେଡିକାଲ କଲେଜ ଓପିଡି ବନ୍ଦ କରି ଦିଆଯାଇଥିବାରୁ ରୋଗୀଙ୍କ ଭରସା କଟକ ବଡ ଡାକ୍ତରଖାନା। ‌କିନ୍ତୁ ଆଜି ଯଦି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସଂକ୍ରମଣ କଥା ଦେଖାଯାଏ, ତାହେଲେ ଗଞ୍ଜାମ ରୋଗୀ ହିଁ ତାହାର ପ୍ରମୁଖ କାରଣ। ଯଦିଓ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ ଆବଶ୍ୟକ ସତର୍କତା ଗ୍ରହଣ କରି ନଥିଲେ କିନ୍ତୁ ଉକ୍ତ ରୋଗୀଙ୍କଠାରୁ ହିଁ କର୍କଟ କେନ୍ଦ୍ରର ସଂକ୍ରମିତ ସଂଖ୍ୟା ଏବେ ୧୨୦ ଟପିଲାଣି। ସେହିପରି ଏସ୍‌ସିବିରେ ଆଣ୍ଟିଜେନ୍‌ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ୩ଦିନରେ ୧୧୦ଟି ପରୀକ୍ଷା କରାଯାଇଛି। ସେଥିରୁ ୨ ଟି ପଜିଟିଭ୍‌ ଆସିଛି। ସେହି ଦୁଇ ପଜିଟିଭ୍‌ ରୋଗୀ ମଧ୍ୟ ଗଞ୍ଜାମର ବୋଲି ଜଣାପଡ଼ିଛି। ଏସ୍‌ସିବିର ଆଇସୋଲେସନ୍‌ ତଥା ବିଭିନ୍ନ ୱାର୍ଡରୁ ପାଖାପାଖି ୧୫ଜଣ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଏସ୍‌ସିବିର ସଂକ୍ରମଣ ରୋକିବା ପାଇଁ ଗତ ୫ ତାରିଖ ଦିନ ସ୍ବାସ୍ଥ୍ୟ ବିଭାଗର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। କଟକ ସଟ୍‌ଡାଉନ୍‌ ସମୟରେ କଟକକୁ ଅତ୍ୟନ୍ତ ଜରୁରୀ ନଥିଲେ ରୋଗୀଙ୍କୁ ଆସିବାକୁ ବାରଣ କରାଯାଇଥିଲା। ଏଭଳି ନିଷ୍ପତ୍ତି ପରେ କଟକରେ ବାହାର ଜିଲ୍ଲାର ରୋଗୀଙ୍କ ସଂଖ୍ୟା କମିଛି। ତଥାପି ଆଉଟ୍‌ଡୋରରେ ହଟ୍‌ସ୍ପଟ୍ ଜୋନରୁ ‌ଆସୁଥିବା ରୋଗୀଙ୍କ ସଂଖ୍ୟା କମି ନଥିବା ତଥ୍ୟରୁ ଜଣାପଡିଛି। ହଟ୍‌ସ୍ପଟ୍‌ ଜୋନ ଭାବେ ୫ଟି ଜିଲ୍ଲା ଓ କଟକ ଜିଲ୍ଲାର ୫ଟି ବ୍ଲକ୍‌କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ କିନ୍ତୁ ଏସସିବିକୁ ଆସୁଛନ୍ତି। ଏହି ହଟ୍‌ସ୍ପଟ୍‌ ୫ଟି ଜିଲ୍ଲା ଭିତରେ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ବର ଜିଲ୍ଲା ସହିତ କଟକ ଜିଲ୍ଲାର ମହାଙ୍ଗା, ନରସିଂହପୁର, ନିଶ୍ଚିନ୍ତକୋଇଲ, ବଡ଼ମ୍ବା ଓ ତିଗିରିଆ ବ୍ଲକ୍‌ ରହିଛି। ସେହି ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ସେହିଭଳି ଏସ୍‌ସିବି ଆଇସୋଲେସନ୍‌ ୱାର୍ଡ ଓ ବିଭିନ୍ନ ବିଭାଗରୁ ପାଖାପାଖି ଦେଢଶହ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ଏସ୍‌ସିବିରେ ସଂକ୍ରମଣ ରୋକିବା ପାଇଁ ଦୁଇଦିନ ତଳେ ଏକ ଜରୁରୀ ବୈଠକ ସହ ଏସ୍‌ଓପି ଜାରି କରାଯାଇଥିଲା। ଏସ୍‌ଓପି ଅନୁସାରେ ଏସ୍‌ସିବି କାଜୁଆଲିଟି, ଆଉଟ୍‌ଡୋର ସବୁଠି ପିପିଇ କିଟ୍‌ ପିନ୍ଧି ଡାକ୍ତର ରୋଗୀ ଦେଖିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଏସ୍‌ସିବିର ନ୍ୟୁରୋସର୍ଜରି, ଟ୍ରମା, ଅର୍ଥୋପେଡିକ୍‌, ସର୍ଜରି, ପଲ୍‌ମୁନାରି ମେଡିସିନ୍‌, କାର୍ଡିଓଲୋଜି ବିଭାଗରୁ ସଂକ୍ରମିତ ଚିହ୍ନଟ ହେଲେଣି। ଏପରିକି କଟକର ବିଭିନ୍ନ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଗଞ୍ଜାମ ଜିଲ୍ଲାର ପାଖାପାଖି ୨୫ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି।

ଅନ୍ୟପଟେ ଏସ୍‌ସିବିକୁ ଆସୁଥିବା ସମସ୍ତ ରୋଗୀଙ୍କୁ ବିନା ଆଣ୍ଟିଜେନ୍‌ ପରୀକ୍ଷାରେ ୱାର୍ଡରେ ଆଡମିସନ୍‌ ମିଳିବନି ବୋଲି ନିଷ୍ପତ୍ତି ନିଆଯାଇଛି। ଆଣ୍ଟିଜେନ୍‌ ଟେଷ୍ଟରେ ରିପୋର୍ଟ ନେଗେଟିଭ୍‌ ଆସିଲେ ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe