ଚିନ୍ତା ବଢ଼ାଉଛି ଦ୍ୱୈତନଗରୀ : କୋଭିଡ୍‌ ରଣନୀତିକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ସର୍ଦ୍ଦି, କାଶ ପରି ରୋଗ ଉପରେ ନଜର ରଖ, ଅର୍ଥନୀତି ସ୍ୱାଭାବିକ ହେଉଛି, ଏବେ ଜୀବିକା

ମୋଦୀଙ୍କୁ ଚିଠି ଲେଖିଲେ ନବୀନ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଚାଲୁ ରଖାଯାଉ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ ସଂଖ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମ୍ଭୀରତାର ସହିତ ନେଇଛନ୍ତି। ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଅର୍ଥନୀତି ସ୍ବାଭାବିକ ହେଉଥିବା ଲକ୍ଷ୍ୟ କରାଯାଉଥିବା ପରିପ୍ରେକ୍ଷୀରେ ଜୀବିକା ସୃଷ୍ଟି ଉପରେ ସରକାର ଗୁରୁତ୍ବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କର କୋଭିଡ୍ ନମୁନା ପରୀକ୍ଷା କରାଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ଏହା ହେଉଛି ୪୨,୪୦୪ ଯାହାକି ଜାତୀୟସ୍ତରଠାରୁ ବହୁତ ଅଧିକ। ସେହିପରି ଆରୋଗ୍ୟ ହାର ମଧ୍ୟ ୭୬.୭୮% ଏବଂ ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି।

ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ୍ ପରିଚାଳନା ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ପର୍ଯ୍ୟବେକ୍ଷକମାନେ ତୁରନ୍ତ ବନ୍ୟାଞ୍ଚଳକୁ ଗସ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ରିଲିଫ ପ୍ୟାକେଜ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବର୍ଷାଋତୁରେ ସର୍ଦ୍ଦି, କାଶ ପରି ରୋଗର ସମ୍ଭାବନା ଦୃଷ୍ଟିରୁ ଏସବୁ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମଧ୍ୟ ସେ କହିଥିଲେ।

ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ ଜ୍ବର କ୍ଲିନିକ୍‌ ଗୁଡିକୁ ସତର୍କ ରହିବା ଲାଗି ରଖିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ ବିଭିନ୍ନ କୋଭିଡ ପ୍ରୋଟୋକଲ୍‌କୁ ନେଇ ଏକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ କରିବା ଦରକାର। ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ଜିଲ୍ଲା ଭିତର ଥିବା ହସ୍‌ପିଟାଲରେ ହିଁ ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସେହିଭଳି ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ, ବିଶେଷକରି କଟକ ଓ ଭୁବନେଶ୍ବରରେ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ କୋଭିଡ କେସ୍‌ ବଢୁଥିବାରୁ ସମସ୍ତ କୋଭିଡ ନିୟମ ଗୁଡିକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମାସ୍କ ଓ ସାମାଜିକ ଦୂରତ୍ବ ନିୟମରେ ଯେପରି କୌଣସି ଅବହେଳା ନ ହୁଏ, ସେଥିପ୍ରତି ଶ୍ରୀ ପଟ୍ଟନାୟକ ସତର୍କ କରାଇଥିଲେ।

ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ପରିଚାଳନା ସଂପୂର୍ଣ୍ଣ ସଫଳ ହୋଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ ସୁଦୃଢ କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର କୋଭିଡ ପରିଚାଳନା ସଂପର୍କରେ ଏକ ବିବରଣୀ ଉପସ୍ଥାପନା କରିଥିଲେ।

ଏହି ବୈଠକରେ ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରି ସବୁ ବିଭାଗର ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଗୁଡିକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମଧ୍ୟ ଜିଲ୍ଲା ଗସ୍ତ ସମୟରେ ଜୀବିକା କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୌଣସି ଶିଳ୍ପକ୍ଷେତ୍ରରେ ଯଦି କିଛି ଅସୁବିଧା ଥାଏ, ତେବେ ତାକୁ ତୁରନ୍ତ ପ୍ରାଥମିକତା ଭିତ୍ତିରେ ଦୂର କରାଯିବା ଆବଶ୍ୟକ।

କୃଷି କ୍ଷେତ୍ରରେ ଚଳିତ ବର୍ଷ ଖରିଫରେ ୫୫.୫୨ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି ଯାହା କି ପୂର୍ବ ବର୍ଷ ଠାରୁ ୫% ଅଧିକ। ଚଳିତ ବର୍ଷ ସାର ଓ ୟୁରିଆର ଚାହିଦା ମଧ୍ୟ ଗତବର୍ଷ ଠାରୁ ଅଧିକ ରହିଛି। ଚଳିତ ବର୍ଷ ୯୯୬୫ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି, ଯାହା କି ଗତ ବର୍ଷ ଠାରୁ ମଧ୍ୟ ଅଧିକ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର, କୃଷି ଉତ୍ପାଦନ କମିସନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe