ରାଜ୍ୟର ୫ ଜିଲ୍ଲାରେ କରୋନା ସଂକ୍ରମଣ ହାର ୫%ରୁ ଅଧିକ

ଦିନକରେ ୫୧୫ କରୋନା ପଜିଟିଭ୍, ଜଣେ ମୃତ

India.com

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଆଉ କେତେକ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି। ରାଜ୍ୟରେ ୫ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହିଥିବା ନଜରକୁ ଆସିଛି। ଦୈନିକ ନମୁନା ପରୀକ୍ଷା ୬ହଜାରରୁ ୫ହଜାରକୁ ଖସି ଆସିବା ଏହା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ଯାହାଫଳରେ ସେସବୁ ଜିଲ୍ଲା ବା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଭଳି ପରିସ୍ଥିତି ଉପୁଜିଲାଣି। ଜନସାଧାରଣ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ନମୁନା ପରୀକ୍ଷାରେ ହ୍ରାସ, କୋଭିଡ ନିର୍ଦେଶାବଳୀ ମାନୁ ନାହାନ୍ତି ଜନସାଧାରଣ
ଦକ୍ଷିଣ ଓଡ଼ିଶା ଗସ୍ତରେ ଯିବ ସ୍ବାସ୍ଥ୍ୟ ବିଭାଗ ଟିମ୍

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତମାସ ୫ରୁ ୧୧ ତାରିଖ ଭିତରେ ସୋନପୁର ଜିଲ୍ଲାରେ ସଂକ୍ରମଣ ହାର ୧୦.୮ ପ୍ରତିଶତ ଥିବା ବେଳେ ସମ୍ବଲପୁର ୯.୬, ସୁନ୍ଦରଗଡ଼ ୯.୧, ବଲାଙ୍ଗୀର ୭.୬ ଓ ନବରଙ୍ଗପୁରରେ ୫.୪ ପ୍ରତିଶତ ରହିଛି। ଗତ କିଛିଦିନ ହେବ ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ୩୦ରୁ ଅଧିକ ଆକ୍ରାନ୍ତ ‌ଚିହ୍ନଟ ହେଉଛନ୍ତି। ଯାହାକି ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏସବୁ ଜିଲ୍ଲା ଛତିଶଗଡ଼କୁ ଲାଗିଥିବା କାରଣରୁ ଲୋକଙ୍କ ଯିବା ଆସିବା ଯୋଗୁଁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ଆଶଙ୍କା କରାଯାଉଛି।

ଏହାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଦକ୍ଷିଣ ଓଡ଼ିଶା ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଛି। ଏହାସହ ସଂପୃକ୍ତ ଜିଲ୍ଲାର ସିଡିଏମ୍‌ଓମାନଙ୍କ ସହିତ ଆଲୋଚନା କରାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ମତରେ ଲୋକମାନେ ନମୁନା ପରୀକ୍ଷା କରିବା ପାଇଁ ଆସୁନାହାନ୍ତି। ଜିଲ୍ଲା ପ୍ରଶାସନ ସତର୍କ ରହିଛି। ଲୋକମାନେ ଯେପରି କୋଭିଡ ନିୟମାବଳୀକୁ ମାନିବେ ତାହାକୁ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

ଆଶ୍ରମ ସ୍କୁଲର ୮ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ନେହେନା ଆଶ୍ରମ ସ୍କୁଲର ୮ ଜଣ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାରୁ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ‌ହୋଇଛନ୍ତି। ଜିଲ୍ଲାରେ ଗୁରୁବାର ୨୫୦ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ନେହେନା ସ୍କୁଲର ୮ ଜଣ ଛାତ୍ରଛାତ୍ରୀ ଓ କୋମନା ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗୋଟିଏ ମାସ ଭିତରେ ଜିଲ୍ଲାରେ ୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା କୋଭିଡ୍‌ ସ୍ବାସ୍ଥ୍ୟ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

ଏସ୍‌ସିବିରେ ଚଳିତ ବର୍ଷର ପ୍ରଥମ କୋଭିଡ ମୃତ୍ୟୁ

କଟକ :  ଏସ୍‌ସିବିରେ ଚଳିତ ବର୍ଷର ଆଜି ପ୍ରଥମ କୋଭିଡ ମୃତ୍ୟୁ ଘଟିଛି।  ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ରେଫର ହୋଇ ଏସ୍‌ସିବି ଆସିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ୮୦ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ସମେତ ଅନ୍ୟାନ୍ୟ ରୋଗରେ ସେ ପୀଡିତ ଥିଲେ। ତାଙ୍କ ଅବସ୍ଥା ପ୍ରଥମରୁ ହଁ ଗୁରୁତର ଥିବାରୁ ତାଙ୍କୁ ଏସସିବି କୋଭିଡ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe