ବଢ଼ୁଛି କରୋନା ସଂକ୍ରମଣ, ଶଯ୍ୟା ପ୍ରସ୍ତୁତ ରଖିବାକୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ

TV9 Bharatvarsh

ଭୁବନେଶ୍ବର : ଓଡ଼ିଶା ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାକୁ ଚିଠି ଜାରି ହେବା ସହିତ ଆବଶ୍ୟକ ସଂଖ୍ୟକ ଶଯ୍ୟା ମହଜୁଦ ରଖିବା ଓ ଏହାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।

ଦେଶରେ ଗତ ୨୪ଘଣ୍ଟାରେ ୧୮୯୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୨। ରାଜ୍ୟରେ ଏବେ ୯୨ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ହେଲେ ଗତ ୩-୪ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ନଜରକୁ ଆସିଛି। ଏପରିକି ଏହି ସଂଖ୍ୟା ୨୦ରୁ ଅଧିକ ରହିଥିଲା। ଏହାସହ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବର୍ତ୍ତମାନ ଯାଏ ଶେଷ ହୋଇ ନ ଥିବାରୁ ଏହା ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

୪ ମେଡିକାଲ କଲେଜରେ ୨୦ ଶଯ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦
ସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ଫିଭର କ୍ଲିନିକ୍

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏସ୍‌ସିବି, ଏମ୍‌କେସିଜି, ଭିମ୍‌ସାର ଓ କୋରାପୁଟ ମେଡିକାଲ କଲେଜରେ ଅତିକମ୍‌ରେ ୨୦ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିରେ ୨ଟି ଆଇସିୟୁ ଶଯ୍ୟା ରହିବ। ସେହିପରି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ୧୦ଟି ଶଯ୍ୟା ସହିତ ଆବଶ୍ୟକସ୍ଥଳେ ଶଯ୍ୟା ସଂଖ୍ୟା ଯେଭଳି ବୃଦ୍ଧି ହୋଇପାରିବ ସେଭଳି ବ୍ୟବସ୍ଥା ରହିବା ଜରୁରୀ। ସେହିପରି ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୬ଟି ଶଯ୍ୟା ରହିବ। ତେବେ ସମସ୍ତ କୋଭିଡ ଚିକିତ୍ସା କେନ୍ଦ୍ରଗୁଡ଼ିକ ପୂର୍ବରୁ ଥିବା ମାନବ ସମ୍ବଳ ଜରିଆରେ ହିଁ ପରିଚାଳନା କରାଯିବ।

ସେହିପରି ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଅକ୍ସିଜେନ୍ କନ୍‌ସେନଟ୍ରେଟର, ସିଲିଣ୍ଡର, ଏଲଏମ୍‌ଓ, ପିଏସ୍‌ଏକୁ ପ୍ରସ୍ତୁତ ରଖାଯାଉ। ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫିଭର କ୍ଲିନିକ୍‌ ସହିତ ୱାକ-ଇନ୍‌ କୋଭିଡ ଟେଷ୍ଟିଂ ବ୍ୟବସ୍ଥା କରାଯାଉ। ଆସନ୍ତାମାସ ୧୦ ଓ ୧୧ ତାରିଖରେ ସବୁ ସ୍ବାସ୍ଥ୍ୟାନୁଷ୍ଠାନରେ କୋଭିଡ ନେଇ ମକଡ୍ରିଲ କରାଯିବ। ଏ ଦୃଷ୍ଟିରୁ ହସ୍ପିଟାଲରେ ଆବଶ୍ୟକ ପରିମାଣରେ ଔଷଧ, ଶଯ୍ୟା, ମେଡିକାଲ ଯନ୍ତ୍ରପାତି, ଅକ୍ସିଜେନ, ମାନବ ସମ୍ବଳର ଦକ୍ଷତା ବୃଦ୍ଧି, ଟିକାକରଣ ହାର ଆଦି ସଂପର୍କରେ ପ୍ରସ୍ତୁତ ରଖିବାକୁ ହେବ। କୋଭିଡ-୧୯ ଇଣ୍ଡିଆ ପୋର୍ଟାଲରେ ଥିବା ରିପୋର୍ଟକୁ ଡିଏସ୍‌ଓ ପୂରଣ କରିବା ସହିତ ସେହିଦିନ ସଂଧ୍ୟା ସୁଦ୍ଧା ପଠାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କରୋନା ସଂକ୍ରମଣକୁ ନେଇ ସବୁ ରାଜ୍ୟକୁ ସତର୍କ ରହିବାକୁ ଚିଠି ଲେଖିଥିଲେ। ଏହାସହ ଆବଶ୍ୟକ ସଂଖ୍ୟକ ଟେଷ୍ଟିଂ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe